ନୂଆଦିଲ୍ଲୀ: ୧୯୯୦ରୁ ୨୦୨୩ ମଧ୍ୟରେ ପୂର୍ବ ଭାରତର ୩୯ ପ୍ରତିଶତ ବାତ୍ୟା କେବଳ ଓଡ଼ିଶାରେ ମାଡ଼ ହୋଇଛି। ବାରମ୍ବାର ବାତ୍ୟା, ମରୁଡି ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ମଧ୍ୟ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆଶଙ୍କା ଆରମ୍ଭ ହେଲାଣି।
ରାଜ୍ୟ ସରକାରଙ୍କ ଦ୍ବାରା ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବାବେଳେ କେନ୍ଦ୍ର ମଧ୍ୟ ସାମ୍ଭବ୍ୟ ବାତ୍ୟା ଉପରେ ତୀକ୍ଷ୍ଣ ନଜର ରଖିଛି। ବାତ୍ୟାକୁ ନେଇ କ୍ୟାବିନେଟ ସଚିବ ଟିଭି ସୋମନାଥନଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟି (ଏନ୍ସିଏମ୍ସି)ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଦ୍ବାରା ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟାର ସ୍ଥିତି ସଂପର୍କରେ ଅବଗତ କରାଯାଇଥିଲା।
ଏନ୍ସିଏମ୍ସିକୁ ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ସମ୍ଭାବ୍ୟ ବାତ୍ୟାର ମୁକାବିଲାକୁ ନେଇ ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅବଗତ କରାଯାଇଥିଲା। ବୈଠକରେ ସୂଚନା ଦିଆଯାଇଥିଲା ଯେ ଏନ୍ଡିଆରଏଫ୍ ଦ୍ବାରା ଓଡ଼ିଶା ପାଇଁ ୧୧ଟି ଓ ପଶ୍ଚିମବଙ୍ଗ ପାଇଁ ୧୪ଟି ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ଉଦ୍ଧାର କାର୍ଯ୍ୟ ଓ ଥଇଥାନ ପାଇଁ ସେନା, ନୌସେନା, ତଟରକ୍ଷୀ ତଥା ବିମାନ ପ୍ରସ୍ତୁତ ରହିଛନ୍ତି। ପାରାଦୀପ ଓ ହଳଦିଆ ବନ୍ଦରକୁ ନିୟମିତ ସତର୍କ ସୂଚନା ଓ ପରାମର୍ଶ ପଠାଯାଉଛି। ବୈଠକରେ ଶୂନ ମୃତ୍ୟୁ ଉପରେ ଗୁରୁତ୍ବାରୋପ କରାଯାଇଥିଲା।
କ୍ୟାବିନେଟ ସଚିବ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ରର ସମସ୍ତ ସଂସ୍ଥା ଦ୍ବାରା ସହଯୋଗ ଯୋଗାଇଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କ୍ୟାବିନେଟ ସଚିବ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟକୁ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବା ତଥା ଆବଶ୍ୟକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ସମେତ ଆଇଏମ୍ଡି,ଏନ୍ଡିଏମ୍ଏ, ଏନ୍ଡିଆର୍ଏଫ୍, ତଟରକ୍ଷୀ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ସମେତ ଅନ୍ୟବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ଦାବି ଅନୁସାରେ କେନ୍ଦ୍ର ସରକାର ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ହେଲିକପ୍ଟର ପଠାଇବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଏକାଧିକ ପଦକ୍ଷେପ ନିଆଯିବା ପାଇଁ ତତ୍ପରତା ପ୍ରକାଶ କରିଥିବାବେଳେ ପ୍ରଭାବିତ ରାଜ୍ୟମାନଙ୍କ ପାଇଁ ଅଗ୍ରିମ ସହାୟତା ରାଶି ଘୋଷଣା କରିନାହାନ୍ତି। ଫନି ବାତ୍ୟାର ପ୍ରାକ୍ ସୂଚନା ମିଳିବା ପରେ ଏନ୍ସିଏମ୍ସି ଦ୍ବାରା ଓଡ଼ିଶା ସମେତ ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶକୁ ୧୦୮୬ କୋଟି ଟଙ୍କାର ଆଗୁଆ ସହାୟତା ରାଶି ପ୍ରଦାନ କରାଯାଇଥିଲା।