ନୂଆଦିଲ୍ଲୀ: ବିଚାରପତିଙ୍କ ନିଯୁକ୍ତି ଉପରେ ନିଷ୍ପତ୍ତି ଗ୍ରହଣ କରୁଥିବା ସୁପ୍ରିମ୍ କୋର୍ଟର କଲିଜିୟମରେ ସରକାରଙ୍କ ପ୍ରତିନିଧି ସାମିଲ କରାଯିବା ଉଚିତ ବୋଲି ପ୍ରସ୍ତାବ ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କୁ ପତ୍ର ଲେଖିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ସଚ୍ଚୋଟତା ଏବଂ ସର୍ବସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ବ ନିମନ୍ତେ ଶୀର୍ଷସ୍ତରୀୟ ଏହି ସୁପ୍ରିମ୍ କୋର୍ଟ ବିଚାରପତିଙ୍କ ପାନେଲ୍ରେ ସରକାରୀ ପ୍ରତିନିଧିମାନେ ରହିବା ଉଚିତ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ହାଇକୋର୍ଟ କଲିଜିୟମ୍ରେ ରାଜ୍ୟ ପ୍ରତିନିଧିମାନେ ରହିବା ଉଚିତ।
ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ଯୁକ୍ତିତର୍କ ଚାଲିଥିବା ବେଳେ ଏହାକୁ ନ୍ୟାୟପାଳିକାର ଅସାଧୁତା କହି କେତେକ ମନ୍ତ୍ରୀ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ସମାଲୋଚନା କରିଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ, ବିଚାରପତି ମନୋନୟନରେ ସରକାରଙ୍କର ଭୂମିକା ରହିବା ଉଚିତ।
କିନ୍ତୁ, ବିଚାରପତି ନିମନ୍ତେ କଲିଜିୟମ୍ ବ୍ୟବସ୍ଥା ସପକ୍ଷରେ ସୁପ୍ରିମ୍ କୋର୍ଟ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି, କଲିଜିୟମ୍ ବ୍ୟବସ୍ଥା ହେଉଛି ଦେଶର ଆଇନ ଏବଂ ଏହାକୁ ସଂପୂର୍ଣ୍ଣରୂପେ ଅନୁସରଣ କରାଯିବା ଉଚିତ। କେବଳ ସମାଜର ଅଳ୍ପ କେତେକ ବର୍ଗ କଲିଜିୟମ୍ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଥିବାରୁ ଏହାକୁ ବେଆଇନ କରାଯିବା ଅନୁଚିତ।
ସୂଚନାଯୋଗ୍ୟ, ସମ୍ପ୍ରତି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏବଂ ବିଚାରପତି ସଞ୍ଜୟ କିଷନ୍ କୌଲ୍, କେ. ଏମ୍. ଯୋସେଫ, ଏମ୍.ଆର୍. ଶାହ, ଅଜୟ ସସ୍ତୋଗି ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ସୁପ୍ରିମ୍ କୋର୍ଟ କଲିଜିୟମ୍ ଗଠିନ କରାଯାଇଛି।