ଦୁଷ୍କର୍ମ ଓ ଏସିଡ୍‌ ପୀଡ଼ିତାଙ୍କ ପାଇଁ ଅନୁକମ୍ପା ରାଶି ନିର୍ଦ୍ଧାରଣ କଲେ କେନ୍ଦ୍ର ସରକାର ଏବଂ ଏନ୍‌ଏଏଲ୍‌ଏସ୍‌ଏ

ନୂଆଦିଲ୍ଲୀ: ଅମାନବୀୟ ଯୌନ ଆକ୍ରମଣ କିଂବା ଏସିଡ୍‌ ଆକ୍ରମଣରେ ସରବ୍ୟ ହେବା ପରେ ଆର୍ଥିକ ଅନଟନର ସମ୍ମୁଖୀନ ହେଉଥିବା ଗରିବ ମହିଳାମାନଙ୍କୁ ସହାୟତା କରିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ନେସ୍‌ନାଲ୍‌ ଲିଗାଲ୍‌ ସର୍ଭିସ୍‌ ଅଥରିଟି ଏକ ରିଲିଫ୍‌ ପଲିସି ପ୍ରସ୍ତୁତ କରିଛି। ଏହି ପଲିସି ଦ୍ୱାରା ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଏବଂ ଏସିଡ୍‌ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଲେଖାଏଁ ସର୍ବନିମ୍ନ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ।

‘ଏନ୍‌ଏଏଲ୍‌ଏସ୍‌ଏ’ର କମ୍ପ୍ରେହେନ୍‌ସିଭ୍‌ ସ୍କିମ୍‌ ଗଣ ଦୁଷ୍କର୍ମ ଏବଂ ଦୁଷ୍କର୍ମ ମାମଲା ପାଇଁ ରିଲିଫ୍‌ ଭାବେ ସର୍ବନିମ୍ନ ଅର୍ଥରାଶି ନିର୍ଦ୍ଧାରଣ କରିଛନ୍ତି। ଦୁଷ୍କର୍ମ କିଂବା ଅନ୍ୟାନ୍ୟ ଆକ୍ରମଣରେ ସରବ୍ୟ ହୋଇଥିବା ପୀଡ଼ିତା ମହିଳାମାନଙ୍କ ପାଇଁ ଅନୁକମ୍ପା ସ୍କିମ୍‌ଟି ସୁପ୍ରିମ୍‌ କୋର୍ଟଙ୍କ ଆଦେଶରେ ପ୍ରସ୍ତୁତ ହୋଇଛି। ବିଶେଷ କରି ଗରିବ ଏବଂ ମଫସଲ ଅଞ୍ଚଳବାସୀ ପୀଡ଼ିତା ମହିଳା ଯେଉଁମାନଙ୍କ ପାଖରେ କୋର୍ଟ କଚେରି ଲଢ଼େଇ ପାଇଁ ସମ୍ବଳ ନାହିଁ ସେମାନଙ୍କୁ ଏବଂ ସେମାନଙ୍କ ପରିବାରର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସୁପ୍ରିମ୍‌ କୋର୍ଟ ମଡେଲ୍‌ ରୁଲ୍‌ସ୍‌ ପାଇଁ ଆଦେଶ ଦେଇଥିଲେ।


ଏହି ଯୋଜନା ଅନୁସାରେ, ମୃତ୍ୟୁ ଘଟିଥିଲେ କି, ଗଣଦୁଷ୍କର୍ମ ପୀଡ଼ିତା ହୋଇଥିଲେ ସର୍ବନିମ୍ନ ୫ ଲକ୍ଷ ଟଙ୍କା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ଦିଆଯିବ। ଦୁଷ୍କର୍ମ ବା ଅପ୍ରାକୃତ ଯୌନ ଆକ୍ରମଣ ପୀଡ଼ିତାମାନଙ୍କୁ ସର୍ବନିମ୍ନ ୪ ଲକ୍ଷ ଟଙ୍କା ଦିଆଯିବ। କୌଣସି ଅଙ୍ଗ କି, ଶରୀରର ଅଂଶ ହରାଇ ୮୦% ବିକଳାଙ୍ଗ ହୋଇଗଲେ ୨ ଲକ୍ଷ ଟଙ୍କା ଏବଂ ସାଙ୍ଘାତିକ ଶାରୀରିକ ଆଘାତ ପାଇଁ ୨ ଲକ୍ଷ ଟଙ୍କା ମିଳିବ। ଏହି ସ୍କିମ୍‌ ସମସ୍ତ ରାଜ୍ୟ ପାଇଁ ବାଧ୍ୟତାମୂଳକ।

ଭ୍ରୂଣନଷ୍ଟ କିଂବା ଗର୍ଭପାତ ଘଟିଲେ ସର୍ବନିମ୍ନ ଅନୁକମ୍ପା ରାଶି ୨ ଲକ୍ଷ ଟଙ୍କା ରଖାଯାଇଛି। ଏହି ସ୍କିମ୍‌ କହେ କି, ଯଦି ଜଣେ ମହିଳା ଆକ୍ରମଣର ଭିନ୍ନ ଭିନ୍ନ ବର୍ଗରେ ପୀଡ଼ିତ ହୋଇ ଥାଆନ୍ତି ତେବେ ତାଙ୍କୁ ସେ ସବୁ ବର୍ଗରେ ରଖାଯାଇଥିବା ଅନୁକମ୍ପାମୂଳକ ରାଶି ସବୁ ମିଳିବ। ଉଦାହରଣ ସ୍ୱରୂପ, ଯଦି ଗଣଦୁଷ୍କର୍ମ ପୀଡ଼ିତା ମରିଯାଆନ୍ତି ତାଙ୍କ ପରିବାର ଲୋକଙ୍କୁ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା ମିଳିବ। ସେଥିରୁ ଜୀବନହାନି ପାଇଁ ୫ ଲକ୍ଷ ଟଙ୍କାଏବଂ ଗଣଦୁଷ୍କର୍ମ ଅପରାଧ ପାଇଁ ଆଉ ୫ ଲକ୍ଷ ଟଙ୍କା।

ସମ୍ବନ୍ଧିତ ଖବର