ନୂଆଦିଲ୍ଲୀ : ନିକଟରେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ୍ ବି.୧.୧.୫୨୯କୁ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ୩ଟି ଦେଶ ବତସ୍ବାନା, ଦକ୍ଷିଣ ଆଫ୍ରିକା ଓ ହଂକଂରୁ ଯଦି କୌଣସି ଯାତ୍ରୀ ଆସନ୍ତି ସେମାନଙ୍କର ନମୁନା ଭଲଭାବରେ ପରୀକ୍ଷା ହେବା ସହ କଣ୍ଟାକ୍ଟ ଟ୍ରେସିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଏବେ ବିଶ୍ବରେ ବି.୧.୧.୫୨୯ ଭାରିଆଣ୍ଟର ମାତ୍ର ୧୦ଟି ମାମଲା ଦେଖାଦେଇଥିଲେ ମଧ୍ୟ ଏହାର ସ୍ପାଇକ୍ ପ୍ରୋଟିନରେ ୩୨ଟି ମ୍ୟୁଟେସନ ଦେଖାଦେଇଛି । ଏତେ ଦ୍ରୁତ ଗତିରେ ବଦଳୁଥିବାରୁ ଏହା ଉପରେ ଟିକାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏଣୁ ଏହା ଯଦି ବିଶ୍ବର ଅନ୍ୟ ଦେଶରେ ବ୍ୟାପେ ତେବେ କରୋନା ମହାମାରୀ ନିୟନ୍ତ୍ରଣ ବାହରକୁ ଚାଲିଯିବ ।
ଏହି ଭାରିଆଣ୍ଟଟି ପ୍ରଥମେ ବତସ୍ବାନାରେ ଚିହ୍ନଟ ହୋଇଥିଲା । ଏବେ ସେଠାରେ ୩ଟି ମାମଲା ରହିଥିବାବେଳେ ଦକ୍ଷିଣ ଆଫ୍ରିକାରେ ୬ଟି ଓ ହଂକଂରେ ଗୋଟିଏ ମାମଲା ଚିହ୍ନଟ ହୋଇଛି ।
ଲଣ୍ଡନର ଇମ୍ପିରିଆଲ କଲେଜର ଭୁତାଣୁ ବିଶେଷଜ୍ଞ ଡ.ଟମ ପିକକ୍ କହିଛନ୍ତି ଯେ ଏହି ଭାରିଆଣ୍ଟର ଅତ୍ୟଧିକ ପରିମାଣର ମ୍ୟୁଟେସନ ପ୍ରକୃତ ଚିନ୍ତାର କାରଣ ।