ମୋଦିଙ୍କଠାରୁ ଶିଖିଲା ଚୀନ: ସ୍ୱଚ୍ଛତା ଅଭିଯାନ ଉପରେ ଗୁରୁତ୍ୱ

ବେଜିଂ: ମନେହେଉଛି ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନରୁ ଶିକ୍ଷା ଲାଭ କରିଛି ଚୀନ । ମୋଦିଙ୍କ ପରି ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ବି ପରିମଳ ଉପରେ ଗୁରୁତ୍ୱ ଆରୋପ କରିବା ସହ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଶୌଚାଳୟ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୨୦୧୫ରେ ରାଷ୍ଟ୍ରପତି ଜି ଏହି ଶୌଚାଳୟ ଅଭିଯାନର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲେ ଯେଉଁଥିରେ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଥିବା ଶୌଚାଳୟଗୁଡ଼ିକର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଥିଲା । ଅକ୍ଟୋବର ସୁଦ୍ଧା ଚୀନର ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରାୟ ୬୮ ହଜାର ଶୌଚାଳୟ ନିର୍ମାଣ କରାଯାଇଛି । ୨୦୧୮ରୁ ୨୦୨୦ ମଧ୍ୟରେ ଆଉ ୬୪ ହଜାର ଶୌଚାଳୟ ନିର୍ମାଣ ପାଇଁ ବିଭାଗ ଲକ୍ଷ୍ୟ ରଖିଛି ।
ଏବେ ଜି ଏହି ଅଭିଯାନର ୨ୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ଯେଉଁଥିରେ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଶୌଚାଳୟ ନିର୍ମାଣ କରାଯିବା ଉପରେ ଗୁରୁତ୍ୱ ଦିଆଯିବ ।

ଚୀନର ଗ୍ରାମାଞ୍ଚଳରେ ଲୋକମାନେ ଏବେ ବି ଶୌଚାଳୟର ସୁବିଧା ଠିକ ଭାବେ ପାଇପାରିନାହାନ୍ତି । ଅନେକ ଗାଁରେ ଲୋକମାନେ ଅର୍ଥ ଅଭାବରୁ ବାହାରକୁ ଶୌଚ ପାଇଁ ଯାଉଛନ୍ତି ବା ଉଠା ପାଇଖାନା ବ୍ୟବହାର କରୁଛନ୍ତି । ଲୋକମାନଙ୍କ ଏହି ପରିସ୍ଥିତିରେ ଉନ୍ନତି ଆଣିବାକୁ ଉଦ୍ୟମ କରୁଛନ୍ତି ଜି ।

ସେ କହିଛନ୍ତି ନୂଆ ବିକଶିତ ଚୀନ ଗଢିବାକୁ ହେଲେ ଆମକୁ ଏ କ୍ଷେତ୍ରରେ ମଧ୍ୟ ଉନ୍ନତି କରିବାକୁ ହେବ । ଦେଶର ସାଧାରଣ ଜନତାଙ୍କ ଜୀବନ ଧାରଣ ମାନରେ ଉନ୍ନତି କରି ହିଁ ଆମେ ବିକାଶ ପଥରେ ଆଗେଇ ପାରିବା ।

ଚୀନର ସମ୍ବାଦ ସରବରାହ ସଂସ୍ଥା ଜିନ୍‌ହୁଆର ଏକ ଖବର ଅନୁସାରେ ଜି କିଛିଦିନ ତଳେ ଗ୍ରାମାଞ୍ଚଳ ଗସ୍ତରେ ଯାଇଥିବାବେଳେ ଲୋକମାନଙ୍କୁ ସେମାନଙ୍କର ଶୌଚାଳୟର ଅବସ୍ଥା ସଂପର୍କରେ ପଚାରିଥିଲେ । ଏକ ସ୍ୱଚ୍ଛ ପାଇଖାନା ଦ୍ୱାରା ଗ୍ରାମୀଣ ଚୀନର ବିକାଶ ସମ୍ଭବ ବୋଲି ସେ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଗତ ୨୦୧୪ରେ ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର