ମାର୍ଚ୍ଚ ସୁଦ୍ଧା ୩୦୦ଟି ରାଜପଥ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖିଲା କେନ୍ଦ୍ର , ଓଡ଼ିଶାରେ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା

ନୂଆଦିଲ୍ଲୀ : ଦେଶବ୍ୟାପୀ ଚାଲିଥିବା ୩୦୦ଟି ରାଜପଥ ପ୍ରକଳ୍ପକୁ ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଲକ୍ଷ୍ୟ ରଖିଛି । ଏଥିରୁ ପ୍ରାୟ ୧୦୦ ପ୍ରକଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ସଡ଼କ ପରିବହନ, ରାଜପଥ, ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । କିନ୍ତୁ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ଓଡ଼ିଶା ଓ ବିହାର ପ୍ରଭୃତି କେତୋଟି ରାଜ୍ୟରେ ଏହି ପ୍ରକଳ୍ପ ଗୁଡ଼ିକ ବିଳମ୍ବିତ ହେଉଛି ବୋଲି ସେ କହିଛନ୍ତି ।

The Financial Express

ଶ୍ରୀ ଗଡକରୀ ୨୦ ରାଜ୍ୟରେ ଚାଲିଥିବା ଏନଏଚ୍ଏଆଇର ୪୨୭ ଏବଂ ଏନଏଚ୍ଆଇଡିସିଏଲ ତଥା ରାଜପଥ ମନ୍ତ୍ରଣାଳୟର ୩୧୧ ଟି ପ୍ରକଳ୍ପର ସମୀକ୍ଷା କରିଥିଲେ । ପୂର୍ବରୁ ୨୦୧୯ ଜୁନ୍ ସୁଦ୍ଧା ଶେଷ ହେବାକୁ ଥିବା ଏନଏଚ୍ଏଆଇର ୧୨୭ଏବଂ ରାଜପଥ ମନ୍ତ୍ରଣାଳୟର ୧୫୩ଟି ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରି ୨୦୧୯ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ୧୦୦ ପ୍ରକଳ୍ପ ୨୦୧୮ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି । ୨୦୧୮-୧୯ ରେ ଏନ୍ଏଚ୍ଏଆଇର ନିର୍ମାଣ ଲକ୍ଷ୍ୟକୁ ୫୦୫୮ କିଲୋମିଟରରୁ ୬୦୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି । ଏହି ଲକ୍ଷ୍ୟ ମନ୍ତ୍ରଣାଳୟ ନିଶ୍ଚିତ ହାସଲ କରିପାରିବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି । ମହାରାଷ୍ଟ୍ର ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଚାଲିଥିବା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ତୁରନ୍ତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।

ଜମି ଅଧିଗ୍ରହଣ, ପରିବେଶ ଅନୁମତି, ଗଛ କାଟିବାକୁ ଅନୁମତି ଆଦି ରାଜପଥ ପ୍ରକଳ୍ପ ବିଳମ୍ବ ହେବାର ମୁଖ୍ୟ କାରଣ ଭାବେ ଚିହ୍ନଟ କରାଯାଇଛି। ଏ ସବୁ ସମସ୍ୟା ସମାଧାନ କରିବା ପ୍ରକଳ୍ପକୁ ଆଗେଇ ନେବାରେ ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶର ପ୍ରଚେଷ୍ଟାକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ । ଏ ଦିଗରେ ବିହାର ଏବଂ ଓଡ଼ିଶାକୁ ଅଧିକ ଉଦ୍ୟମ କରିବାକୁ ପଡ଼ିବ ବୋଲି ସେ କହିଥିଲେ । ଦେଶବ୍ୟାପୀ ଏ ସବୁ ପ୍ରତିବନ୍ଧକ ଦୂର କରିବା ଦିଗରେ ନିୟମିତ ସମୀକ୍ଷା ହେବା ଦରକାର ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର