ଶସ୍ତା ଦରରେ ୩୪.୮୮ ଲକ୍ଷ ଟନ ଡାଲି ଯୋଗାଇବ କେନ୍ଦ୍ର, ରାଜ୍ୟ ହାତରେ ବଣ୍ଟନ ଦାୟିତ୍ୱ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ପ୍ରାୟ ୩୪.୮୮ ଲକ୍ଷ ଟନ ଡାଲି ରିହାତି ଦରରେ ପ୍ରଦାନ କରିବେ । ରାଜ୍ୟମାନେ ଏହି ଡାଲିକୁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଯଥା ସାଧାରଣ ବଣ୍ଟନ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ଆଦିରେ ବଣ୍ଟନ ଲାଗି ବ୍ୟବହାର କରିବେ । ଏହା ସହିତ ରାଜ୍ୟମାନେ ଡାଲି ଗଚ୍ଛିତ ରଖି ଅଭାବ ସମୟରେ ଆଜି କେନ୍ଦ୍ର କ୍ୟାବିନେଟ ଏ ସଂପର୍କିତ ପ୍ରସ୍ତାବକୁ ମଂଜୁରୀ ଦେଇଛି । ଏହି ଯୋଜନା ଅନୁସାରେ ପ୍ରାୟ ୩୪.୮୮ ଲକ୍ଷ ଟନ ହରଡ଼, ଚଣା, ମୁଗ, ମସୁର ଓ ବିରି ଡାଲି ରାଜ୍ୟ ସରକାରମାନଙ୍କୁ ହୋଲସେଲ ଦରଠାରୁ ୧୫ ଟଙ୍କା କମରେ ପ୍ରଦାନ କରାଯିବ । ଆସନ୍ତା ୧୨ ମାସ ମଧ୍ୟରେ ଏହି ସ୍କିମ ପାଇଁ କେନ୍ଦ୍ର ସରକାର ପ୍ରାୟ ୫୨୩୭ କୋଟି ଟଙ୍କା ବ୍ୟୟ କରିବେ । ଏବେ ଜାତୀୟ ସ୍ତରରେ ବିଭିନ୍ନ ଡାଲିର ହୋଲସେଲ ଦର ୪୦ରୁ ୪୫ ଟଙ୍କା ମଧ୍ୟରେ ରହିଛି । ଏହାଠାରୁ ୧୫ ଟଙ୍କା କମ ଅର୍ଥାତ ୨୫-୩୦ ଟଙ୍କାରେ ରାଜ୍ୟମାନେ ଡାଲି ପାଇବାର ସମ୍ଭାବନା ଅଛି ।
ଗତ ୨ ବର୍ଷ ହେଲା ଦେଶରେ ଡାଲି ଉତ୍ପାଦନ ଭଲ ହୋଇଛି । ସେଥିପାଇଁ ସରକାର ଚାଷୀଙ୍କଠାରୁ କିଣିଥିବା ପ୍ରାୟ ୪.୫ ନିୟୁତ ଟନ ଡାଲି ଏବେ ଗୋଦାମରେ ଭରି ରହିଛି । ଆଗକୁ ନୂଆ ଉତ୍ପାଦନ ଆସିବାକୁ ଥିବାରୁ ସରକାର ଏବେ ଗୋଦାମରେ ଥିବା ଡାଲିକୁ ବିକିବାକୁ ଚାହୁଁଛନ୍ତି । ଗତ ୨ ବର୍ଷରେ ସରକାର ଚାଷୀଙ୍କଠାରୁ ପ୍ରାୟ ୩୦ ହଜାର କୋଟି ଟଙ୍କାର ଡାଲି କିଣିଥିଲେ ।

ସମ୍ବନ୍ଧିତ ଖବର