ଇରାନରେ ଭାରତ ନିର୍ମାଣ କରିଥିବା ଚାବାହାର ବନ୍ଦରକୁ ତାଲିବାନର ସମର୍ଥନ

କାବୁଲ : ଇରାନରେ ଭାରତ ପକ୍ଷରୁ ନିର୍ମାଣ କରାଯାଇଥିବା ଚାବାହାର ବନ୍ଦରକୁ ତାଲିବାନ ସମର୍ଥନ କରିଛି । ଏହି ପ୍ରକଳ୍ପକୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ତାଲିବାନ କହିଛି ।

ତାଲିବାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ମସ୍କୋରୁ ମୁମ୍ବାଇକୁ ଯୋଡ଼ୁଥିବା ନର୍ଥ-ସାଉଥ ଇଣ୍ଟରନାସନାଲ ଟ୍ରାନ୍ସପୋର୍ଟ କରିଡରରେ ଆଫଗାନିସ୍ତାନକୁ ସାମିଲ କରାଯିବା ପ୍ରସ୍ତାବକୁ ତାଲିବାନ ସ୍ବାଗତ କରୁଛି । ଏହି ପ୍ରକଳ୍ପକୁ ସବୁ ପ୍ରକାରର ସୁରକ୍ଷା ଯୋଗାଇଦେବାକୁ ପ୍ରସ୍ତୁତ ଅଛି ବୋଲି ତାଲିବାନ କହିଛି ।

ଚାବାହାର ବନ୍ଦର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଭାରତ ୮୫ ନିୟୁତ ଡଲାର ବିନିଯୋଗ କରିଛି । ଏହି ବନ୍ଦର ଦ୍ୱାରା କେବଳ ଭାରତ, ଇରାନ ନୁହେଁ ଆଫଗାନିସ୍ତାନ ମଧ୍ୟ ବିଶେଷଭାବେ ଉପକୃତ ହେବ । ଏଣୁ ଏହାକୁ ଭାରତ-ଇରାନ-ଆଫଗାନିସ୍ତାନ ମୈତ୍ରୀ ଓ ରଣନୈତିକ ସହଯୋଗିତାର ଏକ ଅଂଶ ବୋଲି କୁହାଯାଉଛି । କାରଣ ଏହି ବନ୍ଦର ହେଲେ ଭାରତ ଆଫଗାନିସ୍ତାନ ଓ କେନ୍ଦ୍ର ଏସିଆରେ ସିଧାସଳଖ ପହଞ୍ଚିପାରିବ । ରୁଷ ଓ ଇରାନରୁ ତୈଳ ଆମଦାନୀ ମଧ୍ୟ ସହଜ ହେବ । ଆଫଗାନିସ୍ତାନ ରପ୍ତାନି ଆମଦାନୀ ପାଇଁ ସବୁବେଳେ ପାକିସ୍ତାନ ଉପରେ ନିର୍ଭର କରୁଥିଲା । କିନ୍ତୁ ଏବେ ଆଉ ପାକିସ୍ତାନ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ତାଲିବାନ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିଚାଲିଥିବାବେଳେ ତାଲିବାନ ପାକିସ୍ତାନ ଉପରେ ନିର୍ଭର ରହିବାକୁ ଚାହୁଁନାହିଁ ।

ସମ୍ବନ୍ଧିତ ଖବର