ସିଓଲର ଯୁଦ୍ଧ ଯୋଜନା ଚୋରାଇଲା ଉତ୍ତର କୋରିଆ

ସିଓଲ:  ଦକ୍ଷିଣ କୋରିଆର ଯୁଦ୍ଧ ଯୋଜନା ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ସାମରିକ ଫାଇଲ୍‌ ହ୍ୟାକ୍‌ କରିବାରେ ଉତ୍ତର କୋରିଆ ସକ୍ଷମ ହୋଇଛି। ଅତ୍ୟନ୍ତ ସୁରକ୍ଷିତ ବୋଲି ଦାବି କରାଯାଉଥିବା ଦକ୍ଷିଣ କୋରିଆର ସାମରିକ ବିଭାଗର ଗୋପନୀୟ ଦସ୍ତାବିଜ୍‌କୁ ଉତ୍ତର କୋରିଆର ହ୍ୟାକ୍‌ରମାନେ କରାୟତ କରିବାରେ ସକ୍ଷମ ହୋଇଥିବାରୁ ଏହା ବିଶ୍ୱବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।  ଉତ୍ତର କୋରିଆରେ ୬ ହଜାର ୮୦୦ ଅତ୍ୟନ୍ତ ଦକ୍ଷ ସାଇବର-ଓ୍ଵାର୍‌ଫେର୍‌ ବିଶେଷଜ୍ଞ ରହିଛନ୍ତି । ପୋଙ୍ଗୟାଙ୍ଗ ହ୍ୟାକରମାନେ ଅତ୍ୟନ୍ତ ସଫଳତାର ସହ ଦକ୍ଷିଣ କୋରିଆର ଅତି ଗୋପନୀୟ ଫାଇଲ୍‌ ଅକ୍ତିଆର କରିବାରେ ସକ୍ଷମ ହୋଇଥିବାରୁ ଆମେରିକାର ଚିନ୍ତା ମଧ୍ୟ ବଢ଼ିଯାଇଛି। ଦକ୍ଷିଣ କୋରିଆ ଏ ସଂପର୍କରେ କହିଛି ଯେ ୩୩୫ଟି  ସ୍ପର୍ଶକାତର ତଥ୍ୟ ହ୍ୟାକ୍‌ ହୋଇଛି ।

ଉତ୍ତର କୋରିଆ ସହ ଯୁଦ୍ଧ ପରିସ୍ଥିତିରେ ଦକ୍ଷିଣ କୋରିଆ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା ତାହା ପୋଙ୍ଗୟାଙ୍ଗ୍‌ ହାତରେ ପଡ଼ିଥିବାରୁ ଏବେ ଏହାର ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ ହେବ ବୋଲି କୁହାଯାଉଛି ।  ଗୋଟିଏ ପଟେ ଉତ୍ତର କୋରିଆ ସହ ଆମେରିକାର ସମସ୍ତ କୂଟନୈତିକ ସଂପର୍କ ବିଫଳ  ହୋଇଥିବା ବେଳେ ଅନ୍ୟପଟେ ଚୀନ୍‌ ଏବଂ ରୁଷ୍‌ର ପରମର୍ଶ ମଧ୍ୟ ଗ୍ରହଣ କରିବାକୁ ଉତ୍ତର କୋରିଆ ପ୍ରସ୍ତୁତ ହେଉନାହିଁ। ଏଭଳି ସ୍ଥିତିରେ ଦକ୍ଷିଣ କୋରିଆ ଏବଂ ଜାପାନର ସଙ୍କଟ ବଢ଼ିବାରେ ଲାଗିଛି। ଅକ୍ଟୋବର ୧୦ରୁ ୧୮ ତାରିଖ ମଧ୍ୟରେ ଉତ୍ତର କୋରିଆ ଆକ୍ରମଣ କରିପାରେ ବୋଲି ଦକ୍ଷିଣ କୋରିଆ  ଆଶଙ୍କା ବ୍ୟକ୍ତ କରିବା ସହ ସେହି ଆଧାରରେ ନିଜର ସାମରିକ ରଣନୀତି ତୟାର କରିଥିଲା।  ବ୍ୟାପକ ଅନ୍ତର୍ଜାତୀୟ କଟକଣା ସତ୍ତ୍ୱେ ଉତ୍ତର କୋରିଆ ତା’ର ଯୁଦ୍ଧଖୋର ନୀତିକୁ ଆହୁରି ଉଗ୍ର କରିଥିବାରୁ ଚୀନ୍‌ ମଧ୍ୟ ଏବେ ଚିନ୍ତାରେ ପଡ଼ିଯାଇଛି।  ଗୋଟିଏ ପଟେ ଉତ୍ତର କୋରିଆ ଆମେରିକା ଓ ଜାତିସଂଘର ଚେତାବନୀକୁ ବେଖାତିର କରି ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଅନ୍ୟପଟେ ଚୀନ୍‌ର କୌଣସି ପରାମର୍ଶ କିମ୍ବା ତାଗିଦ୍‌କୁ ଗ୍ରହଣ କରୁନାହିଁ। ଉତ୍ତର କୋରିଆ ରାଜଧାନୀ ପୋଙ୍ଗୟାଙ୍ଗ  ସ୍ଥିତ ରକେଟ କେନ୍ଦ୍ରରୁ ଇତିମଧ୍ୟରେ ଅନେକ କ୍ଷେପଣାସ୍ତ୍ର ସ୍ଥାନାନ୍ତର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି।।  ଶକ୍ତିଶାଳୀ ଆଇସିବିଏମ୍‌ କ୍ଷେପଣାସ୍ତ୍ରଗୁଡ଼ିକୁ ଅତ୍ୟନ୍ତ ଗୁପ୍ତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବାରୁ  ଏହା ଆମେରିକା ବିରୋଧରେ ଯୁଦ୍ଧର ସଙ୍କେତ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର