ନୂଆଦିଲ୍ଲୀ : ମୁସଲିମ ସଂପ୍ରଦାୟରେ ଥିବା ବହୁବିବାହ (ପଲିଗାମି) ଏବଂ ‘ନିକାହ ହଲାଲା’ ପ୍ରଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ହୋଇଥିବା ବିଭିନ୍ନ ଆବେଦନର ଶୁଣାଣି ପାଇଁ କୋର୍ଟ ଏକ ନୂଆ ୫ ଜଣିଆ ସମ୍ବିଧାନ ପୀଠ ଗଠନ କରିବେ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍ ନରସିଂହଙ୍କ ଖଣ୍ଡପୀଠ ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟଙ୍କ ନିବେଦନ ଶୁଣିବାପରେ ଏହା କହିଛନ୍ତି। ଅଶ୍ବିନୀ ଉପାଧ୍ୟାୟ ମଧ୍ୟ ଉକ୍ତ ପ୍ରସଙ୍ଗରେ ଏକ ପିଆଇଏଲ୍ ଦାଖଲ କରିଛନ୍ତି।
ଉପାଧ୍ୟାୟ ଖଣ୍ଡପୀଠଙ୍କୁ ଦର୍ଶାଇଥିଲେ ଯେ ପୂର୍ବ ଖଣ୍ଡପୀଠର ୨ ଜଣ ବିଚାରପତି ତଥା ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ହେମନ୍ତ ଗୁପ୍ତା ଅବସର ନେଇ ସାରିଛନ୍ତି। ତେଣୁ ଏବେ ଏକ ନୂ୍ଆ ସମ୍ବିଧାନ ପୀଠ ଗଠନର ଆବଶ୍ୟକତା ରହିଛି। ଉପାଧ୍ୟାୟଙ୍କ ଆବେଦନର ଶୁଣାଣି କରିବାପରେ ସୁପ୍ରିମକୋର୍ଟ ଉକ୍ତ ମାମଲାର ଶୁଣାଣି ପାଇଁ ନୂଆ ସମ୍ବିଧାନ ପୀଠ ଗଠନ ହେବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୩୦ରେ ଜଷ୍ଟିସ ଇନ୍ଦିରା ବାନାର୍ଜୀ, ହେମନ୍ତ ଗୁପ୍ତା, ସୂର୍ଯ୍ୟ କାନ୍ତ, ଏମଏମ ସୁନ୍ଦରେଶ ଏବଂ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଉକ୍ତ ମାମଲାରେ ଦାଖଲ ପିଆଇଏଲ୍ରେ ଏନ୍ଏଚଆରସି (ଜାତୀୟ ମାନବାଧିକାର କମିସନ୍), ଏନ୍ସିଡବ୍ଲ୍ୟୁ (ଜାତୀୟ ମହିଳା କମିସନ୍) ଏବଂ ଏନ୍ସିଏମ୍ (ଜାତୀୟ ସଂଖ୍ୟାଲଘୁ କମିସନ୍)କୁ ପକ୍ଷଭୁକ୍ତ କରିଥିଲେ ଏବଂ ସେମାନଙ୍କ ଜବାବ ମାଗିଥିଲେ। ୨୦୧୮ରେ ସୁପ୍ରିମକୋର୍ଟ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ ଏବଂ ଏହାକୁ ୫ ଜଣିଆ ସମ୍ବିଧାନ ପୀଠକୁ ପଠାଇଥିଲେ। ଏବେ ଏହି ସମ୍ବିଧାନ ପୀଠର ପୁନର୍ଗଠନ ହେବ।
ଉଲ୍ଲେଖଯୋଗ୍ୟ, ‘ପଲିଗାମି’ ଦ୍ବାରା ମୁସଲିମ ବ୍ୟକ୍ତିଙ୍କୁ ୪ ଜଣ ମହିଳାଙ୍କୁ ବିବାହ କରିବା ଅଧିକାର ଦିଆଯାଇଛି । ‘ନିକାହ ହଲାଲା’ ପ୍ରକ୍ରିୟା ହେଉଛି ଜଣେ ମୁସଲିମ ମହିଳା ଯଦି ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ପରେ ପୁନର୍ବିବାହ କରିବାକୁ ଚାହିବେ ତେବେ ତାଙ୍କୁ ପ୍ରଥମେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାପରେ ତାଙ୍କଠାରୁ ଛାଡ଼ପତ୍ର ଆଣିବାକୁ ପଡ଼ିବ। ଏହାପରେ ସେ ତାଙ୍କ ଛାଡ଼ପତ୍ର ଦେଇଥିବା ସ୍ବାମୀଙ୍କୁ ପୁନର୍ବିବାହ କରିପାରିବେ।