ଲକ୍‌ଡାଉନ୍‌କୁ ନେଇ ଚାଲିଛି ମାନସ ମନ୍ଥନ; ଅବଧି ନ ବଢ଼ାଇ ଦେଶକୁ ନାଲି, କମଳା ଓ ସବୁଜ ରଙ୍ଗରେ ବିଭକ୍ତ କରି ଜନଜୀବନକୁ ସ୍ୱାଭାବିକ କରିପାରନ୍ତି ସରକାର!

ନୂଆଦିଲ୍ଲୀ: ଦେଶରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ଯାହାର ଅବଧି ଆସନ୍ତା ୧୪ ତାରିଖ, ମଙ୍ଗଳବାର ମଧ୍ୟରାତ୍ରରେ ଶେଷ ହେଉଛି। ତେବେ, ସଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ଦେଶର ୧୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରସ୍ତାବ ଦେବା ସହ ଅନୁରୋଧ କରିଥିଲେ ଯେ ବର୍ତ୍ତମାନ ସମଗ୍ର ଦେଶରେ ଜାରିଥିବା ଲକ୍‌ଡାଉନ୍‌କୁ ଆହୁରି ୩ ସପ୍ତାହ ପାଇଁ ବଢ଼ାଇ ଦିଆଯାଉ। ଇତିମଧ୍ୟରେ ଓଡ଼ିଶା ସମେତ ଆହୁରି ବହୁ ରାଜ୍ୟ ସେମାନଙ୍କ ରାଜ୍ୟମାନଙ୍କରେ ଲକ୍‌ଡାଉନ ଅବଧିକୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ବଢ଼ାଇ ସାରିଛନ୍ତି।

ଅନ୍ୟପକ୍ଷରେ ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ଅନୁରୋଧ ପରିପ୍ରେକ୍ଷୀରେ ସମଗ୍ର ଦେଶରେ ଜାରିଥିବା ଲକ୍‌ଡାଉନ୍‌ ଅବଧିକୁ ୧୪ ତାରିଖ ପରେ ଆଉ ଅଧିକ ବଢ଼ାଯିବ କି ନାହିଁ ସେନେଇ କେନ୍ଦ୍ର ସରକାର ଏ ଯାବତ୍‌ କୌଣସି ସ୍ପଷ୍ଟ ଘୋଷଣା କରି ନାହାନ୍ତି। ଏକଥା ଅବଶ୍ୟ ସତ୍ୟ ଯେ ସମଗ୍ର ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା ହେବା ଦ୍ୱାରା ସାଧାରଣ ଜନଜୀବନ ଠପ୍‌ ହୋଇପଡ଼ିବା ସହ ଦେଶର ୯ଲକ୍ଷ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି।

Financial Express

ତେଣୁ, ଏପରିସ୍ଥିତିରେ କେନ୍ଦ୍ର ସରକାର ଅନ୍ୟ ବିକଳ୍ପ ଖୋଜୁଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଯାହା ଜାଣିବାକୁ ମିଳିଛି ସମଗ୍ର ଦେଶକୁ ଏବେ ତିନି ରଙ୍ଗରେ ବିଭକ୍ତ କରିବାକୁ ମନସ୍ଥ କରୁଛନ୍ତି କେନ୍ଦ୍ର ସରକାର। ଏହି ତିନିଟି ରଙ୍ଗ ହେଲା, ନାଲି, କମଳା ଓ ସବୁଜ। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶର ୪୦୦ ଜିଲ୍ଲାରେ କରୋନା ବା କୋଭିଡ୍‌ ସଂକ୍ରମଣ ହୋଇନାହିଁ। ତେଣୁ ଯେଉଁ ଜିଲ୍ଲାରେ ଆଦୌ କରୋନା ସଂକ୍ରମଣ ନାହିଁ ସେସବୁ ଜିଲ୍ଲାକୁ ସବୁଜ ରଙ୍ଗ ଅନ୍ତର୍ଗତ କରାଯିବ। ସେହିପରି ଯେଉଁ ଜିଲ୍ଲାରେ ୧୫ ବା ତା’ ଠାରୁ କମ୍‌ କରୋନା ଆକ୍ରାନ୍ତ ଥିବେ ସେ ଜିଲ୍ଲାକୁ କମଳା ରଙ୍ଗ ଭୁକ୍ତ କରାଯିବ। ଆଉ ଯେଉଁ ଜିଲ୍ଲାରେ ୧୫ରୁ ଅଧିକ କରୋନା ସଂକ୍ରମିତ ଥିବେ ସେ ଜିଲ୍ଲାକୁ ନାଲି ଜିଲ୍ଲା ରୂପେ ବିବେଚନା କରାଯିବ।

କାରଣ, ଗତ ମାର୍ଚ୍ଚ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କଲାବେଳେ କହିଥିଲେ, ‘ଜାନ୍‌ ହୈ ତୋ ଜାହାଁନ୍‌ ହୈ’। କିନ୍ତୁ, ଗତକାଲି ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଳୋଚନା ବେଳେ ପ୍ରଧାନମନ୍ତ୍ରୀ କହିଲେ, ‘ଜାନ୍‌ ଭି; ଜାହାଁନ ଭି୍‌’। ବର୍ତ୍ତମାନର ପରିସ୍ଥିତିରେ ନିମ୍ନଗାମୀ ହୋଇ ଚାଲିଥିବା ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ବିଶ୍ୱବ୍ୟାଙ୍କ୍‌ ଚିନ୍ତା ପ୍ରକଟ କରୁଥିବା ବେଳେ ଲକ୍‌ଡାଉନର ବିକଳ୍ପ ସନ୍ଧାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ତେଣୁ, ରଙ୍ଗ ଅନୁଯାୟୀ ଦେଶର ଜିଲ୍ଲାଗୁଡ଼ିକରେ ଏବେ ଜୀବନ ଧାରଣକୁ ସ୍ୱାଭାବିକ କରିବାକୁ କେନ୍ଦ୍ର ସରକାର ବିଚାର କରୁଥିବା ଆଲୋଚନା ଚାଲିଛି। ରଙ୍ଗ ଆଧାରରେ ସରକାର ନିଷ୍ପତ୍ତି ନେବେ କେଉଁ ଜିଲ୍ଲାରେ କିପରି ଲକ୍‌ଡାଉନ୍‌ ପାଳନ ହେବ।

ସମ୍ବନ୍ଧିତ ଖବର