କରୋନା ମହାମାରୀ ଯୋଗୁଁ ୨.୩୫ ଲକ୍ଷ କୋଟିର ଜିଏସଟି ରାଜସ୍ୱ ହରାଇବେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ : ଆଜି ଅନୁଷ୍ଠିତ ୪୧ତମ ଜିଏସଟି ପରିଷଦ ବୈଠକରେ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟମାନେ ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଆୟୋଜନ ହୋଇଥିଲା ।

ଜିଏସଟି ଆଇନ ଅନୁସାରେ ୨୦୨୨ ସୁଦ୍ଧା ରାଜ୍ୟମାନଙ୍କ ରାଜସ୍ୱ ନିଅଣ୍ଟର ଭରଣା କରିବାକୁ କେନ୍ଦ୍ର ବାଧ୍ୟ । ତେବେ କେବଳ ଜିଏସଟି ଲାଗୁ ଯୋଗୁଁ ହେଉଥିବା କ୍ଷତିର ଭରଣା କେନ୍ଦ୍ର କରିବ, ଜିଏସଟି ସଂଗ୍ରହ କମିଲେ ସେ ନେଇ କେନ୍ଦ୍ର କ୍ଷତିପୂରଣ ଦେବାକୁ ବାଧ୍ୟ ନୁହେଁ । ଚଳିତ ବର୍ଷ ହୋଇଥିବା ଜିଏସଟି ହାନୀ କରୋନା ମହାମାରୀ ଯୋଗୁଁ ହୋଇଥିବାରୁ ତାହାର କ୍ଷତିପୂରଣ ଦେବାକୁ କେନ୍ଦ୍ର ପଛଘୁଞ୍ଚା ଦେଉଛି ।

କେନ୍ଦ୍ର ଅର୍ଥ ସଚିବ ଅଜୟ ଭୁଷଣ ପାଣ୍ଡେ କହିଛନ୍ତି ଯେ ମହାମାରୀ ଯୋଗୁଁ ଏବର୍ଷ ମୋଟ ୨.୩୫ ଲକ୍ଷ କୋଟିର ଜିଏସଟି ନିଅଣ୍ଟ ହେବ । କିନ୍ତୁ ଜିଏସଟି ଲାଗୁ ବାବଦରେ ହେଉଥିବା କ୍ଷତି ପରିମାଣ ୯୭ ହଜାର କୋଟି ରହିବ । ସେ କହିଛନ୍ତି ଯେ ୨୦୧୯-୨୦ରେ କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ବାବଦରେ ମୋଟ ୧.୬୫ ଲକ୍ଷ କୋଟି ରାଜ୍ୟମାନଙ୍କୁ ପ୍ରଦାନ କରିଛନ୍ତି । ଗତ ଏପ୍ରିଲ-ଜୁଲାଇ ମାସରେ ରାଜ୍ୟମାନଙ୍କୁ ମୋଟ ୧.୫ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର