ଚମ୍ବଲ ଦସ୍ୟୁମାନଙ୍କ ଆତ୍ମସମର୍ପଣର ସ୍ୱର୍ଣ୍ଣଜୟନ୍ତୀ

ମୋରୈନା: ଚମ୍ବଲ ଦସ୍ୟୁମାନଙ୍କ ଆତ୍ମସମର୍ପଣର ୫୦ ବର୍ଷ ପୂର୍ତ୍ତି ଉତ୍ସବ ଏହି ଜିଲ୍ଲାର ଜୌରା ଠାରେ ପାଳିତ ହୋଇଯାଇଛି। ଏପ୍ରିଲ୍‌ ୧୪ ତାରିଖର ସେହି ସ୍ମରଣୀୟ ଦିବସରେ ଆତ୍ମସମର୍ପଣକାରୀଙ୍କ ସ୍ମୃତିରେ ଏକ ଭବ୍ୟ ଉତ୍ସବ ଜୌରାସ୍ଥିତ ମହାତ୍ମାଗାନ୍ଧୀ ସେବା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜଣାଶୁଣା ସମାଜସେବୀ ପି.ଭି. ରାଜଗୋପାଳ ଓ ସେବା ଆଶ୍ରମର ସଂଞ୍ଚାଳକ ରଣସିଂହ ପର୍‌ମାରଙ୍କ ନେତୃତ୍ୱରେ ଦେଶର ୨୩ଟି ରାଜ୍ୟର ଗାନ୍ଧୀବାଦୀମାନେ ଏକଜୁଟ ହୋଇ ୧୯୭୨ ମସିହାର ସେଇ ଐିତିହାସିକ ମୁହୂର୍ତ୍ତର ସ୍ମୃତିଚାରଣ କରିଛନ୍ତି। ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଏସ୍‌.ଏନ୍‌. ସୁବାରାଓଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଔପଚାରିକ ଭାବେ ଚମ୍ବଲ ଦସ୍ୟୁମାନେ ନିଜନିଜର ବନ୍ଧୁକ ତ୍ୟାଗ କରି ସାଧାରଣ ଜୀବନଯାପନ ଆରମ୍ଭ କରିଥିଲେ। ସୁବାରାଓ ଓରଫ ଭାଇଜୀ ୧୯୬୪ ମସିହାରେ ଚମ୍ବଲର ଜୌରା ଗାଆଁରେ ୧୦ ମାସ ପର୍ଯ୍ୟନ୍ତ ଶିବିର ଚଳାଇଥିଲେ।

ଏହି ପ୍ରୟାସର ଫଳ ସ୍ୱରୂପ ୧୯୭୨ରେ କୁଖ୍ୟାତ ଦସ୍ୟୁ ମୋହର ସିଂହ ଓ ମାଧୋ ସିଂହଙ୍କ ସମେତ ୧୨ ଜଣ ଦସ୍ୟୁ ଆତ୍ମସମର୍ପଣ କରିଥିଲେ। ଏହିପରି ଭାବେ ପଛକୁ ପଛ ସମୁଦାୟ ୬୫୪ ଜଣ ଦସ୍ୟୁ ବନ୍ଧୁକ ଓ ହିଂସା ଛାଡ଼ି ସମାଜର ମୁଖ୍ୟ ଧାରାରେ ସାମିଲ ହୋଇ ଶାନ୍ତିମାର୍ଗକୁ ଧରିଥିଲେ। ଏ ଘଟଣାକ୍ରମ ଦେଶବିଦେଶରେ ଚହଳ ସୃଷ୍ଟି କରିଥିଲା। ୫୦ ବର୍ଷ ମଧ୍ୟରେ ସେହି ଆତ୍ମସମର୍ପଣକାରୀ ଦସ୍ୟୁମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଲାଣି। ଜୀବିତ ଥିବା ୧୮ ଜଣ ଆତ୍ମସମର୍ପଣକାରୀ ନାଗରିକଙ୍କୁ ୧୪ ଏପ୍ରିଲ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଅହିଂସା ଓ ଶାନ୍ତି ପାଇଁ ଗାନ୍ଧିବାଦ ବିଶ୍ୱାସୀ ବିଭିନ୍ନ ବୟସର ହଜାରେ ଜଣରୁ ଅଧିକ ମହିଳା ଓ ପୁରୁଷ ଏକ ସମ୍ମିଳନୀରେ ଏକାଠି ହୋଇ ସ୍ୱରାଜ, ସ୍ୱାବଲମ୍ବନ ଓ ଶିକ୍ଷା ବିଷୟରେ ଚର୍ଚା କରିଥିଲେ। ଏହି ସମ୍ମିଳନୀରେ ମୋରୈନା ଲୋକସଭା ସଦସ୍ୟ ତଥା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତିନିଦିନିଆ ସମ୍ମିଳନୀ ୧୬ ଏପ୍ରିଲ୍‌ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଭାଇଜୀଙ୍କ ପ୍ରତିଷ୍ଠିତ ଜାତୀୟ ଯୁବ ପ୍ରକଳ୍ପର ଏ ତିନିଦିନିଆ ଯୁବ ତାଲିମ ଶିବିର ଅନୁଷ୍ଠିତ ହେବା ସହ ପି.ଭି. ରାଜଗୋପାଳଙ୍କ ‘‘ଏକତା ପରିଷଦ’’ର ଏକ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି।

ସମ୍ବନ୍ଧିତ ଖବର