‘ଭାରତ ବନ୍ଦ’ ପାଇଁ କେନ୍ଦ୍ରର ନିର୍ଦ୍ଦେଶାବଳି : ସୁରକ୍ଷା କଡ଼ାକଡ଼ି କରିବା ସହ ଶାନ୍ତି ବଜାୟ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କୃଷକ ସଂଗଠନ ଦ୍ବାରା ଆସନ୍ତାକାଲି ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ବିଭିନ୍ନ ବିରୋଧୀ ଦଳ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ତେବେ କେନ୍ଦ୍ର ସରକାର ‘ଭାରତ ବନ୍ଦ’ ପାଇଁ ଆଜି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ପାଇଁ ଏକ ନିର୍ଦ୍ଦେଶାବଳି ପଠାଇଛନ୍ତି। ଭାରତ ବନ୍ଦ ସମୟରେ ସୁରକ୍ଷା କଡ଼ାକଡ଼ି କରିବାପାଇଁ ଏବଂ ଶାନ୍ତି ଓ ସ୍ଥିରତା ବଜାୟ ରଖିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶାବଳି ପଠାଯାଇଛି।

ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସୁରକ୍ଷା କଡ଼ାକଡ଼ି କରିବା ସହ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ କୁହାଯାଇଛି। ସେହିପରି ସ୍ବାସ୍ଥ୍ୟ ଏବଂ ସାମାଜିକ ଦୂରତ୍ବ ନେଇ ଜାରି‌ ହୋଇଥିବା ସମସ୍ତ କୋଭିଡ୍‌ ନିୟମାବଳି ଯେମିତି ଆନ୍ଦୋଳନକାରୀମାନେ ମାନିବେ ସେନେଇ ରାଜ୍ୟମାନେ ଯଥୋଚିତ ପଦ‌କ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। କୌଣସି ଅପ୍ରୀତିକର ସ୍ଥିତି ନଉପୁଜିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। ଉଲ୍ଲେଖଯୋଗ୍ୟ ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରୁ ହଜାର ହଜାର ସଂଖ୍ୟାରେ କୃଷକ ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର