ନୂତନ କୃଷି ଆଇନ୍‌ ପ୍ରତ୍ୟାହୃତ ନହେଲେ ହରିୟାଣାରେ ଶାସକ ବିଜେପି-ଜେଜେପି ମଞ୍ଚକୁ ବହୁମୂଲ୍ୟ ଦେବାକୁ ପଡ଼ିବ: ଜେଜେପି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଯଦି ତିନିଟିଯାକ କୃଷି ଆଇନକୁ ରଦ୍ଦ ନ କରନ୍ତି; ତେବେ ହରିୟାଣାରେ ଶାସକ ବିଜେପି-ଜେଜେପି ମିଳିତ ମଞ୍ଚକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଜେଜେପି ବିଧାୟକମାନେ ମଙ୍ଗଳବାର ସନ୍ଧ୍ୟାରେ ଖୋଲାଖୋଲି ଧମକ ଦେଇଛନ୍ତି।

ଜନନାୟକ ଜନତା ପାର୍ଟି (ଜେଜେପି) ମୁଖ୍ୟ ତଥା ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଯିବାର କିଛି ଘଣ୍ଟା ପୂର୍ବରୁ ଏପରି ଧମକବାଣୀ ଶୁଣାଇଛନ୍ତି ଜେଜେପି ବିଧାୟକ ଗୋଷ୍ଠୀ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହାଙ୍କୁ ନୂଆଦିଲ୍ଲୀରେ ଭେଟିବାର କାର୍ଯ୍ୟକ୍ରମ ରହିଛି ଏବଂ ସେମାନଙ୍କ ସହ ଆଲୋଚନାରେ ହରିୟାଣାର ବିଜେପି ରାଜ୍ୟ ସଭାପତି ଓ ପି ଧନକର ମଧ୍ୟ ଯୋଗଦେବେ।

ଉଲ୍ଲେଖଯୋଗ୍ୟ, ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ୪୦ ଟି ଆସନ ଜିତିଥିବା ଭାରତ ଜନତା ପାର୍ଟି (ବିଜେପି), ୧୦ ଆସନ ଜିତିଥିବା ଜନନାୟକ ଜନତା ପାର୍ଟି (ଜେଜେପି)ର ବିଧାୟକ ତଥା ଅନେକ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ନେଇ ହରିୟାଣାରେ ସରକାର ଗଠନ କରିଛି।

ଜେଜେପି ବିଧାୟକ ଯୋଗୀ ରାମ ସିହାଗ ଗଣମାଧ୍ୟମକୁ କହିଛନ୍ତି ଯେ ହରିୟାଣା, ପଞ୍ଜାବ ଏବଂ ଦେଶର କୃଷକମାନେ ଏହି ନୂତନ ତିନିଟି କୃଷି ଆଇନକୁ ବିରୋଧ କରୁଥିବାରୁ କେନ୍ଦ୍ର ସରକାର ଏହି ଆଇନଗୁଡିକୁ ପ୍ରତ୍ୟାହାର କରିବା ଉଚିତ। ସେ କହିଛନ୍ତି, ଆମେ ଅମିତ ଶାହା ଜୀଙ୍କୁ ଆମର ଭାବନା ପହଞ୍ଚାଇବା ପାଇଁ ଦୁଶ୍ୟନ୍ତ ଜୀଙ୍କୁ ଅନୁରୋଧ କରିବୁ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହାଙ୍କୁ ଭେଟିବା ପାଇଁ ଯିବା ପୂର୍ବରୁ ଶ୍ରୀ ଚୌତାଲା ତାଙ୍କ ଦଳର ସମସ୍ତ ବିଧାୟକଙ୍କ ସହ ଏକ ଫାର୍ମ ହାଉସରେ ଏକ ବୈଠକ କରିଥିଲେ।

ସମ୍ବନ୍ଧିତ ଖବର