ବାଳାଶ୍ରମ ବିଦ୍ୟାଳୟଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରିବ କେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବାଳାଶ୍ରମ ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ପାଇଁ ନିର୍ଦ୍ଦେଶନାମା ପ୍ରସ୍ତୁତ କରୁଛନ୍ତି । ଏଥିରେ ପିଲାମାନଙ୍କର ଯତ୍ନ ଲାଗି ସର୍ବନିମ୍ନ ମାନକ ନିର୍ଦ୍ଧାରଣ କରାଯିବ । ଏପରି ଅନେକ ସଂସ୍ଥା ରହିଛନ୍ତି, ଯେଉଁମାନେ ବାଳ ନ୍ୟାୟ (ବାଳ ସୁବିଧା ଏବଂ ସୁରକ୍ଷା) ଆଇନ, ୨୦୧୫ ଅନ୍ତର୍ଗତ ପଞ୍ଜିକୃତ ନୁହନ୍ତି । କିନ୍ତୁ ନିଜ ପିଲାମାନଙ୍କ ଯତ୍ନ ନେବାରେ ଅକ୍ଷମ ମାତାପିତା ବାଧ୍ୟ ହୋଇ ପିଲାଙ୍କୁ ଏପରି ଆଶ୍ରୟସ୍ଥଳୀରେ ଭର୍ତ୍ତି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପକ୍ଷରୁ ଏପରି ଏକ ନିଷ୍ପତ୍ତି ନିଆଯାଇଛି ।

ସୁପ୍ରିମ କୋର୍ଟ “ତାମିଲନାଡ଼ୁର ଅନାଥାଶ୍ରମରେ ପିଲାମାନଙ୍କ ଶୋଷଣ’ ବନାମ ଭାରତୀୟ ସଂଘ ରେ ଏହି ଆଦେଶ ଦେଇଥିଲେ ଯେ ବାଳନ୍ୟାୟ ଆଇନ, ୨୦୧୫ର ଧାରା ୨(୧୪) ଅନ୍ତର୍ଗତ “ଯତ୍ନ ଏବଂ ସୁରକ୍ଷା ପାଇଁ ପିଲାର ଆବଶ୍ୟକତା’କୁ ବ୍ୟାପକ ପରିଭାଷା ରୂପରେ ଗ୍ରହଣ କରାଯିବା ଉଚିତ ନୁହେଁ । ଏହି ପରିଭାଷା ପ୍ରତିକାତ୍ମକ ଏବଂ ପିଲାଙ୍କ ଯତ୍ନ ଏବଂ ସୁରକ୍ଷାର ଲାଭ ସମାନ ଭାବେ ସେ ସମସ୍ତ ପିଲାଙ୍କୁ ଦିଆଯିବା ଉଚିତ, ଯେଉଁମାନଙ୍କୁ ରାଜ୍ୟର ଯତ୍ନ ଏବଂ ସୁରକ୍ଷାର ଆବଶ୍ୟକତା ରହିଛି । ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏପରି ନିର୍ଦ୍ଦେଶନାମା ପ୍ରସ୍ତୁତ କରୁଛନ୍ତି ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତି ମେନକା ସଞ୍ଜୟ ଗାନ୍ଧୀ କହିଛନ୍ତି ଯେ ସ୍କୁଲଗୁଡ଼ିକ ସହ ଥିବା ଛାତ୍ରାବାସଗୁଡ଼ିକ ସହିତ ଅନ୍ୟ ଅନୁଷ୍ଠାନ ଏବଂ କେନ୍ଦ୍ରର ସେବାଶ୍ରମରେ ରହୁଥିବା ପିଲାମାନଙ୍କୁ ସମାନ ସୁରକ୍ଷା ଏବଂ ଯତ୍ନର ଆବଶ୍ୟକତା ରହିଛି । ସେଥିପାଇଁ ପିଲାମାନଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ ଏବଂ ସେମାନଙ୍କର ଉଚିତ ଯତ୍ନ ଲାଗି ନିର୍ଦ୍ଦେଶନାମା ପ୍ରସ୍ତୁତ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିରେ ସେବାଶ୍ରମଗୁଡ଼ିକର ନିରୀକ୍ଷଣ ମଧ୍ୟ ସାମିଲ ରହିଛି । ମନ୍ତ୍ରଣାଳୟ ଖୁବ ଶୀଘ୍ର ଏହି ନିର୍ଦ୍ଦେଶନାମାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପଠାଇବ, ଯାହାଦ୍ୱାରା ବୋର୍ଡିଂ ସୁବିଧା ଥିବା ସ୍କୁଲରେ ଏହାର ସୂଚନା ଦିଆଯାଇପାରିବ ।

ସମ୍ବନ୍ଧିତ ଖବର