କେନ୍ଦ୍ରର ମହାନଦୀ ଚକ୍ରାନ୍ତ

ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ମନାକଲା

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ପ୍ରସଙ୍ଗରେ ଓଡ଼ିଶାକୁ ଜବରଦସ୍ତ ଧକ୍‌କା ଦେଇଛି କେନ୍ଦ୍ର। ଗତକାଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ମହାନଦୀ ଜଳବିବାଦ ଘଟଣାରେ ଟ୍ରିବ୍ୟୁନାଲ ଗଠନକୁ ଶେଷରେ ଏଡ଼ାଇଯାଇଛି। ଯୁକ୍ତି ରଖିଛି, ଆନ୍ତଃରାଜ୍ୟ ଜଳ ବିବାଦ ଆଇନ୍‌ରେ ବୁଝାମଣା ଜରିଆରେ ବିବାଦର ସମାଧାନ ବ୍ୟବସ୍ଥା ରହିଛି। ଏମିତିରେ ବି ଟ୍ରିବ୍ୟୁନାଲ ଗଠନ କୌଣସି ଫଳପ୍ରଦ ହେବ ନାହିଁ। ମାମଲାର ସମାଧାନ ବୁଝାମଣା ଜରିଆରେ ତଥା ୧୯୮୩ର ମେମୋରାଣ୍ଡମ୍‌ ଅଫ୍‌ ଏଗ୍ରିମେଣ୍ଟ୍‌ ଅନ୍ତର୍ଗତ ଯୁଗ୍ନ ନିୟନ୍ତ୍ରଣ ବୋର୍ଡ ଗଠନ ଜରିଆରେ କରାଯିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏହାସହିତ ରାଜ୍ୟ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟରେ ମହାନଦୀ ଜଳ ବିବାଦକୁ ନେଇ ଯେଉଁ ମୂଳ ଆବେଦନ ଦାଖଲ କରାଯାଇଛି ତାହାକୁ ଜରିମାନା ସହ ଖାରଜ୍‌ କରିଦିଆଯାଉ ବୋଲି ମଧ୍ୟ କେନ୍ଦ୍ର ପ୍ରାର୍ଥନା କରିଛି।

ମହାନଦୀ ପ୍ରସଙ୍ଗରେ ଆରମ୍ଭରୁ କେନ୍ଦ୍ରୀୟ ଅବହେଳାର ଅଭିଯୋଗ କରିଆସିଛି ରାଜ୍ୟ। ଛତିଶଗଡ଼ ସରକାରକୁ କେନ୍ଦ୍ର ସୁରକ୍ଷା ଦେଉଥିବା ନେଇ ମଧ୍ୟ ସରକାର କହି ଆସିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ସତ୍ୟପାଠ ସରକାରଙ୍କ ଅଭିଯୋଗକୁ ଅନେକାଂଶରେ ପ୍ରମାଣିତ କରିଛି। ତେବେ ଏହି ସତ୍ୟପାଠକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ କିନ୍ତୁ ଭିନ୍ନ ଦୃଷ୍ଟିରେ ଚିତ୍ରଣ କରାଯାଇଛି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଆରମ୍ଭରୁ ଏଥିପାଇଁ ଅସହଯୋଗ କରିଆସିଛି। ତାର କାରଣ ହେଉଛି, ଓଡ଼ିଶା ଅପେକ୍ଷା ଛତିଶଗଡ଼ର ଗୁରୁତ୍ୱ ସେମାନଙ୍କ ପାଖରେ ଅଧିକ। ସେଠାରେ ବିଜେପି ସରକାର ଅଛି। ଯେତେସବୁ ପ୍ରକଳ୍ପ କରାଯାଇଛି, ସେସବୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ସରକାର ହିଁ କରିଛନ୍ତି। ଏଣୁ ପ୍ରକଳ୍ପ ବନ୍ଦ କରିବା ଲାଗି କେନ୍ଦ୍ର
ପଦକ୍ଷେପ ନେଲେ ତାହା ସଂପୃକ୍ତ ରାଜ୍ୟର ବିଜେପି ସରକାର ପାଇଁ ବୁମେରାଂ ହୋଇପାରେ। ଆସନ୍ତା ଅଗଷ୍ଟ ମାସ ବେଳକୁ ଛତିଶଗଡ଼ ବିଧାନସଭା ନିର୍ବାଚନ ହୋଇପାରେ। ମହାନଦୀ ଓଡ଼ିଶା ପାଇଁ ଯେମିତି ଗୁରୁତ୍ୱପୂର୍ଣ୍ଣ, ଛତିଶଗଡ଼ ପାଇଁ ବି। ଏଣୁ କିଛି ବି ନିଷ୍ପତ୍ତି ଛତିଶଗଡ଼ ସରକାର ବିରୋଧରେ ଗଲେ, ଓଡ଼ିଶା ସରକାରକୁ ଲାଭ ମିଳିପାରେ, କିନ୍ତୁ ଛତିଶଗଡ଼ରେ ସରକାରୀ ଦଳକୁ ବହୁ ମୂଲ୍ୟ ଦେବାକୁ ପଡିବ। ଏଣୁ କେନ୍ଦ୍ର ଏହି ପ୍ରସଙ୍ଗକୁ ଆରମ୍ଭରୁ ଏମିତି ଦିଗରେ ଟାଣୁଛି, ଯେଉଁଠି ଛତିଶଗ଼ଡ଼ ସ୍ୱାର୍ଥ ସୁରକ୍ଷିତ ରହିବ, ତେଣିକି ଓଡ଼ିଶା ସ୍ୱାର୍ଥ ପଛେ ଚୁଲିକୁ ଯାଉ।

ଉଲ୍ଲେଖଯୋଗ୍ୟ, ସତ୍ୟପାଠରେ ଟ୍ରିବ୍ୟୁନାଲ ଗଠନ ନକରିବା ସପକ୍ଷରେ ଯୁକ୍ତି ଅପେକ୍ଷା ଓଡ଼ିଶା ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଠିଆ କରିଛି କେନ୍ଦ୍ର। ଓଡ଼ିିଶାକୁ ମିଛୁଆ ବୋଲି ପ୍ରମାଣିତ କରିବାକୁ ଉଦ୍ୟମ କରାଯାଇଛି ଓ ରାଜ୍ୟ ସରକାର ଅସହଯୋଗ କରୁଛନ୍ତି ବୋଲି କେନ୍ଦ୍ର ଉଲ୍ଲେ୍‌ଖ କରିଛି। କୁହାଯାଇଛି, କେନ୍ଦ୍ର ସରକାର ବିବାଦ ସମାଧାନ ପାଇଁ ଅତ୍ୟନ୍ତ ନିଷ୍ଠାପର ଉଦ୍ୟମ କରିଥିଲେ ହେଁ ଓଡ଼ିଶା ସବୁବେଳେ ନିରାଶ କରିଥିଲା। ପ୍ରତ୍ୟେକ ବୈଠକର ନିଷ୍ପତ୍ତିକୁ ଓଡ଼ିଶା ବେଖାତିର୍‌ କରିଆସିଛି ଓ ସମ୍ମାନ ଦେଇନାହିଁ। ଓଡ଼ିଶା ସରକାର ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ତଥ୍ୟ ଉପରେ ଆଧାରିତ ନୁହେଁ। ଅଭିଯୋଗ ସପକ୍ଷରେ ତଥ୍ୟ ପ୍ରମାଣ କିଛି ବି ଦିଆଯାଇନାହିଁ। ଏପରିକି ଓଡ଼ିଶାର ଅଧିକାର ପ୍ରଭାବିତ ହୋଇଛି ବୋଲି ଯେଉଁ ଅଭିଯୋଗ ଅଣାଯାଇଛି, ସେ ସଂକ୍ରାନ୍ତରେ ବି ପ୍ରମାଣ ଦିଆଯାଇନାହିଁ।

ଏହାଛଡ଼ା ସମ୍ବିଧାନର ଧାରା ୨୬୨ (୧୧) ଅନୁସାରେ ଜଳବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାର କ୍ଷମତା ସୁପ୍ରିମକୋର୍ଟଙ୍କର ନାହିଁ ବୋଲି ସୂଚାଇ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ସମ୍ଭାବନାକୁ ସମ୍ପୂର୍ଣ୍ଣ ଉଡ଼ାଇଦେବାକୁ ଉଦ୍ୟମ କରିଛନ୍ତି। ଚଳିତମାସ ଦ୍ୱିତୀୟ ସପ୍ତାହରେ ମହାନଦୀ ଜଳବିବାଦ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। କେନ୍ଦ୍ର ସରକାରଙ୍କ ଏଭଳି ଅଭିଯୋଗ ଉପରେ ଉଭୟ ରାଜ୍ୟ ସରକାର ଓ ସୁପ୍ରିମକୋର୍ଟ କିଭଳି ଆଭିମୁଖ୍ୟ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

କେନ୍ଦ୍ର ସରକାର ସତ୍ୟପାଠରେ ଅତିରିକ୍ତ ନିବେଦନ କରି ଦର୍ଶାଇଛନ୍ତି, ସବୁ ଜଳ ବିବାଦର ସମାଧାନ ପାଇଁ ନୂତନ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ (ସଂଶୋଧନ) ଆଇନ୍‌ ୨୦୧୭ ବିଲକୁ ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ସଂସଦରେ ଆଗତ କରାଯାଇଛି। ବିଭିନ୍ନ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ଜଳ ବିବାଦର ସମାଧାନ ପାଇଁ ଏକାଧିକ ଟ୍ରିବ୍ୟୁନାଲ ପରିବର୍ତ୍ତେ ଗୋଟିଏ ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ଲାଗି ଏହି ବିଲ୍‌ରେ ପ୍ରସ୍ତାବ ରହିଛି। ପ୍ରସ୍ତାବିତ ସ୍ଥାୟୀ ଟ୍ରିବ୍ୟୁନାଲ୍‌ରେ ଡିସ୍‌ପୁଟ ରିଜୋଲ୍ୟୁସନ କମିଟି (ଡିଆର୍‌ସି) ବା ବିବାଦ ସମାଧାନ କମିଟି ଗଠନ କରାଯିବାର ବ୍ୟବସ୍ଥା ରହିଛି। ଯେଉଁଥିରେ ଆପୋସ ବୁଝାମଣା ଜରିଆରେ ଆନ୍ତଃରାଜ୍ୟ ଜଳ ବିବାଦ ସମାଧାନ କରାଯିବ। ଟ୍ରିବ୍ୟୁନାଲକୁ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ବିଚାର ପାଇଁ ଆସିବା ପୂର୍ବରୁ ଡିସ୍‌ପୁଟ ରିଜୋଲ୍ୟୁସନ କମିଟିରେ ଏହି ପ୍ରସଙ୍ଗ ସମାଧାନ ପାଇଁ ଉଦ୍ୟମ କରାଯିବ। ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞଙ୍କୁ ନେଇ କେନ୍ଦ୍ର ସରକାର ଏହି କମିଟି ଗଠନ କରିବେ। କଥାବାର୍ତ୍ତା ମାଧ୍ୟମରେ କମିଟି ବିବାଦର ସମାଧାନ ନହେଲେ ତାହାକୁ ଟ୍ରିବ୍ୟୁନାଲକୁ ପଠାଯିବ। ଟ୍ରିବ୍ୟୁନାଲର ଅଧ୍ୟକ୍ଷଙ୍କ ଦ୍ୱାରା ବିବାଦ ସମାଧାନ ପାଇଁ ମାମଲାକୁ ବେଞ୍ଚ୍‌ ନିକଟକୁ ପଠାଯିବ। ଟ୍ରିବ୍ୟୁନାଲ ବେଞ୍ଚ୍‌ କେନ୍ଦ୍ର ସରକାରଙ୍କୁ ଦୁଇ ବର୍ଷ ଭିତରେ ବିସ୍ତତ ରିପୋର୍ଟ ପ୍ରଦାନ କରିବେ। ଆବଶ୍ୟକ ଅନୁସାରେ ସମୟ ସୀମାକୁ ଏକ ବର୍ଷ ମଧ୍ୟ ବୃଦ୍ଧି କରାଯାଇପାରିବ। ଟ୍ରିବ୍ୟୁନାଲର ବେଞ୍ଚ୍‌ ତାଙ୍କ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ବର୍ଷ ଭିତରେ ଦାଖଲ କରିବେ।

ସବୁ ଜଳ ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆଇନ୍‌ରେ ସଂଶୋଧନ ବିଲ୍‌ ସଂସଦରେ ଗୃହୀତ ହେଲେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନର ଆଶା ମଉଳିବା ଏକ ପ୍ରକାର ନିଶ୍ଚିତ ବୋଲି ଅନୁମାନ କରାଯାଉଛି।

୫ଘଣ୍ଟା ଆଲୋଚନା, ଫଳ ଶୂନ

ଭୁବନେଶ୍ୱର : ମହାନଦୀ ମହାବିବାଦ ନେଇ ଦୀର୍ଘ ୫ ଘଣ୍ଟା ଧରି ଆଲୋଚନା ହେଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସର୍ବଦଳୀୟ ବୈଠକ ଲାଗି ଆହ୍ଵାନ ଦେଇଥିଲେ। ସମସ୍ତେ ଏକ ହୋଇ ଲଢିବା ଲାଗି ବିଜେପି ନେତା କନକ ବର୍ଧନ ସିଂହଦେଓ ପ୍ରସ୍ତାବ ଦେଲେ। ହେଲେ ସରକାରଙ୍କ ପକ୍ଷରୁ କିନ୍ତୁ ଏମିତି କିଛି କରାଗଲାନି। କିମ୍ବା ବିରୋଧୀଙ୍କୁ ବିଶ୍ୱାସକୁ ନେଇ ମହାନଦୀ ପ୍ରସଙ୍ଗରେ ଠୋସ୍‌ କିଛି ପଦକ୍ଷେପ ନେବା ଲାଗି ସରକାର ଆଗ୍ରହ ଦେଖାଇଲେ ନାହିଁ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହ କମିଟି ଗଠନ ପାଇଁ ପ୍ରସ୍ତାବ ଦେଲେ। ଏହାକୁ ସମର୍ଥନ କରିଥିଲେ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ। ହେଲେ ଏ ନେଇ ସଂକଳ୍ପ ଆସିଲାନି କି ଗୃହ ଠୋସ୍‌ ନିଷ୍କର୍ଷରେ ପହଞ୍ଚିପାରିଲା ନାହିଁ। ଏମିତି ଭାବେ ମହାନଦୀ ଆଲୋଚନାର ଆଜି ପରିସମାପ୍ତି ଘଟିଛି।

‘ଓଡ଼ିଶାର ଜୀବନରେଖା ମହାନଦୀର ଅବବାହିକା ଅଞ୍ଚଳରେ ଜଳପ୍ରବାହ ବାଧାପ୍ରାପ୍ତ ହୋଇଥିବାରୁ ଜନଜୀବନ ପ୍ରଭାବିତ ହେବା ଓ ତତ୍‌ଜନିତ ସମସ୍ୟାରେ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିବା’ ଶୀର୍ଷକରେ ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ସରକାରଙ୍କ ପକ୍ଷରୁ ମୋସନ ଆଣିଥିଲେ। ଆଲୋଚନା ଆରମ୍ଭ କରି ଶ୍ରୀ ଶତପଥୀ କହିଥିଲେ, ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବେଆଇନ ଓ ଏକତରଫା ଭାବେ ଏକାଧିକ ପ୍ରକଳ୍ପ ନିର୍ମାଣ କରିବା ପରିପ୍ରେକ୍ଷୀରେ ନିମ୍ନ ଅବବାହିକାରେ ଏବେ ଗୁରୁତର ଜଳସଙ୍କଟ ସୃଷ୍ଟି ହେଲାଣି। ନାଁକୁ ବ୍ୟାରେଜ ବୋଲି କୁହାଗଲା। ସମସ୍ତଙ୍କୁ ଜଣାଇଲେ ଯେ କ୍ଷୁଦ୍ର ପ୍ରକଳ୍ପ ହେବ, କିନ୍ତୁ ଓଲଟା ହେଲା। ୮ଟି ବୃହତ୍‌, ୨୯ଟି ମଧ୍ୟମ ଜଳସେଚନ ପ୍ରକଳ୍ପ କରାଯାଇଛି। କୌଣସି ବୈଧାନିକ ଅନୁମତି ନିଆଯାଇନାହିଁ। ବିନା ମଞ୍ଜୁରିରେ ଏତେ ସବୁ ପ୍ରକଳ୍ପ ହୋଇଥିଲେ ହେଁ କେନ୍ଦ୍ର ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ।

ଆଲୋଚନାରେ ଭାଗ ନେଇ ଶାସକ ଦଳର ଅଧିକାଂଶ ବିଧାୟକ ମହାନଦୀ ପ୍ରସଙ୍ଗରେ ବିଜେପିକୁ ଦୋଷାରୋପ କରିଥିଲେ। କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ କହିଥିଲେ ଯେ ବିଧାନସଭା କେଉଁ ଦଳର ନୁହେଁ, ରାଜ୍ୟବାସୀଙ୍କର। ଆଜି ମହାନଦୀକୁ ନେଇ ଗୁରୁତର ସମସ୍ୟା ଉପୁଜିଛି। ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଦଳର ସଦସ୍ୟଙ୍କୁ ସେ ଅନୁରୋଧ କରିଥିଲେ। ବିଧାୟକ ସଂଜୟ କୁମାର ଦାସବର୍ମା କହିଥିଲେ, କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଟ୍ରିବ୍ୟୁନାଲ୍‌ ଗଠନ ନେଇ ଯେଉଁ ସତ୍ୟପାଠ କରିଛନ୍ତି ସେଥିରୁ ବିଜେପି ସରକାରଙ୍କ ଆଭିମୁଖ୍ୟ ଜଳ ଜଳ ଦେଖାଯାଉଛି। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦେବୀପ୍ରସାଦ ମିଶ୍ର, ବେଦପ୍ରକାଶ ଅଗ୍ରଓ୍ଵାଲ୍‌, ଅତନୁ ସବ୍ୟସାଚୀ ନାୟକ, ସମୀର ରଞ୍ଜନ ଦାଶ, ପଦ୍ମନାଭ ବେହେରା, ସଞ୍ଜୀବ ସାହୁ, ଡା. ରାସେଶ୍ୱରୀ ପାଣିଗ୍ରାହୀ ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ଭାଗ ନେଇଥିଲେ।

ମହାନଦୀ ମହାବିବାଦକୁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ଅଭିହିତ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଏ ନେଇ ସେ ଅନେକ ଉଦ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସର୍ବଦଳୀୟ ବୈଠକ କଥା କହିଥିଲେ। ଚିଠି ପ୍ରାପ୍ତିର ନକଲ ବି ମିଳିଲାନି। ପରେ ସେ ଡାକିଥିବା ସର୍ବଦଳୀୟ ବୈଠକରେ ସମସ୍ତେ ଯୋଗଦେଲେ, ବିଜେଡି ଦୂରେଇ ରହିଲା। ବିରୋଧୀ ଦଳର ସହଯୋଗ ଦରକାର ନାହିଁ, ରାଜ୍ୟ ସ୍ୱାର୍ଥ ପାଇଁ ସରକାର ସକ୍ଷମ ବୋଲି ଦମ୍ଭ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ। କୁଆଡ଼େ ଗଲା। କଂଗ୍ରେସ ବିଧାୟକମାନେ ଏ ନେଇ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ସ୍ମାରକପତ୍ର ସରକାରଙ୍କୁ ପଠାଯାଇଥିଲା। ତା ଉପରେ କେନ୍ଦ୍ରୀୟ ଜଳ ଆୟୋଗକୁ ରିପୋର୍ଟ ମଗାଯାଇଥିଲା। ମାତ୍ର ତା ପରେ କେନ୍ଦ୍ର ସରକାର ଶୋଇଗଲେ। ସେପଟେ ଛତିଶଗଡ଼ ସରକାର ୬ଟି ବୃହତ୍‌ ପ୍ରକଳ୍ପକୁ କମ୍ପାନି ହାତକୁ ଟେକି ଦେଇଛନ୍ତି। ଏସବୁ ସେମାନଙ୍କ ନିୟନ୍ତ୍ରଣରେ ରହିଛି। ଚାଷୀର ସ୍ୱାର୍ଥ ପରିପନ୍ଥୀ ଏହି ପ୍ରକଳ୍ପ।

ରାଜ୍ୟ ସରକାର ମହାନଦୀକୁ କିଭଳି ବିପଦକୁ ଠେଲି ଦେଇଛନ୍ତି, ସେ ନେଇ ବିରୋଧୀ ଦଳ ନେତା ୨୦୦୦ ମସିହାର ଉଦାହରଣ ଦେଇଥିଲେ। ବାରମ୍ବାର ଜଣାଇବା ପରେ ବି ସରକାର ବିପଦ ନାହିଁ ବୋଲି ଯେଉଁ ଦୃଢୋକ୍ତି ପ୍ରକାଶ କରିଥିଲେ, ସେ ନେଇ ତୀବ୍ର ଅସନ୍ତୋଷ ଜାହିର କରିଥିଲେ।

ବିରୋଧୀ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ବିଧାୟକ ନବକିଶୋର ଦାସ, ଡା. ପ୍ରଫୁଲ ମାଝୀ ପ୍ରମୁଖ ଆଲୋଚନାରେ ଭାଗନେଇ ଦୀର୍ଘ ୧୮ ବର୍ଷର ମହାନଦୀ ଉପରେ ସରକାର କୌଣସି ଯୋଜନା କରିନଥିବା ନେଇ ପ୍ରଶ୍ନ ଉଠାଇଥିଲେ। ବୈଧାନିକ ପ୍ରଶ୍ନ ଛଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ମହାନଦୀ ଉପରେ ଟିକରପଡ଼ା ବନ୍ଧ ନିର୍ମାଣ, ମଣିଭଦ୍ରା ଏପରିକି ସୁବଳୟା ବନ୍ଧ ପ୍ରସ୍ତାବ କଂଗ୍ରେସ ସରକାର ଆଣିଥିଲେ। ସରକାର କେଉଁ କାରଣ ପାଇଁ ସିଣ୍ଢୋଳ ବ୍ୟାରେଜ୍‌ ନିର୍ମାଣ ପ୍ରସ୍ତାବକୁ ବାତିଲ କଲେ ବୋଲି ସେ ପଚାରିଥିଲେ।

ବିଜେପି ବିଧାୟକ ବସନ୍ତ କୁମାର ପଣ୍ଡା ଜଳସେଚନ କ୍ଷେତ୍ରରେ ସରକାରଙ୍କ ଅପାରଗତାର ଲମ୍ବା ତାଲିକା ଉପସ୍ଥାପନ କରିଥିଲେ। ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ ଯେ ଆଜିପର୍ଯ୍ୟନ୍ତ ସରକାର ମହାନଦୀ ସଂପର୍କରେ ତଥ୍ୟ ଓ ଶ୍ୱେତପତ୍ର ଦେଇପାରିଲେନି। ଛତିଶଗଡ଼ରେ ମହାନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ ହେଉଥିବା ବେଳେ ରାଜ୍ୟ ସରକାର କାହିଁକି ନିରବ ରହିଥିଲେ ବୋଲି ସେ ପଚାରିଥିଲେ। ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କଂଗ୍ରେସ ଦଳକୁ ସମାଲୋଚନା କରି କହିଲେ ଯେ ୨୦୦୩ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ ଦଳ କ୍ଷମତାରେ ଥିଲା। ସେତେବେଳେ କାହିଁକି ଛତିଶଗଡ଼ରେ ବ୍ୟାରେଜ୍‌ ନିର୍ମାଣକୁ ବିରୋଧ କରିନଥିଲା? ତେବେ ନିଜ ନିଜ ମଧ୍ୟରେ କାଦୁଅଫିଙ୍ଗା ଛାଡ଼ି ମହାନଦୀ ପ୍ରସଙ୍ଗରେ ରାଜ୍ୟବାସୀଙ୍କ ଆମ ମଧ୍ୟରେ ଏକତାକୁ ପ୍ରଦର୍ଶନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ବିଧାୟକ ରବି ନାୟକ ମୁଖ୍ୟମନ୍ତ୍ରୀ ବାରମ୍ବାର ଭୁଲ ତଥ୍ୟ ଦେଉଥିବା ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର