ସିଏଏ କୌଣସି ଭାରତୀୟ ନାଗରିକଙ୍କ ମୌଳିକ, ଆଇନଗତ ଅଧିକାରର ହନନ କରେ ନାହିଁ : କେନ୍ଦ୍ର

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନ ବା ସିଏଏ ସଂପର୍କରେ ସୁପ୍ରିମ କୋର୍ଟଙ୍କ ଆଗରେ ନିଜର ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏହି ଆଇନ କୌଣସି ଭାରତୀୟଙ୍କ ମୌଳିକ, ଆଇନଗତ ଓ ଧର୍ମନିରପେକ୍ଷତା ଅଧିକାରର ହନନ କରୁନାହିଁ ବୋଲି ଏହି ସତ୍ୟପାଠରେ ଦର୍ଶାଯାଇଛି । ଏହି ୧୨୯ ପୃଷ୍ଠାର ସତ୍ୟପାଠରେ ସରକାର ଦର୍ଶାଇଛନ୍ତି ଯେ ଏହା ସଂପୂର୍ଣ୍ଣ ଆଇନଗତ ଓ ଏହା ସମ୍ବିଧାନର ନୈତିକତାକୁ ବିରୋଧ କରୁନାହିଁ । ଏଥିରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଭାରତର ଧର୍ମନିରପେକ୍ଷତାର ଅର୍ଥ ନୁହେଁ ଯେ ଧର୍ମର ଉପସ୍ଥିତିକୁ ପ୍ରତ୍ୟାଖ୍ୟାନ କରିବା, ବରଂ ସବୁ ଧର୍ମକୁ ସମାନଭାବରେ ଦେଖି ସର୍ବଧର୍ମ ଭାତୃତ୍ୱ ସ୍ଥାପନ କରିବା ।
ସରକାର ଗତ ବର୍ଷ ଡିସେମ୍ବରରେ ନାଗରିକତା (ସଂଶୋଧନ) ଆଇନର ପ୍ରୟଣନ କରିଥିଲେ । ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର ହୋଇଥିଲା ।
ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । କିନ୍ତୁ ଏହା ସମ୍ବିଧାନର ବିରୋଧୀ କହି ଆନ୍ଦୋଳନ କରୁଛନ୍ତି ବିରୋଧୀଦଳ ଓ କେତେକ ସାମାଜିକ ସଂଗଠନ ।

ସମ୍ବନ୍ଧିତ ଖବର