ନୂଆଦିଲ୍ଲୀ: ପୁଣିଥରେ ଦେଶର କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଉପରମୁହାଁ ହେବା ଘଟଣା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏପରିସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି (ବୁଧବାର) ଭିଡିଓ କନଫରେନ୍‌ସ ମାଧ୍ୟମରେ କୋଭିଡ୍‌-୧୯ ପରିସ୍ଥିତି ଏବଂ ଟିକାକରଣ ଉପରେ ରାଜ୍ୟମାନଙ୍କ ସହ ଏକ ବୈଠକରେ ଆଲୋଚନା ସହ ସମୀକ୍ଷା କରିବେ ବୋଲି ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି।

Advertisment

ଗତ ସପ୍ତାହରେ ଜୁନ୍‌ ୨୩ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଦେଶର କୋଭିଡ୍‌ ଏବଂ ଟିକାକରଣ ପରିସ୍ଥିତିର ସମୀକ୍ଷା କରିଥିଲେ। ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରମୁଖ ବିଶେଷଜ୍ଞ ଏବଂ ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଥିଲେ। ଏକ ଉଚ୍ଚସ୍ତରୀୟ ବୈଠକରେ, ମନ୍ତ୍ରୀ ମାଣ୍ଡବ୍ୟ ବୟସ୍କ ଜନସଂଖ୍ୟା, ବିଦ୍ୟାଳୟ ଯାଉଥିବା ପିଲାଙ୍କ ଉପରେ ନିରୀକ୍ଷଣ ଏବଂ ଜିନୋମ୍‌ ସିକ୍ୱେନ୍‌ସିଂ ଉପରେ ଧ୍ୟାନ ଦେଇ ଦେଶର କୋଭିଡ୍‌ ପରିସ୍ଥିତି ଉପରେ କଠୋର ନଜର ରଖିବାକୁ ପରାମର୍ଶ ଦେଇଥିଲେ।

ହେଲେ, ଗତ ଦୁଇ ସପ୍ତାହ ମଧ୍ୟରେ ଦେଶରେ ଅଧିକ ସଂଖ୍ୟକ କୋଭିଡ୍‌-୧୯ ମାମଲା ଦେଖିବାକୁ ମିଳୁଛି। ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ହରିୟାଣା, ଦିଲ୍ଲୀ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଗୁଜରାଟ ଭଳି ରାଜ୍ୟରେ ଦୈନିକ ୧,୦୦୦ରୁ ଅଧିକ ମାମଲା ରିପୋର୍ଟ ହେଉଛି।

ଏ ପରିସ୍ଥିତିରେ ସରକାର ଉଚ୍ଚ ମାମଲା ସହ ସକାରାତ୍ମକତା ରିପୋର୍ଟ କରୁଥିବା ଜିଲ୍ଲାଗୁଡ଼ିକ ଉପରେ ଧ୍ୟାନ ଦେବା ଏବଂ ପର୍ଯ୍ୟାପ୍ତ ପରୀକ୍ଷଣ (ଆରଟିପିସିଆରର ଅଧିକ ଅନୁପାତ ସହିତ) ଏବଂ ଠିକ୍‌ ସମୟରେ ସଂକ୍ରମଣର ବିସ୍ତାରକୁ ଆକଳନ ଏବଂ ନିୟନ୍ତ୍ରଣ କରିବା ପାଇଁ ପ୍ରଭାବଶାଳୀ କୋଭିଡ-୧୯ ସର୍ଭେଲାନ୍‌ସ ଉପରେ ଗୁରୁତ୍ୱାରୋପ କରିଛନ୍ତି।