ନୂଆଦିଲ୍ଲୀ: ବିଭିନ୍ନ ଭାରତୀୟ ଏୟାରଲାଇନ୍ସଗୁଡ଼ିକୁ ଗତ ୮ ଦିନ ଧରି ବୋମା ଧମକ ମିଳୁଥିବା ବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବେ ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଆସୁଥିବା ଧମକକୁ ରୋକିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏୟାର ଇଣ୍ଡିଆ ଓ ଭିସ୍ତାରାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଏ ବାବଦରେ କଡ଼ା ଚେତାବନୀ ଦେଇଛନ୍ତି। ଏକ୍ସ ମାଧ୍ୟମରେ ମିଛ ଧମକର ଲହର ଦେଖିବାକୁ ମିଳିଥିବା ବେଳେ ମେସେଜ ପଠାଉଥିବା ଆକାଉଣ୍ଟକୁ ବ୍ଲକ କରିବା ପାଇଁ କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରିତ ସମାଧାନ ବ୍ୟବହାର କରିବାକୁ ଏକ୍ସକୁ କୁହାଯାଇଛି। ଏ ବାବଦରେ ପୂର୍ବରୁ ମଧ୍ୟ ଏକ୍ସକୁ କରାଯାଇଥିବା ଅନୁରୋଧକୁ ଗୁରୁତ୍ବ ଦିଆଯାଇନଥିବାରୁ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଏକ୍ସ କର୍ତ୍ତୃପକ୍ଷ ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ତତ୍କାଳ ସେମାନଙ୍କ ପୋଷ୍ଟ୍ ଉପରେ ନିୟନ୍ତ୍ରଣ ଆଣିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ବିମାନ ଚଳାଚଳ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ଉଦ୍ଦେଶ୍ୟରେ ଅପରାଧୀମାନେ ଡାର୍କୱେବ୍ ବ୍ୟବହାର କରୁଥିବା ବେଳେ ଆଉ କେତେକ ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ ଖୋଲି ଧମକପୂର୍ଣ୍ଣ ପୋଷ୍ଟ୍ କରିବାରେ ଲାଗିଛନ୍ତି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ସୋସିଆଲ ମିଡିଆ ସଂସ୍ଥା ନିଷ୍ଠାର ସହ କାମ କରିବାକୁ ସରକାର ତାଗିଦ କରିଛନ୍ତି।
ଶତାଧିକ ଭାରତୀୟ ବିମାନକୁ ବୋମା ଧମକ ମାମଲା
ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ ଏୟାରଲାଇନ୍ସ ଗୁଡ଼ିକୁ ମିଳୁଥିବା ବୋମା ଧମକ ଦୂର କରିବା ପାଇଁ ନୂଆ ଆଇନ ପ୍ରସ୍ତୁତ କରାଯାଉଛି। ସୋସିଆଲ ମିଡିଆ ପୋଷ୍ଟ୍ ଏବଂ ଫୋନ୍ ମାଧ୍ୟମରେ ଧମକ ଦେଉଥିବା ଲୋକଙ୍କୁ ନୋ ଫ୍ଲାଇ ଲିଷ୍ଟରେ ସାମିଲ କରାଯିବ। ଏ କ୍ଷେତ୍ରରେ କଠୋର ଦଣ୍ଡ ବିଧାନ ସୁନିଶ୍ଚିତ କରିବା ପାଇଁ ବିମାନ ସୁରକ୍ଷା ନିୟମରେ ସଂଶୋଧନ ଉପରେ ମଧ୍ୟ ବିଚାର କରାଯାଉଛି। ଗତ ୮ ଦିନ ମଧ୍ୟରେ ଆକାଶ ଏୟାର, ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଭିସ୍ତାରା ସମେତ ବିଭିନ୍ନ ଘରୋଇ ଓ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ଚଳାଚଳ କରୁଥିବା ବିମାନଗୁଡ଼ିକୁ ଶତାଧିକ ବୋମା ଧମକ ମିଳିଥିବା ବେଳେ ଅଧିକାଂଶ ଧମକ ବାର୍ତ୍ତା ଏକ୍ସ ମାଧ୍ୟମରେ ଆସିଛି। ଏଭଳି କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ଆକାଉଣ୍ଟ ତତ୍କାଳ ବନ୍ଦ କରିବା ଏବଂ ସନ୍ଦେହଜନକ ପୋଷ୍ଟ୍ ଉପରେ ଅଙ୍କୁଶ ଲଗାଇବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ ନହେଲେ ସରକାର ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି। ମିଛ ଧମକ ଯୋଗୁଁ ଏୟାରଲାଇନ୍ସଗୁଡ଼ିକୁ ପ୍ରାୟ ୬୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ଇଣ୍ଡିଗୋ ଓ ଏୟାର ଇଣ୍ଡିଆର ୧୩ଟି ଲେଖାଏଁ ବିମାନ ସମେତ ପାଖାପାଖି ୫୦ଟି ବିମାନକୁ ବୋମା ଧମକ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆକାଶ ଏୟାରକୁ ୧୨ରୁ ଅଧିକ ଧମକ ମିଳିଥିବା ବେଳେ ଭିସ୍ତାରାର ୧୧ଟି ବିମାନକୁ ଧମକ ମିଳିଥିଲା।