ନୂଆଦିଲ୍ଲୀ: ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀମାନଙ୍କୁ ଫାଶୀ ବଦଳରେ ବିଷ ଇଞ୍ଜେକ୍ସନର ବିକଳ୍ପ ଦେବାକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। କେନ୍ଦ୍ରର ଏହି ଆଭିମୁଖ୍ୟକୁ ଆଜି ସୁପ୍ରିମ୍‌କୋର୍ଟ ଏକ ପୁରୁଣାକାଳିଆ ଚିନ୍ତାଧାରା ବୋଲି କହିଛନ୍ତି। ପାରମ୍ପରିକ ମୃତ୍ୟୁଦଣ୍ଡ ବ୍ୟବସ୍ଥା ଫାଶୀକୁ ବିଷ ଇଞ୍ଜେକ୍ସନ ସହିତ ବଦଳାଇବା କିମ୍ବା ଅନ୍ତତଃ ପକ୍ଷେ ଦୋଷୀଙ୍କୁ ବିକଳ୍ପ ବାଛିବାର କ୍ଷମତା ଦେବା ପାଇଁ କୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି। ଅନ୍ତତଃ ପକ୍ଷେ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କୁ ସରକାର ଏକ ବିକଳ୍ପ ଦିଅନ୍ତୁ, ସେମାନେ ଫାଶୀ କିମ୍ବା ବିଷ ଇଞ୍ଜେକ୍ସନ ଚାହୁଛନ୍ତି ପଚାରନ୍ତୁ। ମାରାତ୍ମକ ଇଞ୍ଜେକ୍ସନ ଶୀଘ୍ର କାମ କରିଥାଏ ଓ ଏହା ମାନବିକତା ଦୃଷ୍ଟିରୁ ଗ୍ରହଣୀୟ। ଅପରପକ୍ଷେ ମୃତ୍ୟୁଦଣ୍ଡ ପାଇଁ ଫାଶୀ ନିଷ୍ଠୁର, ବର୍ବର ଓ ଅଧିକ ସମୟ ଲାଗୁଥିବା ବିକଳ୍ପ ବୋଲି ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ଋଷି ମାଲହୋତ୍ରା କହିଛନ୍ତି। ତେବେ ସରକାରଙ୍କ ସତ୍ୟପାଠରେ କୁହାଯାଇଛି ଯେ ଏହି ବିକଳ୍ପ ସମ୍ଭବ ନୁହେଁ। ଏହାପରେ ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମୌଖିକ ମନ୍ତବ୍ୟ ଦେଇ କହିଥିଲେ ଯେ, ସମୟ ସହିତ ସରକାର ପରିବର୍ତ୍ତନ ପାଇଁ ପ୍ରସ୍ତୁତ ନୁହନ୍ତି। ସମସ୍ୟା ହେଉଛି, ସରକାର ଆଧୁନିକ ଚିନ୍ତାଧାରା ଆପଣେଇବାକୁ ଚାହୁନାହାନ୍ତି। ଫାଶୀ ଏକ ପୁରୁଣା ପ୍ରକ୍ରିୟା। ସମୟ ସହିତ ସବୁ ଜିନିଷ ବଦଳୁଛି, ଏହା କାହିଁକି ବଦଳିବ ନାହିଁ ବୋଲି ସେମାନେ କହିଛନ୍ତି। ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ସୋନିଆ ମାଥୁର କାଉଣ୍ଟର ଆଫିଡେଭିଟ୍‌ ଦାଖଲ କରିଥିଲେ, ଯେଉଁଥିରେ କୁହାଯାଇଛି ଯେ କଏଦୀମାନଙ୍କୁ ପସନ୍ଦ ପାଇଁ ବିକଳ୍ପ ଦେବାର ପ୍ରସ୍ତାବ ନୀତିଗତ ନିଷ୍ପତ୍ତି ସହ ଜଡିତ। ଏହା ପରେ ଏହି ମାମଲାକୁ ନଭେମ୍ବର ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Advertisment

ଫାଶୀ ବଦଳରେ ବିଷ ଇଞ୍ଜେକ୍ସନ ପ୍ରସ୍ତାବ

ଆବେଦନକାରୀ ଯୁକ୍ତି କରିଥିଲେ ଯେ, ବର୍ତ୍ତମାନର ଅଭ୍ୟାସରେ ଦୋଷୀକୁ ଦୀର୍ଘ ସମୟ ଧରି ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। ଏହାକୁ ବିଷ ଇଞ୍ଜେକ୍ସନ, ଫାୟାରିଂ ସ୍କ୍ୱାର୍ଡ, ବିଦ୍ୟୁତ୍ ଆଘାତ କିମ୍ବା ଗ୍ୟାସ୍ ଚାମ୍ବର ସହିତ ବଦଳାଯାଇପାରେ, ଯେଉଁଥିରେ ଜଣେ ବ୍ୟକ୍ତି କିଛି ମିନିଟ୍‌ରେ ମୃତ୍ୟୁବରଣ କରିପାରନ୍ତି। ଏହା ଫାଶୀ ଦ୍ୱାରା ମୃତ୍ୟୁର ସମ୍ପୂର୍ଣ୍ଣ ବିପରୀତ, ଯାହା ୪୦ ମିନିଟ୍ ସମୟ ନେଇପାରେ। ଏହା ମଧ୍ୟ ଦର୍ଶାଯାଇଛି ଯେ, ଆମେରିକାର ୫୦ଟି ରାଜ୍ୟ ମଧ୍ୟରୁ ୪୯ଟି ବିଷ ଇଞ୍ଜେକ୍ସନ ବ୍ୟବହାର କରୁଛନ୍ତି। ବିଶେଷ କରି କ୍ରିମିନାଲ ପ୍ରୋସିଜିଓର କୋଡ୍‌ର ଧାରା ୩୫୪ (୫)କୁ ଭେଦଭାବପୂର୍ଣ୍ଣ ଓ ସମ୍ବିଧାନର ଧାରା ୨୧ର ଉଲ୍ଲଂଘନ ତଥା ଜ୍ଞାନ କୌର ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟର ବିରୋଧାଭାସ ବୋଲି ଘୋଷଣା କରିବାକୁ ଆବେଦନରେ ଅନୁରୋଧ କରାଯାଇଛି। ଧାରା ୨୧ ଅନୁଯାୟୀ ସମ୍ମାନଜନକ ପ୍ରକ୍ରିୟା ଦ୍ୱାରା ମୃତ୍ୟୁର ଅଧିକାର ଏକ ମୌଳିକ ଅଧିକାର। ଫାଶୀ ଦ୍ୱାରା ମୃତ୍ୟୁଦଣ୍ଡକୁ ମଧ୍ୟ ବର୍ବର, ଅମାନୁଷିକ ଓ ନିଷ୍ଠୁର ଏବଂ ମିଳିତ ଜାତିସଂଘ ଦ୍ୱାରା ଗ୍ରହଣ କରାଯାଇଥିବା ସଂକଳ୍ପ ବିରୁଦ୍ଧରେ ବୋଲି ସମାଲୋଚନା କରାଯାଇଥିଲା। ମୃତ୍ୟୁଦଣ୍ଡ କ୍ଷେତ୍ରରେ ସର୍ବନିମ୍ନ ସମ୍ଭାବ୍ୟ ଯନ୍ତ୍ରଣା ଭୋଗିବାକୁ ସୁନିଶ୍ଚିତ କରାଯିବା ଉଚିତ ବୋଲି ଜାତିସଂଘ ସଂକଳ୍ପନାମାରେ କୁହାଯାଇଛି।