ପାଟନା: ବିହାରକୁ ଏବେ ଘାରିଛି ନିର୍ବାଚନୀ ଜ୍ୱର। ମହାମେଣ୍ଟ ଓ ଏନ୍‌ଡିଏ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ରାଜ୍ୟ ଜନସଂଖ୍ୟାର ୧୮% ମୁସଲମାନ ଫଳାଫଳକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି। ବିହାରର ମୁସଲମାନମାନେ ପାରମ୍ପରିକ ଭାବେ ଆର୍‌ଜେଡି ଓ କଂଗ୍ରେସର ମହାଗଠବନ୍ଧନ ପାଇଁ ଭୋଟ୍ ଦେଉଥିବା ବେଳେ ଏବେ କିଛି ନୂଆ ରାଜନୈତିକ ପରିସ୍ଥିତି ଏଥିରେ ପରିବର୍ତ୍ତନ ଆଣିପାରେ ବୋଲି କୁହାଯାଉଛି। ଚଳିତ ବର୍ଷ, ୨୦୨୦ରେ ପାଞ୍ଚଟି ଆସନ ଜିତିଥିବା ଅସଦୁଦ୍ଦିନ ଅୱେସିଙ୍କ ଏଆଇଏମ୍ଆଇଏମ୍ ଏବଂ ନିର୍ବାଚନୀ ରଣନୀତିଜ୍ଞରୁ ରାଜନେତା ବନିଥିବା ପ୍ରଶାନ୍ତ କିଶୋର (ପିକେ)ଙ୍କ  ଦଳ ଜନ ସୁରାଜ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୁସଲମାନ ସମ୍ପ୍ରଦାୟର ସମର୍ଥନ ପାଉଥିବା ଆର୍‌ଜେଡି-କଂଗ୍ରେସ ମେଣ୍ଟ ପାଇଁ ଏହା ଚିନ୍ତା-ଉଦ୍ରେକକାରୀ ହୋଇପାରେ।

Advertisment

ରାଜ୍ୟର ୨.୩ କୋଟି ମୁସଲମାନ ଏଥର କାହାକୁ ଭୋଟ୍ ଦେବେ? ୨୦୨୦ରେ ଏଆଇଏମ୍ଆଇଏମ୍ ଏକ ଛାପ ଛାଡ଼ିଥିବା ସୀମାଞ୍ଚଳରେ ଏହି ସମ୍ପ୍ରଦାୟର ପ୍ରଭାବ କ’ଣ ହେବ? ସେମାନେ ମହାମେଣ୍ଟ ସହିତ ରହିବେ ନା ଅୱେସିଙ୍କ ଏଆଇଏମ୍‌ଆଇଏମ୍‌ ସହିତ ରହିବେ? ଅଥବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ତାଙ୍କର ‘ବିକଳ୍ପ ଶାସନ ମଡେଲ’ ଏବଂ ‘୪୦-୨୦’ ରଣନୀତି ଦ୍ୱାରା ସମ୍ପ୍ରଦାୟକୁ ଆକର୍ଷିତ କରିବାରେ ସଫଳ ହେବେ? ଏହିପରି ନାନା ପ୍ରଶ୍ନ ଉଠୁଛି। ୨୦୨୨ ରାଜ୍ୟ ଜାତି ସର୍ଭେ ଅନୁଯାୟୀ ବିହାର ଜନସଂଖ୍ୟାର ପ୍ରାୟ ୧୭.୭% ମୁସଲମାନ। ୨୦୧୧ ଗଣନା ଅନୁଯାୟୀ ଏହି ସମ୍ପ୍ରଦାୟ ରାଜ୍ୟ 

ଜନସଂଖ୍ୟାର ୧୬.୯% ଥିଲା। ଏହି ସମ୍ପ୍ରଦାୟ କେତେକ ଅଞ୍ଚଳରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ପ୍ରାୟ ୭୫% ମୁସଲମାନ ଉତ୍ତର ବିହାରରେ ବାସ କରନ୍ତି, ଯେଉଁଠାରେ ସୀମାଞ୍ଚଳ ଅଞ୍ଚଳରେ ସର୍ବାଧିକ ଘନତ୍ୱ ରହିଛି। ପୂର୍ଣ୍ଣିଆ ଡିଭିଜନର ଚାରୋଟି ଜିଲ୍ଲାକୁ ନେଇ ଗଠିତ ଏହି ଅଞ୍ଚଳରେ କିଷନଗଞ୍ଜ (୬୮%), କଟିହାର (୪୪%), ଆରାରିଆ (୪୩%) ଓ ପୂର୍ଣ୍ଣିଆ (୩୮%) ରହିଛି। ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ନେପାଳ ଓ ଦକ୍ଷିଣରେ ଗଙ୍ଗା ସୀମାରେ ଥିବା ଏହି ଅଞ୍ଚଳରେ ୨୪ଟି ବିଧାନସଭା ଆସନ ରହିଛି। ଯଦିଓ ବିହାରରେ ମୁସଲମାନମାନେ ଏକ ଗୋଷ୍ଠୀ ହୋଇ ଭୋଟ୍ ଦେଉଥିବା ବିବେଚନା କରାଯାଏ, ତଥାପି ସମ୍ପ୍ରଦାୟର ଆଭ୍ୟନ୍ତରୀଣ ଜାତିଗତ ବିଭାଜନ ଏକଚାଟିଆ ‘ମୁସଲମାନ ଭୋଟ୍ ବ୍ୟାଙ୍କ’ର ଧାରଣାକୁ ଚ୍ୟାଲେଞ୍ଜ କରେ।

ତେବେ ବିହାରର ୨୪୩ଟି ବିଧାନସଭା ଆସନ ମଧ୍ୟରୁ ୮୭ଟି ଆସନରେ ମୁସଲମାନ ଜନସଂଖ୍ୟା ୨୦%ରୁ ଅଧିକ ଥିବା ବେଳେ ଅନ୍ୟ ୪୭ଟି ଆସନରେ ଏହା ୧୫-୨୦ ପ୍ରତିଶତ ମଧ୍ୟରେ ରହିଛି। ମୁସଲମାନମାନେ ସାଧାରଣତଃ ‘ଧର୍ମନିରପେକ୍ଷ ମେଣ୍ଟ’ ସପକ୍ଷରେ ଭୋଟ୍ ଦେଇଥାନ୍ତି, ଯେଉଁଥିରେ ୭୦-୮୦% ମହାଗଠବନ୍ଧନକୁ ସମର୍ଥନ କରିଛନ୍ତି। ଯାଦବଙ୍କ ସହ ମୁସଲମାନମାନେ ଆର୍‌ଜେଡିର ପାରମ୍ପରିକ ଏମ୍‌ୱାଇ (ମୁସଲିମ୍-ଯାଦବ) ଭୋଟ୍‌ବ୍ୟାଙ୍କ ଗଠନ କରନ୍ତି। ରାଜନୈତିକ ସମୀକ୍ଷକ ଅମିତାଭ ତିୱାରୀ କହିଛନ୍ତି, ଐତିହାସିକ ଭାବରେ ପ୍ରାୟ ୭୫% ମୁସଲମାନ ଭୋଟର ମହାମେଣ୍ଟକୁ ସମର୍ଥନ କରିଛନ୍ତି। ତଥାପି ସମ୍ପ୍ରଦାୟର ସଦସ୍ୟମାନଙ୍କ ମଧ୍ୟରେ ପ୍ରାଥମିକତା ବଦଳିବାରେ ଲାଗିଛି। ଯୁବକ, ସହରୀ ମୁସଲମାନମାନେ ବର୍ତ୍ତମାନ ପରିଚୟ ଅପେକ୍ଷା ଚାକିରି ଓ ବିକାଶକୁ ପ୍ରାଥମିକତା ଦେଉଛନ୍ତି। ସର୍ଭେରୁ ଜଣାପଡିଛି ଯେ ଅର୍ଥନୈତିକ ଚିନ୍ତାଧାରା ସାମ୍ପ୍ରଦାୟିକ ଆବେଦନକୁ ଅତିକ୍ରମ କରୁଛି।