ବେରୋଜଗାର ମୋଦିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌

ଟାଇମ୍‌୍‌ସ ଗ୍ରୁପ୍‌ ପୋଲ୍‌ ମୋଦିଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହୁଛନ୍ତି ୭୨% ଜନତା

ନୂଆଦିଲ୍ଲୀ: କେନ୍ଦ୍ରର ଏନଡିଏ ସରକାରଙ୍କ ୪ ବର୍ଷ କାର୍ଯ୍ୟକାଳ ଶେଷ ହୋଇଛି। ଏହି ଅବସରରେ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଗ୍ରୁପ୍‌ ପକ୍ଷରୁ ସାରା ଦେଶରେ ୯ଟି ଗଣମାଧ୍ୟମରେ ଅନଲାଇନ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ମୁତାବକ, ବିଗତ ୪ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ପର୍ଯ୍ୟାପ୍ତ ରୋଜଗାର ସୃଷ୍ଟି କରିପାରି ନାହାନ୍ତି। ଏହି ସର୍ଭେରେ ମୋଦି ସରକାରଙ୍କ ସବୁଠୁ ବଡ଼ ବିଫଳତା କ’ଣ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ୨୮.୩ ପ୍ରତିଶତ ଲୋକ ବେରୋଜଗାରୀ ବୋଲି ଉତ୍ତର ଦେଇଛନ୍ତି। ତେବେ ବେରୋଜଗାର ଦୂର କରିବାରେ କେନ୍ଦ୍ର ସରକାରଙ୍କ ପ୍ରୟାସରେ ୫୮.୪ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ସର୍ଭେରୁ ଜଣାପଡ଼ିଛି। ୩୬.୩ ପ୍ରତିଶତ ଲୋକ ରୋଜଗାର ସୃଷ୍ଟିରେ କେନ୍ଦ୍ର ସରକାରଙ୍କ ପ୍ରୟାସ ଅତ୍ୟନ୍ତ ଖରାପ ବୋଲି ମତ ଦେଇଥିବା ବେଳେ ୨୧.୨ ପ୍ରତିଶତ ଲୋକ କେନ୍ଦ୍ର ସରକାରଙ୍କ ରୋଜଗାର ସୃଷ୍ଟି ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେମାନଙ୍କ ମତରେ କେନ୍ଦ୍ର ସରକାର ବେରୋଜଗାରୀ ଦୂର କରିବାକୁ ଏବେ ପ୍ରୟାସ ଜାରି ରଖିଛନ୍ତି। ସେହିଭଳି କେନ୍ଦ୍ର ସରକାରଙ୍କ ଅନ୍ୟ ବିଫଳତାଗୁଡ଼ିକ ମଧ୍ୟରୁ ୨୨.୨୦ ପ୍ରତିଶତ ଲୋକ ବିମୁଦ୍ରାକରଣ,୧୨.୫୮ ପ୍ରତିଶତ ଲୋକ କୃଷକ ଓ କୃଷି କ୍ଷେତ୍ରରେ ସଙ୍କଟ, ୧୪.୨୮ ପ୍ରତିଶତ ଲୋକ କଶ୍ମୀର ନୀତି ଓ ୨୨.୬୪ ପ୍ରତିଶତ ଲୋକ ଅନ୍ୟାନ୍ୟ ପ୍ରସଙ୍ଗଗୁଡ଼ିକୁ ମୋଦି ସରକାରଙ୍କ ବିଫଳତା ବୋଲି ମତ ଦେଇଛନ୍ତି।

ଏବେ ଯଦି ଲୋକସଭା ନିର୍ବାଚନ ହୁଏ ତେବେ ୭୧.୯୫ ପ୍ରତିଶତ ଲୋକ ନରେନ୍ଦ୍ର ମୋଦିଙ୍କୁ ପୁନଃ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଥିବା ବେଳେ ୧୧.୯୩ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ମୋଦି ସରକାରଙ୍କ ୪ ବର୍ଷର କର୍ଯ୍ୟକାଳରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଅସୁରକ୍ଷିତ କି ବୋଲି ପଚାରାଯାଇଥିବା ପ୍ରଶ୍ନରେ ୩୦ ପ୍ରତିଶତ ଲୋକ ସଂଖ୍ୟାଲଘୁ ସଂପ୍ରଦାୟ ଅସୁରକ୍ଷିତ ବୋଲି ଉତ୍ତର ଦେଇଛନ୍ତି। ସର୍ଭେରେ ମୋଟ ୧୦ଟି ପ୍ରଶ୍ନ ପଚରା ଯାଇଥିବା ବେଳେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଭାଗ ନେଇଥିଲେ। ମୋଦି ସରକାରକୁ ହଟାଇବା ପାଇଁ ବିରୋଧୀଙ୍କ ମେଣ୍ଟ ୨୦୧୯ ନିର୍ବାଚନରେ ସଫଳ ହେବ କି ନାହିଁ ବୋଲି ମଧ୍ୟ ପ୍ରଶ୍ନ ପଚରାଯାଇଥିଲା। ୨୮.୯୬ ପ୍ରତିଶତ ଲୋକ ବିରୋଧୀ ମେଣ୍ଟ ବିଜେପିକୁ କ୍ଷମତାରୁ ଦୂରେଇ ପାରିବେ ବୋଲି ମତାମତ ଦେଇଥିବା ବେଳେ ୫୭.୧୨ ପ୍ରତିଶତ ଲୋକ ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର