ନୂଆଦିଲ୍ଲୀ : ଟିକା ଅଭାବ ନେଇ ବିଭିନ୍ନ ରାଜ୍ୟ କେନ୍ଦ୍ର ନିକଟରେ ଅଭିଯୋଗ କରୁଥିବାବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି ଯେ ରାଜ୍ୟମାନଙ୍କ ପାଖରେ ଏବେ ପ୍ରାୟ ୭୮ ଲକ୍ଷ ଡୋଜ୍ ଟିକା ରହିଛି । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟମାନଙ୍କୁ ପ୍ରାୟ ୫୮ ଲକ୍ଷ ଡୋଜ ଟିକା ଯୋଗାଇଦିଆଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଟିକା ଯୋଗାଣ ପାଇଁ କେନ୍ଦ୍ର ସରକାର କୌଣସି ନୂଆ ଅର୍ଡର ଦେଇ ନାହାନ୍ତି । ଏହି ଖବରକୁ ଖଣ୍ଡନ କରି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମେ, ଜୁନ ଓ ଜୁଲାଇ ମାସରେ ହେବାକୁ ଥିବା ଟିକାକରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ୧୦୦ ପ୍ରତିଶତ ଅଗ୍ରୀମ ଅର୍ଥ ପ୍ରଦାନ କରାଯାଇଛି । ପ୍ରାୟ ୧୧ କୋଟି ଡୋଜ ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୧୭୩୨.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୧୦ କୋଟି ଡୋଜ ପାଇଁ ଭାରତ ବାୟୋଟେକକୁ ପୂର୍ବରୁ ଅର୍ଡର ଦିଆଯାଇଥିବାବେଳେ ୩ ମେ ସୁଦ୍ଧା ପ୍ରାୟ ୮୮ ଲକ୍ଷ ଡୋଜ କୋଭାକ୍ସିନ ମିଳିଛି ।
ମନ୍ତ୍ରାଳୟ ପକ୍ଷରୁ ଆହୁରିମଧ୍ୟ କୁହାଯାଇଛି ଯେ ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ପ୍ରାୟ ୧୬ କୋଟି ୫୪ ଲକ୍ଷ ଡୋଜ ଟିକା ମାଗଣାରେ ଦିଆଯାଇଛି । ତା ମଧ୍ୟରୁ ୭୮ ଲକ୍ଷ ଏବେ ବି ରାଜ୍ୟ ସରକାରମାନଙ୍କ ପାଖରେ ରହିଛି ।