ନୂଆ ରେଳମନ୍ତ୍ରୀଙ୍କ ପାଇଁ ଆହ୍ବାନ: ଯାତ୍ରୀଙ୍କୁ ଫେରାଇ ଆଣିବା, ଘରୋଇ ନିବେଶ

ନୂଆଦିଲ୍ଲୀ : ଦେଶର ନୂଆ ରେଳମନ୍ତ୍ରୀ ଭାବେ ଅଶ୍ବିନୀ ବୈଷ୍ଣବ ଦାୟିତ୍ବ ଗ୍ରହଣ କରିଛନ୍ତି। କରୋନା ମହାମାରୀ ପ୍ରଭାବରୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଏକପ୍ରକାର ବନ୍ଦ ରହିଥିବା ଭଳି ଏକ ଗମ୍ଭୀର ସମୟରେ ସେ ରେଳ ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କ ସାମ୍ନାରେ ଅନେକ ଆହ୍ବାନ ରହିଛି। ଯାତ୍ରୀମାନଙ୍କୁ ପୁଣି ଟ୍ରେନ୍‌ ପର୍ଯ୍ୟନ୍ତ ଫେରାଇ ଆଣିବା, ଘରୋଇ ପୁଞ୍ଜିନିବେଶ ଯୋଗାଡ଼ କରିବା, ବୁଲେଟ୍‌ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଏବଂ ରେଳବାଇ ପାଖରେ ବ୍ୟବହାର ନହୋଇ ଯେଉଁ ସବୁ ଜମି ପଡ଼ିରହିଛି ସେଗୁଡ଼ିକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରି କିଭଳି କିଛି ଆୟ କରି ହେବ ସେ ଉପରେ ନୂଆ ରେଳମନ୍ତ୍ରୀ ଗୁରୁତ୍ବ ଦେବେ।

୨୦୧୭ରେ ସୁରେଶ ପ୍ରଭୁଙ୍କ ଠାରୁ ରେଳ ମନ୍ତ୍ରଣାଳୟକୁ ଆଣି ପୀୟୂଷ ଗୋୟଲଙ୍କୁ ଦିଆଯାଇଥିଲା। ପୀୟୂଷଙ୍କ ଉତ୍ତରାଧିକାରୀ ଭାବେ ଅଶ୍ବିନୀ ‌ଏବେ ରେଳବାଇର ଦେଖାଶୁଣା କରିବେ। ରେଳବାଇ ୧୦୯ଟି ରୁଟ୍‌କୁ ଘରୋଇ କ୍ଷେତ୍ରର ସଂସ୍ଥାକୁ ହସ୍ତାନ୍ତର କରିବାକୁ ଚାହୁଛି। ୩୫ ବର୍ଷୀୟା ଚୁକ୍ତି ସ୍ବାକ୍ଷର କରି ଟ୍ରେନ୍ ଚଳାଚଳ କ୍ଷେତ୍ରରେ ପ୍ରବେଶ କରିବା ଲାଗି ଜିଏମ୍‌ଆର୍‌ ଓ ଏଲ୍‌ଆଣ୍ଡ୍‌ଟି ଭଳି ଘରୋଇ ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି। ୨୦୨୦ର ଏପ୍ରିଲ୍ ଓ ମେ’ ମାସରେ ରେଳବାଇ ୧୨,୩୯୪.୨୨ କୋଟି ଟଙ୍କାର ଆୟ କରିଥିଲା। ୨୦୨୧ର ସେହି ଦୁଇ ମାସରେ ଆୟ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇ ୨୫,୦୩୫.୪୯ କୋଟି ଟଙ୍କା ହୋଇଛି। ମାଲ ପରିବହନରୁ ରେଳବାଇ ଅଧିକ ଆୟ କରୁଛି। ସେଥିପାଇଁ ଏହାର ପରିଚାଳନା ଅନୁପାତରେ ମଧ୍ୟ ଉନ୍ନତି ଘଟିଛି। ୨୦୧୯-୨୦ରେ ପରିଚାଳନା ଅନୁପାତ ୯୮.୩୬ ପ୍ରତିଶତ ଥିଲା। ଅର୍ଥାତ ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ରେଳବାଇକୁ ୯୮ ଟଙ୍କା ୩୬ ପଇସା ବ୍ୟୟ କରିବାକୁ ପଡ଼ୁଥିଲା। ୨୦୨୦-୨୧ରେ ସେହି ଅନୁପାତ ୯୭.୪୫%କୁ ଓ ୨୦୨୧-୨୨ରେ ୯୬.୧୫%ରେ ପହଞ୍ଚିଛି। ୨୦୨୦-୨୧ରେ ରେଳବାଇର କାର୍ଯ୍ୟକାରୀ ବ୍ୟୟ ୩୧,୨୦୯.୯୦ କୋଟି ଟଙ୍କା ଥିବା ବେଳେ ଆୟ ଥିଲା ମାତ୍ର ୧୨,୩୯୪.୨୨ କୋଟି ଟଙ୍କା। ୨୦୨୧ର ମେ’ ସୁଦ୍ଧା ରେଳବାଇର କାର୍ଯ୍ୟକାରୀ ବ୍ୟୟ ୩୩,୫୨୦.୧୯ କୋଟି ଟଙ୍କା ହୋଇଥିବା ବେଳେ ଆୟରେ ସୁଧାର ଘଟି ୨୫,୦୩୫ କୋଟି ଟଙ୍କାରୁ ଅଧିକ ହୋଇଛି।

ବର୍ତ୍ତମାନ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ ରହିଥିବାରୁ ରେଳ ଟ୍ରାକ୍‌ଗୁଡ଼ିକ ଖୋଲା ରହୁଛି। ଫଳରେ ମାଲ ପରିବହନ କରୁଥିବା ଟ୍ରେନ୍‌ଗୁଡ଼ିକ ବିନା କୌଣସି ପ୍ରତିବନ୍ଧକରେ ଦ୍ରୁତ ଗତିରେ ଚାଲୁଛି। ଡେଡିକେଟେଡ୍‌ ଫ୍ରେଟ୍ କରିଡର୍‌ କାର୍ଯ୍ୟକ୍ଷମ ହୋଇଥିବାରୁ ମଧ୍ୟ ମାଲ ପରିବହନରେ ଉନ୍ନତି ଘଟିଛି। ରେଳ ରୁଟ୍‌ରେ ମାଲବାହୀ ଟ୍ରେନ୍ ଚଳାଚଳ କମ୍ କରିବା ଲାଗି ଫ୍ରେଟ୍‌ କରିଡର୍‌ କାର୍ଯ୍ୟକୁ ଖୁବ୍‌ଶୀଘ୍ର ଶେଷ କରିବା ଉପରେ ରେଳବାଇ ଗୁରୁତ୍ବ ଦେଉଛି।

ସମ୍ବନ୍ଧିତ ଖବର