୧୫ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ‘ୱାଇ+’ ସୁରକ୍ଷା ଯୋଗାଇ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ୧୫ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ‘ୱାଇ+’ ସୁରକ୍ଷା ଯୋଗାଇ ଦେଇଛନ୍ତି। ଏହି ବ୍ୟବସ୍ଥା ଅନୁସାରେ, ସଶସ୍ତ୍ର ‘ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ (ସିଆର୍‌ପିଏଫ୍‌) କର୍ମଚାରୀ ସେମାନଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ।

‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ରମେଶ ବୋର୍ଣ୍ଣାରେ, ମଙ୍ଗେଶ କୁଡ଼ାଲକର୍‌, ସଞ୍ଜୟ ଶାସ୍ତ୍ରୀ, ଲତାବାଈ ସୋନାୱାନେ, ପ୍ରକାଶ ସୁରୱେ, ସଦାନନ୍ଦ ସର୍ଣ୍ଣାବନକାର, ଯୋଗେଶ ଦାଦା କଦମ, ପ୍ରତାପ ସରନାଇକ, ଯାମିନି ଯାଦବ, ପ୍ରଦୀପ ଜୟସୱାଲ୍‌, ସଞ୍ଜୟ ରାଠୋର୍‌, ଦାଦାଜି ଭୁସେ, ଦିଲୀପ ଲାଣ୍ଡେ, ବାଲାଜି କଲ୍ୟାଣକର, ସନ୍ଦୀପନ ଭୂମାରେ ଆଦି ବିଧାୟକଙ୍କୁ ଉପରୋକ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି।। ଏହି ବିଧାୟକମାନେ ସମ୍ପ୍ରତି ଗୌହାଟୀସ୍ଥିତ ରେଡିସନ୍‌ ବ୍ଲୁ ହୋଟେଲ୍‌ରେ ଡେରା ପକାଇଥିବା ଏକନାଥ ସିନ୍ଦେଙ୍କ ପାଖରେ ଅଛନ୍ତି। ସି‌ନ୍ଦେଙ୍କର ସମସ୍ତ କ୍ୟାମ୍ପ୍‌ ଅଫିସ୍‌ରେ କଡ଼ା ନିରାପତ୍ତା ବ୍ୟବସ୍ଥା ମୁତୟନ କରାଯାଇଛି।

Image Courtesy of ANI

ବିଦ୍ରୋହୀ ବିଧାୟକମାନଙ୍କ ପରିବାରବର୍ଗଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରାଯାଇଛି ବୋଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଗୃହମନ୍ତ୍ରୀ ଦିଲୀପ ୱାଲ୍‌ସେ, ଡିଜିପି ରଜନୀଶ ସେଠ୍‌ ଏବଂ ଅନ୍ୟାମାନଙ୍କୁ ଏକନାଥ ସିନ୍ଦେ ଅଭିଯୋଗ ପତ୍ର ଲେଖିବାର ଦିନକ ପରେ କେନ୍ଦ୍ର ସରକାର ଉପରୋକ୍ତ ବ୍ୟବସ୍ଥା କରିଛନ୍ତି। କିନ୍ତୁ, ଏହି ଅଭିଯୋଗକୁ ମହା ବିକାଶ ଅଘାଡ଼ି ସରକାର ଖଣ୍ଡନ କରିଛନ୍ତି।

ସେପଟେ ଏକନାଥ ସିନ୍ଦେ ଗୌହାଟୀ ହୋଟେଲ୍‌ରେ ବୈଠକ ଆରମ୍ଭ କରିଥିବା ବେଳେ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଶିବସେନା ସମର୍ଥକମାନେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

ତେଣେ, ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ସମର୍ଥକମାନେ କହିଛନ୍ତି, ଯେଉଁମାନେ ଦଳ ପରିତ୍ୟାଗ କରିଛନ୍ତି, ସେମାନେ ବିଶ୍ବାସଘାତକ। ସେମାନେ ଶିବ ସୈନିକ ନୁହନ୍ତି। ଆମେ ସେମାନଙ୍କୁ ଶିବ ପ୍ରସାଦ ଦେବୁ।

ଏହାଛଡ଼ା, ପୁଣେରେ ଶିବସେନା କର୍ମୀମାନେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ‘ଜୁତେ ମାରୋ ଆନ୍ଦୋଳନ’ ଚଳାଇଛନ୍ତି।

କୋଭିଡ୍‌-୧୯ରୁ ସୁସ୍ଥ ହେବା ପରେ ଆଜି ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ କହିଛନ୍ତି, ୪ ଦିନ ପରେ ଡାକ୍ତରଖାନାରୁ ବିଦା ହେଲି। ଏବେ ମୁଁ ପୂରା ଭଲ ଅଛି। କିନ୍ତୁ, ୨ ଦିନ ବିଶ୍ରାମ ନେବା ପାଇଁ କୁହାଯାଇଛି। ସମସ୍ତ ଶୁଭାକାଙ୍‌କ୍ଷୀମାନଙ୍କୁ ଧନ୍ୟବାଦ।

ସମ୍ବନ୍ଧିତ ଖବର