କୋଳରେ ଥିବା ସନ୍ତାନ ଦେଖିଲା ମା’ର ମୃତ୍ୟୁ, ଚେନ ଚୋରି କରିବା ପାଇଁ ଛୁରୀ ଭୁସି ହତ୍ୟା କଲା ଚୋର

ନୂଆଦିଲ୍ଲୀ: କୋଳରେ ଥିବା ସନ୍ତାନ ଦେଖିଲା ମା’ର ମୃତ୍ୟୁ। ଚେନ ଚୋରି କରିବା ଉଦ୍ଦେଶ୍ୟରେ ଛୁରୀ ଭୁଷି ୨୫ବର୍ଷୀୟ ମହିଳାଙ୍କୁ ହତ୍ୟା କଲା ଚୋର। ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ମାର୍କେଟକୁ ଯାଇଥିବା ଜଣେ ମହିଳାଙ୍କ ବେକରୁ ଚେନ ଚୋରି କରିବାକୁ ଯାଇ ଜଣେ ଯୁବକ ମହିଳାଙ୍କ ‌ବେକକୁ ଦୁଇ ଥର ଛୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଘଟଣା ପରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏବେ ଘଟଣା ସମୟର ସିସିଟିଭି ଭିଡିଓ ଭାଇରାଲ ହେଉଥିବା ବେଳେ ପୁଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି। ମୃତକଙ୍କ ନାଁ ସିମ୍ରନ ବୋଲି ଜଣାପଡ଼ିଛି।

ଭାଇରାଲ ହେଉଥିବା ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ, ସିମ୍ରନ ଅନ୍ୟ ଜଣେ ମହିଳାଙ୍କ ସହ ଏକ ଜୁନଶୂନ୍ୟ ରାସ୍ତାରେ ରାତି ୯ଟା ୩୦ରେ ଆସୁଥିବା ବେଳେ ଜଣେ ଅଜଣା ଯୁବକ ତାଙ୍କ ପିଛା କରୁଛି। ଏ ବିଷୟରେ ସିମ୍ରନ ଜାଣିବା ପୂର୍ବରୁ ଯୁବକଜଣକ ସିମ୍ରନଙ୍କୁ ପଛପଟୁ ଆକ୍ରମଣ କରୁଛି। କିନ୍ତୁ ଡ଼ରିନଯାଇ ସିମ୍ରନ ଯୁବକଙ୍କୁ ଧକ୍କା ଦେଇ ତଳେ ପକାଇଦେଉଛନ୍ତି। ହେଲେ ଯୁବକଜଣକ ତୁରନ୍ତ ଉଠିଯିବା ସହ ପକେଟରୁ ଛୁରୀ ବାହାର କରି ସିମ୍ରନଙ୍କ ବେକକୁ ଆକ୍ରମଣ କରୁଛି। ଏହା ପରେ ଅଭିଯୁକ୍ତ ଯୁବକଜଣକ ସେଠାରୁ ଚାଲିଯାଉଥିବା ବେଳେ ସିମ୍ରନ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯାଉଛନ୍ତି।

ଘଟଣା ପରେ ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ଆଦର୍ଶ ନାଗର ପୁଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି ଏବଂ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଚାଲିଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର