ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର) ଏବଂ ଦିଲ୍ଲୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ସହିତ ବାୟୁ ମାନ ସ୍ତର ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଏହାର ମୁକାବିଲା ପାଇଁ ଶନିବାର ବାୟୁ ମାନ ପରିଚାଳନା ଆୟୋଗ (ସିଏକ୍ୟୁଏମ୍)ର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏକ୍ୟୁଏମ୍ର ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ (ଜିଆର୍ଏପି) ବା ଶ୍ରେଣୀବଦ୍ଧ ମୁକାବିଲା କାର୍ଯ୍ୟ ଯୋଜନା ଉପ-ସମିତିର ଏହି ଜରୁରି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆୟୋଗଙ୍କର ଏହି ବୈଠକରେ ସାମଗ୍ରିକ ବାୟୁ ଗୁଣବତ୍ତା ପାରାମିଟରର ସମୀକ୍ଷା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ପ୍ରତିକୂଳ ପାଣିପାଗ, ପବନର ଗତି ହ୍ରାସ, କୃଷିବର୍ଜ୍ୟ ଓ ନଡ଼ାପୋଡ଼ି ବୃଦ୍ଧି କାରଣରୁ ପ୍ରଦୂଷଣ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଏନ୍ସିଆର ଅଞ୍ଚଳରେ ଜରୁରିକାଳୀନ ଭିତ୍ତିରେ ଜିଆର୍ଏପିର ପର୍ଯ୍ୟାୟ-୩ ଲାଗୁ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ସକ୍ରିୟ ମଡେଲ ଏବଂ ପାଣିପାଗର ପୂର୍ବାନୁମାନ ଅନୁଯାୟୀ ଦିଲ୍ଲୀରେ ନଭେମ୍ବର ପହିଲା ଯାଏ ବାୟୁ ଗୁଣବତ୍ତା ଗମ୍ଭୀର ସ୍ଥିତିରେ ରହିବ। ପରବର୍ତ୍ତୀ ଛଅ ଦିନ ପର୍ଯ୍ୟନ୍ତ ବାୟୁ ଗୁଣବତ୍ତା ଗମ୍ଭୀରରୁ ଅତି ଖରାପ ସ୍ଥିତିରେ ରହିବ। ଆଗାମୀ ଦିନରେ ପବନର ଗତି ପ୍ରାୟତଃ ସ୍ଥିର ରହିବ ଏବଂ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଆସିବାର ସମ୍ଭବନା ରହିଛି। ଏଣୁ ଲୋକମାନଙ୍କୁ କେତେକ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟକ୍ଷେତ୍ରକୁ ସାଥୀ ହୋଇ ଗୋଟିଏ ଗାଡ଼ିରେ ଯିବା କିମ୍ବା ସାଧାରଣ ପରିବହନ ସେବା ବ୍ୟବହାର କରିବା, ଚାଲି ଚାଲି ଯିବା କିମ୍ବା ସାଇକେଲ ବ୍ୟବହାର କରିବା ଲାଗି କୁହାଯାଇଛି। ଯେଉଁମାନେ ଘରୁ ଥାଇ କାମ କରିପାରିବେ ସେମାନେ ଏହି ସୁବିଧାର ଉପଯୋଗ କରିବେ। କୋଇଲା ଓ କାଠ ଜାଳିବା ଉପରେ କଟକଣା ଜାରି କରାଯାଇଛି। ଖୋଲାରେ ନିଆଁ ଜାଳିବା ବନ୍ଦ କରିବାକୁ କୁହାଯାଇଛି। ଏଥିପାଇଁ ସୁରକ୍ଷା କର୍ମଚାରୀଙ୍କୁ ବିଦ୍ୟୁତ୍ ହିଟର ଯୋଗାଇ ଦେବାକୁ ଘର ମାଲିକମାନଙ୍କୁ କୁହାଯାଇଛି। ଯଥାସମ୍ଭବ ଗାଡ଼ି ବ୍ୟବହାର କମ୍ କରିବା ଏବଂ ଅଳ୍ପଦୂର ଯିବାକୁ ଥିଲେ ଚାଲି ଚାଲି ଯିବାକୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।
ରାସ୍ତାରେ ଭାକ୍ୟୁମ୍ ଆଧାରିତ ଝାଡ଼ୁ ଓ ସଫେଇ କାର୍ଯ୍ୟକୁ ଦ୍ବରାନ୍ବିତ କରାଯିବ। ଭିଡ଼ ପୂର୍ବରୁ ଧୂଳି ନିୟନ୍ତ୍ରଣ ପାଇଁ ପାଣି ସିଞ୍ଚନ କରାଯିବ। ନିର୍ଦ୍ଦିଷ୍ଟ ସ୍ଥାନ, ହଟ୍ସ୍ପଟ୍ରୁ ଧୂଳି ସଂଗ୍ରହ କରାଯିବ। ସାର୍ବଜନୀନ ପରିବହନ ସେବାକୁ ତ୍ବରାନ୍ବିତ କରାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ଭିନ୍ନ ଭିନ୍ନ ପରିବହନ ଦର ନିର୍ଦ୍ଧାରଣ କରାଯିବ। ଏନ୍ସିଆର ଅଞ୍ଚଳରେ ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। ତେବେ ରେଳ ସେବା, ଷ୍ଟେସନ, ମେଟ୍ରୋ ରେଳ ସେବା, ବିମାନ ବନ୍ଦର, ବସ୍ ଟର୍ମିନାଲ, ଜାତୀୟ ସୁରକ୍ଷା, ପ୍ରତିରକ୍ଷା, ଜାତୀୟ ଗୁରୁତ୍ବବହନ କରୁଥିବା ପ୍ରକଳ୍ପ, ଡାକ୍ତରଖାନା, ସ୍ବାସ୍ଥ୍ୟସେବା ପ୍ରକଳ୍ପ, ରାଜପଥ, ସଡ଼କ, ଫ୍ଲାଏଓଭର, ବିଦ୍ୟୁତ୍ ସେବା, ପାଇପ୍ଲାଇନ, ଜଳଯୋଗାଣ, ବର୍ଜ୍ୟ ଜଳ ନିଷ୍କାସନ ପ୍ଲାଣ୍ଟ ଭଳି ପ୍ରକଳ୍ପ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ।
ବିଶେଷ କରି ଧୂଳି ସୃଷ୍ଟି କରୁଥିବା ଏବଂ ବାୟୁ ପ୍ରଦୂଷଣ ବଢ଼ାଉଥିବା କୌଣସି ପ୍ରକଳ୍ପ ଏହି ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଖନନ ଭଳି ମାଟି କାମ, ବୋରିଂ, ଡ୍ରିଲିଂ, ଫିଲିଂ ଭଳି କାମ କରାଯିବ ନାହିଁ। ସମସ୍ତ ପ୍ରକାର ଢାଞ୍ଚାଗତ ନିର୍ମାଣ କାମ ବନ୍ଦ ରହିବ। କୌଣସି ଭାଙ୍ଗିବା କାମ ହୋଇପାରିବ ନାହିଁ। ନିର୍ମାଣ ସାମଗ୍ରୀର ଲୋଡିଂ ଓ ଅନ୍ଲୋଡ଼ିଂ ମଧ୍ୟ ବନ୍ଦ ରହିବ। କନଭେୟର ବେଲ୍ଟ ଜରିଆରେ କିମ୍ବା ସାଧାରଣ ଭାବେ କଞ୍ଚାମାଲ, ଫ୍ଲାଏ ଆଶ୍ ଆଦି ପରିବହନ କରାଯିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ବ୍ୟାଚିଂ ପ୍ଲାଣ୍ଟ କାମ, ସିୱେର ଲାଇନ ବିଛାଇବା, ଡ୍ରେନେଜ କାମ, ବିଦ୍ୟୁତ୍ କେବଲିଂ, ଖୋଳିବା କାମ ମଧ୍ୟ ବନ୍ଦ ରହିବ। ଟାଇଲ, ପଥର ବସାଇବା, ଫ୍ଲୋରିଂ କାମ ବନ୍ଦ ରହିବ। ଗ୍ରାଇଣ୍ଡିଂ, ପାଇଲିଂ, ୱାଟର୍ପ୍ରୁଫିଂ କାମ ଆଦି ବନ୍ଦ ରହିବ। ସବୁ ନିର୍ମାଣ ପ୍ରକଳ୍ପରେ ପ୍ରଦୂଷଣନିରୋଧୀ ଓ ଧୂଳି ନିରୋଧୀ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ତେବେ ଦୁଗ୍ଧ, ଦୁଗ୍ଧଜାତ ସାମଗ୍ରୀ ୟୁନିଟ୍ ଏବଂ ଚିକିତ୍ସା ଉପକରଣ/ସରଞ୍ଜାମ, ଔଷଧ ଆଦି ଉତ୍ପାଦନ କରୁଥିବା ଉଦ୍ୟୋଗକୁ ଏହି କଟକଣାରୁ ବାଦ୍ ଦିଆଯାଇଛି।