ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଉ: ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜଘନ୍ୟ ଅପରାଧରେ ସଂପୃକ୍ତ ଥାଇ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ହେଉଥିବା ଅପରାଧୀମାନେ ଆଇନ୍‌ରେ ରହିଥିବା ବିଭିନ୍ନ ଗଳାବାଟର ସୁଯୋଗ ନେଇ ଦଣ୍ଡାଦେଶର କାର୍ଯ୍ୟକରୀତାରେ ଯେପରି ଅହେତୁକ ବିଳମ୍ବ ଘଟାଉଛନ୍ତି ସେଥିରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ମୃତ୍ୟୁ ଦଣ୍ଡାଦେଶର ପୁନର୍ବିଚାର ପାଇଁ କରା ଯାଉଥିବା ଆବେଦନର ବିଚାର ଶୀର୍ଷ ଅଦାଲତଙ୍କ ଦ୍ୱାରା କରାଯାଇ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଯିବା ପରେ ଦୋଷୀଙ୍କ ପକ୍ଷରୁ ଆଉ ଥରେ ‘କ୍ୟୁରେଟିଭ୍‌ ପିଟିସନ’ ଆଗତ ପାଇଁ ଯେଉଁ ପ୍ରାବଧାନ ରହିଛି, ସେଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବା ପାଇଁ ଆବେଦନ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ ହୋଇଛି।

ସେହିପରି ‘ରାଜକ୍ଷମା’ ପାଇଁ ମୃତ୍ୟୁ ଦଣ୍ଡାଦେଶ ଘୋଷିତ ହୋଇ ‘ମୃତ୍ୟୁ ପରଓ୍ଵାନା’ ମିଳିବାର ମାତ୍ର ୭ ଦିନ ମଧ୍ୟରେ ଦୋଷୀଙ୍କୁ ରାଜକ୍ଷମା ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଉ ବୋଲି କେନ୍ଦ୍ର ସରକାର ଆଗତ କରିଥିବା ଯାଚିକାରେ ସୁପ୍ରିମ୍‌ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

The Hindu

ନିର୍ଭୟାଙ୍କ ବାପା ବଦ୍ରିନାଥ ସିଂହ ଗତକାଲି (ମଙ୍ଗଳବାର) ଦୁଷ୍କର୍ମ ଓ ହତ୍ୟା ପରି ଜଘନ୍ୟ ଅପରାଧରେ ସଂପୃକ୍ତ ଥାଇ ଅଦାଲତଙ୍କ ଦ୍ୱାରା ଫାଶୀଦଣ୍ଡରେ ଦଣ୍ଡିତ ହେଉଥିବା ଅପରାଧୀଙ୍କ ପାଇଁ ରହିଥିବା ‘ରାଜକ୍ଷମା ଆବେଦନ’ ଓ ୧୪ ଦିନର ମହଲତ ବ୍ୟବସ୍ଥାକୁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ରଦ୍ଦ କରନ୍ତୁ ବୋଲି ଦାବୀ କରିଥିଲେ। ଏହି ଘଟଣା ପରେ ଆଜି କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏହି ଯାଚିକା ସୁପ୍ରିମ୍‌ କୋର୍ଟରେ ଆଗତ କରାଯାଇଛି। ଏବଂ ଯାହା ଫଳରେ ଲୋକେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନ୍ୟାୟ ପାଇ ପାରିବେ ବୋଲି ଆଗତ ଯାଚିକାରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

The Quint

ଆଗତ ଯାଚିକାରେ ନିର୍ଭୟା ଦୋଷୀମାନଙ୍କର ଦୃଷ୍ଟାନ୍ତ ଦିଆଯିବା ସହ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ମାମଲାରେ ତିନି ତିନି ଥର ଶୁଣାଣି, ତଳ ଅଦାଲତ ଠାରୁ ଆରମ୍ଭ କରି ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା କରାଯାଇ ଦଣ୍ଡାଦେଶକୁ କାଏମ ରଖାଯାଇଛି। ହେଲେ, ଦୋଷୀମାନେ ଆଇନ୍‌ରେ ରହିଥିବା ସବୁ ଗଳାବାଟର ସୁଯୋଗ ନେଇ ଦଣ୍ଡାଦେଶର କାର୍ଯ୍ୟକାରୀତାକୁ ବିଳମ୍ବିତ କରାଇବା ଦୁର୍ଭାଗ୍ୟଜନକ। ତେଣୁ, ଏହାକୁ ଦୃଷ୍ଟିରେ ରଖି ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବାକୁ ସୁପ୍ରିମ୍‌ କୋର୍ଟଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର।

ସମ୍ବନ୍ଧିତ ଖବର