ଆମେରିକାଠାରୁ ରିପର ଡ୍ରୋନ କିଣିବା ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇନାହିଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନ ସହ ଭାରତର ଉତ୍ତେଜନା ବୃଦ୍ଧି ପାଉଥିବାରୁ ଭାରତ ଆମେରିକାଠାରୁ ଲଢୁଆ ଡ୍ରୋନ କିଣିବାକୁ ଗତ କିଛି ବର୍ଷ ହେଲା ଯୋଜନା କରୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏଥିଲାଗି ଗତ ବର୍ଷଠାରୁ ଅନୁମତି ଦେଇସାରିଛନ୍ତି । କିନ୍ତୁ ଏସବୁ ଡ୍ରୋନ କିଣିବା ବାବଦରେ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନଥିବା ଜଣାଯାଇଛି ।

ଗତ ବର୍ଷ ଏପ୍ରିଲ ମାସରେ ଆମେରିକା ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଭାରତକୁ ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଭାରତକୁ ପ୍ରାୟ ୩ ବିଲିୟନ ଡଲାର ବିନିମୟରେ ୩୦ଟି ଏମକ୍ୟୁ-୯ ରିପର ଡ୍ରୋନ ବିକ୍ରି ପାଇଁ ଆମେରିକା ପ୍ରସ୍ତାବ ଦେଇଥିଲା । ଜେନେରାଲ ଆଟମିକ୍ସ କମ୍ପାନି ଏସବୁ ଡ୍ରୋନଗୁଡ଼ିକର ନିର୍ମାଣ କରିଥାଏ ।

ମାତ୍ର ଭାରତୀୟ ଭୌଗୋଳିକ ପରିସ୍ଥିତିରେ ଆମେରିକୀୟ ଡ୍ରୋନଗୁଡ଼ିକର ଉପଯୋଗିତା ସମ୍ପର୍କରେ ଭାରତୀୟ ବାୟୁସେନା ସନ୍ଦିହାନ ଥିବାରୁ ଏହି କ୍ରୟ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ କୌଣସି ନିଷ୍ପତ୍ତି ନେଇପାରୁନାହିଁ । ଲଦାଖ ଓ ଅନ୍ୟ ହିମାଳୟ କ୍ଷେତ୍ରରେ ଏସବୁ ଡ୍ରୋନଗୁଡ଼ିକର କାର୍ଯ୍ୟକାରିତାକୁ ନେଇ ବାୟୁସେନା ସନ୍ଦେହରେ ଅଛି । ଏଣୁ ତରବର ହୋଇ ଡ୍ରୋନ କିଣିବା ଅପେକ୍ଷା ବ୍ୟାପକ ଅଧ୍ୟୟନ ଓ ବିଚାର ବିମର୍ଷ ପରେ ଆମେରିକାରୁ ଡ୍ରୋନ କିଣିବାକୁ ବାୟୁସେନା ଚାହୁଁଛି ।

ସମ୍ବନ୍ଧିତ ଖବର