‘ତୃଣମୂଳ କଂଗ୍ରେସ’କୁ ଫେରିବା ପରେ ମୁକୁଲ୍‌ ରାୟଙ୍କୁ ଦିଆଯାଇଥିବା ‘ଜେଡ୍‌ ସିକ୍ୟୁରିଟି’ ପ୍ରତ୍ୟାହାର କରିନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ‘ତୃଣମୂଳ କଂଗ୍ରେସ’ରେ ପୁନଃଯୋଗଦାନ କରିବାର କେଇ ଦିନ ପରେ ମୁକୁଲ୍‌ ରାୟଙ୍କୁ ଦିଆଯାଇଥିବା ‘ଜେଡ୍‌ କ୍ୟାଟେଗୋରି ସିକ୍ୟୁରିଟି’କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଥିବା ଆଜି ବିଶେଷସୂତ୍ରରୁ ଜଣାପଡ଼ିଛି।

‘ଟିଏମ୍‌ସି’କୁ ଫେରିବା ପୂର୍ବରୁ ମୁକୁଲ୍‌ ରାୟ ‘ବିଜେପି’ର ଜାତୀୟ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ‘ଜେଡ୍‌’ ବର୍ଗର ନିରାପତ୍ତା ଯୋଗାଇ ଦିଆଯାଇଥିଲା। ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ରାୟଙ୍କୁ ‘ୱାଇ+’ ସୁରକ୍ଷା ଯୋଗାଇ ଦେଇଥିଲେ।

‘ଜେଡ୍‌’ ବର୍ଗର କେନ୍ଦ୍ରୀୟ ସୁରକ୍ଷା ପ୍ରତ୍ୟାହାର କରିନେବା ଲାଗି ମୁକୁଲ୍‌ ରାୟ ଗୃହ ମନ୍ତ୍ରଳାୟକୁ ଅନୁରୋଧ କରି ପତ୍ର ଲେଖିଥିଲେ।

Image Courtesy of India.com

ତାଙ୍କୁ ପହରା ଦେବା ପାଇଁ ପ୍ରାୟ ୨୨ଜଣ ‘ସିଆର୍‌ପିଏଫ୍‌’ କର୍ମଚାରୀ ନିଯୁକ୍ତ ହୋଇଥିଲେ। ଏଥିସହ ପ୍ରାୟ ୪-୫ଜଣ ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ’ (ଏନ୍‌ଏସ୍‌ଜି) କମାଣ୍ଡୋ ମଧ୍ୟ ତାଙ୍କ ପାଇଁ ଯୋଗାଇ ଦିଆଯାଇଥିଲା।

ଗତ ମାସରେ ପଶ୍ଚିମବଙ୍ଗରେ ନିର୍ବାଚନୋତ୍ତର ହିଂସା ଏବଂ ସେମାନଙ୍କ ଜୀବନ ପ୍ରତି ସମ୍ଭାବ୍ୟ ବିପଦ୍‌ ଥିବାରୁ କେନ୍ଦ୍ର ସରକାର ‘ବିଜେପି’ର ନବନିର୍ବାଚିତ ୭୭ଜଣ ବିଧାୟକଙ୍କୁ କେନ୍ଦ୍ରୀୟ ନିରାପତ୍ତା ବଳ ସୁରକ୍ଷା ଯୋଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର