ନୂଆଦିଲ୍ଲୀ: ଖାଇବା ତେଲ ଉପରେ ଆମଦାନି ଶୁଳ୍କ ବୃଦ୍ଧି ଘୋଷଣା ହେବା ସଙ୍ଗେ ସଙ୍ଗେ ବଜାରରେ ସେଗୁଡ଼ିକର ଦାମ୍ରେ ଲିଟର ପିଛା ୨୦ ଟଙ୍କାର ବୃଦ୍ଧି ହୋଇଥିଲା। ସେଭଳି ବ୍ୟବସାୟ ଅଭ୍ୟାସକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ଜାହିର କରିବା ସହ ସେ ବିଷୟରେ ଖାଇବା ତେଲ ସଂଘଗୁଡ଼ିକ ସହ ଆଲୋଚନା କରିଛନ୍ତି। ପୂର୍ବରୁ ଆମଦାନି ହୋଇଥିବା ତେଲକୁ ଅଧିକ ଦାମ୍ରେ ବିକ୍ରି ନ କରିବାକୁ ସେମାନଙ୍କୁ କୁହାଯାଇଛି। ତୁରନ୍ତ ଏ ବିଷୟରେ ସଦସ୍ୟମାନଙ୍କୁ ଅବଗତ କରିବାକୁ ସଂଘଗୁଡ଼ିକୁ କୁହାଯାଇଛି। ସ୍ଥାନୀୟ ତୈଳଜୀବ ଚାଷୀମାନଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଖାଇବା ତେଲର ମୂଳ ଆମଦାନି ଶୁଳ୍କ ବୃଦ୍ଧି କରିଛନ୍ତି ଯାହା ଚଳିତ ମାସ ୧୪ରୁ ଲାଗୁ କରାଯାଇଛି। ଅଶୋଧିତ ସୋୟାବିନ ତେଲ, ଅଶୋଧିତ ପାମ୍ ତେଲ ଓ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଆମଦାନି ଶୁଳ୍କକୁ ୦ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରାଯାଇଛି। ସେହିପରି ରିଫାଇନ୍ଡ ପାମ୍ ଅଏଲ୍, ରିଫାଇନ୍ଡ ସନ୍ଫ୍ଲାୱାର ଅଏଲ୍, ରିଫାଇନ୍ଡ ସୋୟାବିନ୍ ଅଏଲ୍ର ମୂଳ ଆମଦାନି ଶୁଳ୍କ ୧୨.୫ ପ୍ରତିଶତରୁ ବଢ଼ାଇ ୩୨.୫ ପ୍ରତିଶତ କରାଯାଇଛି।
ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲା ଯେଉଁ ସମୟରେ ସରକାର ଖାଇବା ତେଲ ସଂଘ ସହ ଆଲୋଚନା କରିବା ପରେ ବଜାରରେ ଦାମ୍ କମ୍ ହୋଇଥିଲା। ତେବେ ଅନ୍ତର୍ଜାତୀୟ ବଜାରରେ ଦାମ୍ କମିବା ଏବଂ ଆମଦାନି ଶୁଳ୍କ କମ୍ ହେବାରୁ ତେଲ କମ୍ପାନିଗୁଡ଼ିକ ଖାଇବା ତେଲ ଦର କମ୍ କରିଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ବିପୁଳ ପରିମାଣରେ ମହଜୁଦ ରହିଛି। ଆମଦାନି ଶୁଳ୍କ କମ୍ ରହିଥିବାରୁ ତାହା ବିପୁଳ ପରିମାଣରେ ଦେଶକୁ ମଗାଯାଉଛି ଯାହା ଦେଶ ଭିତରେ ତୈଳବୀଜ ଚାଷ କରୁଥିବା ଚାଷୀମାନଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନରେ ଏକ ପ୍ରତିବନ୍ଧକ ହେବ ବୋଲି ଆଶଙ୍କା କରାଯାଉଥିଲା। ଚାଷୀଙ୍କ ସ୍ବାର୍ଥ ବିଚାରକୁ ନେଇ ଖାଇବା ତେଲ ଉପରେ ଆମଦାନି ଶୁଳ୍କ ବୃଦ୍ଧି କରାଯାଇଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ମିଳିଲେ ସେମାନେ ଆଗାମୀ ଦିନରେ ଅଧିକ ତୈଳବୀଜ ଚାଷ କରିବାକୁ ଆଗ୍ରହ ଦେଖାଇବେ ବୋଲି ସରକାର ଭାବୁଛନ୍ତି। ସରକାରଙ୍କ ମତରେ କମ୍ ଆମଦାନି ଶୁଳ୍କରେ ପ୍ରାୟ ୩୦ ଲକ୍ଷ ଟନ୍ ଖାଇବା ତେଲ ଆମଦାନି କରାଯାଇଛି ଯାହା ଆଗାମୀ ୪୫-୫୦ ଦିନର ଆବଶ୍ୟକତାକୁ ସହଜରେ ପୂରଣ କରିପାରିବ।
କରୋନା ମହାମାରୀ ସମୟରେ ଖାଇବା ତେଲ ଦରରେ ହୋଇଥିବା ବୃଦ୍ଧି ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଥିଲା। କମ୍ପାନିଗୁଡ଼ିକ ତେଲ ଦାମ୍କୁ ବହୁତ ବଢ଼ାଇ ଦେବା ପରେ ଲୋକମାନେ ଚିନ୍ତିତ ହୋଇପଡ଼ିଥିଲେ। ଏହି ଅବସ୍ଥା ଦୀର୍ଘଦିନ ବଜାୟ ରହିବାରୁ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ତେଲ ଦର ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ସରକାରଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିଥିଲା। ଏବେ ମୁଦ୍ରାସ୍ଫୀତି ବିରୋଧରେ ଅହରହ ଲଢ଼େଇ ଜାରି ରହିଥିବା ବେଳେ ତେଲ ଦରରେ ବୃଦ୍ଧି ସେଥିପ୍ରତି ବିପଦ ସୃଷ୍ଟି କରିଛି। ସେଥିପାଇଁ ସରକାର ତତ୍ପର ହୋଇ ତେଲ ଦାମ୍ ନ ବଢ଼ାଇବାକୁ ଆହ୍ବାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/eunEz5usa3LhF0KYOsAS.jpg)