ଓଡ଼ିଶାର ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼ରେ ବଢୁଛି କରୋନାର ବ୍ରିଟେନ ଷ୍ଟ୍ରେନ,  ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନା ଭୁତାଣୁର ବ୍ରିଟେନ ଷ୍ଟ୍ରେନର ପ୍ରକୋପ ବଢିଚାଲିଥିବାବେଳେ କେନ୍ଦ୍ର ସରକାର ସତର୍କତା ଜାରି କରିଛନ୍ତି । ବିଶେଷକରି ୪ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଏହି ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକଭାବେ ବଢିଚାଲିଥିବାରୁ ସତର୍କତା ଅବଲମ୍ବନ କରିବାକୁ ଏସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କ ପକ୍ଷରୁ ସଂପୃକ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ପତ୍ରଲେଖି ବଢିଚାଲିଥିବା ସଂକ୍ରମଣ ପ୍ରତି ସତର୍କ ଦୃଷ୍ଟି ରଖିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ୪ଟି ରାଜ୍ୟ ମଧ୍ୟରୁ ୨ଟି ରାଜ୍ୟ ଛତିଶଗଡ଼ ଓ ପଶ୍ଚିମବଙ୍ଗ ଓଡ଼ିଶାର ପଡ଼ୋଶୀ ଦେଶ ହୋଇଥିବାରୁ ଏସବୁ ରାଜ୍ୟ ଦେଇ ଓଡ଼ିଶାକୁ ମଧ୍ୟ ସଂକ୍ରମଣ ଆସିବାର ଆଶଙ୍କା ରହିଛି । ଏଣୁ ଏଦୃଷ୍ଟିରୁ ଓଡ଼ିଶାକୁ ମଧ୍ୟ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।  ଗତ ବର୍ଷ ପଶ୍ଚିମବଙ୍ଗ ଫେରନ୍ତା ଲୋକମାନଙ୍କ ଦ୍ବାରା ବାଲେଶ୍ବର, ଯାଜପୁର ଆଦି ଜିଲ୍ଲାରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଯାଇଥିଲା । ଏଣୁ ଏଥର ବିଶେଷ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

ଅନ୍ୟପକ୍ଷରେ ଆସନ୍ତା କାଲି ଦେଶବ୍ୟାପି କରୋନା ଟିକାର ୨ୟ ଡ୍ରାଇ ରନ ହେବାକୁ ଥିବାବେଳେ ଟିକାକୁ ନେଇ ହେଉଥିବା ମିଥ୍ୟା ପ୍ରଚାର ଓ ଗୁଜବକୁ ରୋକିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।

 

ସମ୍ବନ୍ଧିତ ଖବର