ସିବିଆଇ ପାଇଁ ଅଲୋଡ଼ା ହେଲେ ଆଇପିଏସ୍‌ ଅଧିକାରୀ: ଅତିରିକ୍ତ ନିର୍ଦ୍ଦେଶକ ପଦରୁ ବିଦା ହେଲେ ଏମ୍‌. ନାଗେଶ୍ୱର ରାଓ

ନୂଆଦିଲ୍ଲୀ: ଛଅ ମାସ ତଳେ ମୋଦୀ ସରକାରର ପ୍ରିୟ ଅଫିସର ଥିଲେ। ହେଲେ ଛଅ ମାସ ପରେ ଅଲୋଡା ହୋଇପଡିଲେ ଆଇପିଏସ ନାଗେଶ୍ୱର ରାଓ। ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ପଦରୁ ହଟାଇ ନାଗେଶ୍ୱର ରାଓଙ୍କୁ ଅଗ୍ନିଶମ, ସିଭିଲ୍‌ ଡିଫେନ୍‌ସ ଓ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ସିବିଆଇର ଟପ ଅଫିସରଙ୍କ ଭିତରେ ବିବାଦ ପରେ ଓଡ଼ିଶା କ୍ୟାଡରର ଏହି ଆଇପିଏସଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ମୋଦୀ ସରକାର। ହେଲେ ସାପ ଶିଡ଼ି ଖେଳ ଭଳି ଛଅ ମାସ ଭିତରେ ବଦଳିଗଲା ନାଗେଶ୍ୱରଙ୍କ ଭାଗ୍ୟ। ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାରୁ ହଟାଇ ତାଙ୍କୁ ହୋମ ଗାର୍ଡ ଡିଜି ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର।

ଜାନୁଆରୀ ମାସରେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ କରିଥିଲେ କେନ୍ଦ୍ର ସରକାର, ମାତ୍ର ଛଅ ମାସ ପରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପଦରୁ ଏମ୍‌ ନାଗେଶ୍ୱର ରାଓଙ୍କୁ ହଟାଇ ଦେଲେ ସରକାର। ୧୯୮୬ ବ୍ୟାଚର ଏହି ଓଡ଼ିଶା କ୍ୟାଡର ଆଇପିଏସଙ୍କୁ ମିଳିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ଅଗ୍ନିଶମ, ସିଭିଲ୍‌ ଡିଫେନ୍‌ସ ଓ ହୋମଗାର୍ଡ ଡିଜିର ଦାୟିତ୍ୱ। ଯେଉଁଭଳି ଭାବେ ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇ ଅଗ୍ନଶମ ବିଭାଗ ଡିଜି କରାଯାଇଥିଲା, ସେହିଭଳି ଭାବେ ହୋଇଛି ନାଗେଶ୍ୱରଙ୍କ କ୍ୟାରିୟର। ତେବେ ଏମ୍‌ ନାଗେଶ୍ୱର ରାଓ ଥିଲେ ସିବିଆଇର ଅନ୍ୟତମ ପ୍ରଭାବଶାଳୀ ଅଫିସର। ଆଉ ତାଙ୍କ ପଛରେ ଥିଲା ମୋଦୀ ସରକାରଙ୍କ ସମର୍ଥନ। ତାଙ୍କର କ୍ୟାରିୟର ଯେମିତି ଆଗକୁ ଗତି କରୁଥିଲା, ସେହିପରି ଅନେକ ବିବାଦ ମଧ୍ୟ ତାଙ୍କର ପିଛା କରୁଥିଲା। ଜଣେ ବିବାଦୀୟ ଅଧିକାରୀଙ୍କୁ କିଭଳି ସିବିଆଇର ପଦସ୍ଥ ଅଧିକାରୀ କରାଯାଇଥିଲା ପ୍ରଶ୍ନ ଉଠିଛି।

ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଓ ତାଙ୍କ ଡେପୁଟି ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେବା ପରେ ତିନି ଜଣ ସିନିୟର ଅଫିସରଙ୍କୁ ଅଣଦେଖା କରି ଏମ୍‌ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ ମୋଦୀ ସରକାର। ଦୁଇ ଦୁଇ ଥର ଅନ୍ତରୀଣ ନିର୍ଦ୍ଦେଶକ ହୋଇ ସିବିଆଇର ସର୍ବେସର୍ବା ବନିଥିଲେ ଏହି ବରିଷ୍ଠ ପୋଲିସ ଅଧିକାରୀ। ତେବେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ନାଗେଶ୍ୱର ହୋଇଛନ୍ତିି ସିବିଆଇ ପାଇଁ ଅଲୋଡ଼ା।

ବିହାର ମୁଜାଫରପୁର ସେଲଟର ହୋମରେ ହୋଇଥିବା ଯୌନ ର୍ନିଯାତନାର ତଦନ୍ତ କରୁଥିବା ଅଧିକାରୀଙ୍କୁ ହଟାଇବା ଘଟଣାରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ। ନାଗେଶ୍ୱର ରାଓଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରାଯାଇଥିଲା। ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ବି ଏମ୍‌ ନାଗେଶ୍ୱର ରାଓ ଓ ଅନ୍ୟଜଣେ ଅଫିସରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଥିଲେ ସୁପ୍ରିମକୋର୍ଟ। ସେହିପରି ଶାରଦା ଚିଟ୍‌ ଫଣ୍ଡ ମାମଲାର ତଦନ୍ତରେ ତାଙ୍କର ଭୂମିକା ନେଇ କଡ଼ା ସମାଲୋଚନା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ସମ୍ବନ୍ଧିତ ଖବର