ରାଜ୍ୟକୁ କେନ୍ଦ୍ର ଦେବ ୯୫ ହଜାର ୮୨ କୋଟି ଟଙ୍କା: ଅର୍ଥ ସଚିବଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ଟିକସ ଭାଗ ସ୍ୱରୂପ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ଦେବେ ୯୫ ହଜାର ୮୨ କୋଟି ଟଙ୍କା । ନଭେମ୍ବର ୨୨ରେ ମାସିକ କିସ୍ତି ଭାବେ ରାଜ୍ୟଗୁଡ଼ିକୁ ୪୭ ହଜାର ୫୪୧ କୋଟି ଟଙ୍କା ଦିଆଯିବାର ବ୍ୟବସ୍ଥା ଥିଲା । ସେହି ଟଙ୍କାକୁ ଦ୍ୱିଗୁଣିତ କରି ରାଜ୍ୟଗୁଡ଼ିକୁ ଦେବା ପାଇଁ ଅର୍ଥ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ଗତକାଲି ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ନେଇ ହୋଇଥିବା ବୈଠକ ପରେ ଏହା କହିଛନ୍ତି ନିର୍ମଳା ସୀତାରମଣ୍ ।

ଅର୍ଥମନ୍ତ୍ରୀ କହିଛନ୍ତି, ଏହା ଦ୍ୱାରା ରାଜ୍ୟମାନଙ୍କ ବ୍ୟୟ ପରିମାଣ ବୃଦ୍ଧି ପାଇବ । ରାଜ୍ୟଗୁଡିକୁ ଅତିରିକ୍ତ ଅର୍ଥ ଯିବା ଫଳରେ ସେମାନେ ଭିତ୍ତିଭୂମି ପାଇଁ ଅଧିକ ଖର୍ଚ୍ଚ କରିବାକୁ ଚିନ୍ତା କରିବେ । କରୋନା ମହାମାରୀର ଦ୍ୱିତୀୟ ଲହର ପରେ ଅର୍ଥନୀତିରେ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏହି ଅଭିବୃଦ୍ଧି ଯେପରି ବଜାୟ ରହିବ, ସେନେଇ ଗତକାଲି ହୋଇଥିବା ବୈଠକରେ ଆଲୋଚନା ହୋଇଛି । ବୈଠକରେ ନିବେଶ, ବିକାଶ ଓ ବିନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ସେହିପରି ଅର୍ଥ ସଚିବ କହିଛନ୍ତି ପେଟ୍ରୋଲରୁ ୫ ଟଙ୍କା ଓ ଡିଜେଲରୁ ୧୦ ଟଙ୍କା ହ୍ରାସ, ଏକ୍ସାଇଜ୍ ଡ୍ୟୁଡିର ଅଣଅଂଶୀଦାରୀ ଅଂଶରେ ରହିଛି । ଏହାର ଅର୍ଥ ହେଉଛି, ଏହାର ସଂପୂର୍ଣ୍ଣ କ୍ଷତି କେନ୍ଦ୍ର ସରକାର ବହନ କରିବେ । ଉତ୍ପାଦ ଶୁଳ୍କର ହ୍ରାସ ଯୋଗୁ କୌଣସି ରାଜ୍ୟର କ୍ଷତି ହୋଇନାହିଁ ବୋଲି ଅର୍ଥ ସଚିବ ଟିଭି ସୋମନାଥନ୍ କହିଛନ୍ତି ।
ସମ୍ବନ୍ଧିତ ଖବର