କେରଳ ଗୃହ ବ୍ୟାପାର ମନ୍ତ୍ରାଳୟର ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କରିଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାଜ୍ୟର କେତେକ ଅଞ୍ଚଳରେ ରୋସ୍ତୋରାଁ ଖୋଲିବା, ସ୍ବଳ ଦୂରକୁ ବସ୍ ଚଳାଚଳ କରିବା ଭଳି ବିଭିନ୍ନ କାର୍ଯ୍ୟକଳାପ ଚାଲୁ କରିବାକୁ ଅନୁମତି ଦେଇ କେରଳ ସରକାର ଗୃହ ବ୍ୟାପାର ମନ୍ତ୍ରାଳୟର ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ କରିଛନ୍ତି ବୋଲି କେନ୍ଦ୍ର ସରକାର ଅଭିଯୋଗ କରିଛନ୍ତି।

ଏହି ମର୍ମରେ କେନ୍ଦ୍ର ସରକାର କେରଳର ପିନରାୟି ବିଜୟନ୍ ସରକାରଙ୍କୁ ଲେଖିଥିବା ଏକ ପତ୍ରରେ ଉଲ୍ଲେଖ ଅଛି ଯେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅଧୀନରେ ଏପ୍ରିଲ୍ ୧୫ ତାରିଖ ଦିନ ଗୃହ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ମାର୍ଗଦର୍ଶିକା ଏବଂ ଆଦେଶକୁ କଠୋର ଭାବେ ପ୍ରଣୟନ କରିନାହାନ୍ତି।

Image Source: The Indian Express

ଦୁଇଟି ଜୋନ୍‌ରେ କେରଳ ସରକାର ଲକ୍‌ଡାଉନ୍‌ କ‌ୋହଳ ଘୋଷଣା କରିଛନ୍ତି। ସେଠାରେ ଯୁଗ୍ମ-ଅଯୁଗ୍ମ ସଂଖ୍ୟାବିଶିଷ୍ଟ ବ୍ୟକ୍ତିଗତ ଯାନବାହନ ଚଳାଚଳ କରିପାରିବ ଏବଂ ରେସ୍ତୋରାଁ ଆଦି ଖୋଲା ରହିବ। ଏପ୍ରିଲ୍ ୧୭ ତାରିଖ ଦିନ କେରଳ ସରକାର ଲକ୍‌ଡାଉନ୍ କଟକଣା ସଂକ୍ରାନ୍ତରେ ପରିମାର୍ଜିତ ମାର୍ଗଦର୍ଶିକା ପ୍ରକାଶ କରିଥିଲେ। ଏପ୍ରିଲ୍ ୧୫ ଆଦେଶନାମାରେ କେନ୍ଦ୍ର ସରକାର ଯାହା ସବୁ ନିଷେଧ କରିଥିଲେ କେରଳ ସରକାର ସେଗୁଡ଼ିକୁ ଖୋଲିବାକୁ ଅନୁମତି ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଚିଠି ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟ ମନ୍ତ୍ରୀ କଡ଼କମ୍ପାଲ୍ଲୀ ସୁରେନ୍ଦ୍ରନ୍ କହିଛନ୍ତି ଯେ କେନ୍ଦ୍ର ଜାରି କରିଥିବା ନିର୍ଦେଶାବଳୀ ଆଧାରରେ ଆମେ କୋହଳ ଦେଇଛୁ। ତ୍ରୁଟିପୂର୍ଣ୍ଣ ବୁଝାମଣା ଯୋଗୁଁ କେନ୍ଦ୍ର କୈଫିୟତ୍ ମାଗି ଥାଇ ପାରେ। ଆଶା, ଆମେ କୈଫିୟତ୍ ଦେବା ପରେ ସବୁ ସମାଧାନ ହୋଇଯିବ। କେନ୍ଦ୍ର ପ୍ରଦତ୍ତ ସମସ୍ତ ନିୟମ ଆମେ ଅନୁସରଣ କରିଛୁ।

 

ସମ୍ବନ୍ଧିତ ଖବର