ଚବାହର ରେଳ ପ୍ରକଳ୍ପରୁ ଭାରତକୁ ବାଦ୍‌ ଦେଲା ଇରାନ୍‌

ତେହେରାନ: ଇରାନ୍‌ର ବହୁ ପ୍ରତୀକ୍ଷିତ ଚବାହର ରେଳପଥ ପ୍ରକଳ୍ପରୁ ଇରାନ୍ ସରକାର ଭାରତକୁ ବାଦ୍ କରିଛନ୍ତି। ଏଥି ସହିତ ଚବାହର ବନ୍ଦରଠାରୁ ଆଫଗାନିସ୍ତାନ ସୀମାନ୍ତ ଜେହେଦାନ୍‌କୁ ସଂଯୋଗ କରୁଥିବା ଏହି ରେଳପଥକୁ ନିଜେ ନିର୍ମାଣ କରିବେ ବୋଲି ଇରାନ୍ ସରକାର ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ, ଏହି ପ୍ରକଳ୍ପ ପାଇଁ ରାଜିନାମା ସ୍ବାକ୍ଷରର ଚାରିବର୍ଷ ପରେ ମଧ୍ୟ ଭାରତ ପକ୍ଷରୁ ପ୍ରକଳ୍ପ ଆରମ୍ଭ ଓ ପୁଞ୍ଜି ଲଗାଣରେ ଅହେତୁକ ବିଳମ୍ବ ଯୋଗୁଁ ଇରାନ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ସଫେଇ ଦେଇଛନ୍ତି। ତେବେ ଚୀନ୍‌ ସହ ବ୍ୟାଙ୍କିଂ, ଟେଲିଯୋଗାଯୋଗ, ବନ୍ଦର ଓ ରେଳପଥ ଆଦି କ୍ଷେତ୍ରରେ ୪୦,୦୦୦ କୋଟି ଡଲାର ପୁଞ୍ଜିଲଗାଣର ବୃହତ୍‌ ୨୫ ବର୍ଷୀୟ ରାଜିନାମା ସଦ୍ୟ ସ୍ବାକ୍ଷରିତ ହେବା ପରେ ଇରାନ୍ ସରକାର ଭାରତର ସହଭାଗିତାକୁ ଏପରି ହଟାଇ ଦେଇଥିବା ଚର୍ଚ୍ଚା ହେଉଛି। ଚୀନ୍ ସହ ଇରାନ୍‌ର ଏହି ସଦ୍ୟ ରାଜିନାମା ଉକ୍ତ ଅଞ୍ଚଳରେ ଭାରତର ସୁଯୋଗରେ ଯଥେଷ୍ଟ ବ୍ୟାଘାତ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତେହେରାନ ଗସ୍ତ କାଳ​ରେ ଇରାନ୍‌ରେ ଏହି ଗୁରୁତ୍ବପୂର୍ଣ୍ଣ ରେଳପଥ ପ୍ରକଳ୍ପ ପାଇଁ ଇରାନୀ ରାଷ୍ଟ୍ରପତି ରୌହାନି ଏବଂ ଆଫଗାନୀ ରାଷ୍ଟ୍ରପତି ଘନିଙ୍କ ସହ ତ୍ରିପାକ୍ଷିକ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଭାରତ-ଆଫଗାନିସ୍ତାନ-ଇରାନ ତ୍ରିପାକ୍ଷିକ ସମ୍ପର୍କ ପ୍ରତି ଏହା ଭାରତର ଅଙ୍ଗୀକାରବଦ୍ଧତା ଥିଲା। ଆଫଗାନିସ୍ତାନ ଓ କେନ୍ଦ୍ରୀୟ ଏସିଆ ପାଇଁ ଏହା ବିକଳ୍ପ ବାଣିଜ୍ୟ ପଥ ଭାବେ ପରିଗଣିତ। ତେବେ ଇରାନ ଉପରେ ଆମେରିକାର ଆର୍ଥିକ କଟକଣା ପରିପ୍ରେକ୍ଷୀରେ ଭାରତ ସେଠାରେ ପ୍ରକଳ୍ପ କାର୍ଯ୍ୟ ଆଦୌ ଆରମ୍ଭ କରିପାରିନାହିଁ। ଏ ଅବସରରେ ଚୀନ୍‌ ସରକାରଙ୍କ ବିଶାଳ ତଥା ସମ୍ପ୍ରସାରିତ ଆର୍ଥିକ ଉପସ୍ଥିତି ଇରାନ୍‌କୁ ଅଧିକ ନିକଟତର କରିବା ସହ ଭାରତକୁ ଦୂରେଇ ଦେବାକୁ ମଧ୍ୟ ବାଧ୍ୟ କରିଛି ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର