ପଞ୍ଚାୟତଗୁଡ଼ିକ ଲାଗି ୨୮ଟି ରାଜ୍ୟକୁ ୧୫୧୮୭ କୋଟି ପ୍ରଦାନ କଲା କେନ୍ଦ୍ର, ଓଡ଼ିଶା ପାଇବ ୫୬୪ କୋଟି

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଶର ଗ୍ରାମାଞ୍ଚଳ ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଛି । ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ସକ୍ରିୟ କରିବାକୁ ପଞ୍ଚାୟତଗୁଡ଼ିକୁ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ମୋଟ ୧୫୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
୧୫ତମ ଅର୍ଥ ଆୟୋଗର ସୁପାରିଶ କ୍ରମେ ୨୦୨୦-୨୧ ପାଇଁ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଅନୁଦାନର ପ୍ରଥମ କିସ୍ତି ବାବଦରେ ଏହି ରାଶି ପ୍ରଦାନ କରାଯାଇଛି । ଏହା ମଧ୍ୟରୁ ଓଡ଼ିଶା ଲାଗି ୫୬୪ କୋଟି ଟଙ୍କା ମଂଜୁର କରାଯାଇଛି । ଉତ୍ତରପ୍ରଦେଶକୁ ସର୍ବାଧିକ ୨୪୩୮ କୋଟି ଟଙ୍କା ଓ ଗୋଆକୁ ସର୍ବନିମ୍ନ ୧୮ କୋଟି ଟଙ୍କା ମଂଜୁର କରାଯାଇଛି । ପଞ୍ଚାୟତଗୁଡ଼ିକ ଏହି ରାଶିକୁ କରୋନା ମୁକାବିଲା ଓ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି, ସ୍ଥାନୀୟ ଅଂଚଳର ଆବଶ୍ୟକତା ଅନୁସାରେ ବିକାଶ ପାଇଁ ଉପଯୋଗ କରିପାରିବେ ।

ରାଜ୍ୟ ଅର୍ଥ ବିଭାଗଗୁଡ଼ିକ ଏହି ରାଶି ପାଇବାର ୧୦ ଦିନ ମଧ୍ୟରେ ଏହି ଅନୁଦାନକୁ ପଞ୍ଚାୟତଗୁଡ଼ିକୁ ପ୍ରଦାନ କରିବେ । ୧୦ଦିନରୁ ବିଳମ୍ବ ହେଲେ ସୁଧ ସମେତ ଏହି ଅର୍ଥ ପ୍ରଦାନ କରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନ୍ତର୍ଗତ ବିନିଯୋଗ ବିଭାଗ (ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚର) ପକ୍ଷରୁ କୁହାଯାଇଛି । ଗତ ମାସରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଜିଏସଟି କ୍ଷତିପୂରଣ ରାଶି ରାଜ୍ୟମାନଙ୍କୁ ଜାରି କରିଥିଲେ ।

ସମ୍ବନ୍ଧିତ ଖବର