ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହେମନ୍ତ ସୋରେନ ସରକାରରେ ମନ୍ତ୍ରୀ ଚମ୍ପାଇ ସୋରେନ ବିଜେପିରେ ଯୋଗଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ନିଜର ମତକୁ ବିସ୍ତୃତ ଭାବରେ ପ୍ରକାଶ କରିଛନ୍ତି। ଏଥିରେ ସେ ଦଳ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ଚମ୍ପାଇ ସୋରେନ ସୋସିଆଲ ମିଡିଆରେ ଲେଖିଛନ୍ତି ଆଜି ଖବର ଦେଖିବା ପରେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ | ଏମିତି କାହିଁକି ହେଲା, ଏମିତି କ’ଣ ଘଟିଲା ଯେ କୋଲହାନର ଏକ ଛୋଟ ଗାଁରେ ରହୁଥିବା ଜଣେ ଗରିବ କୃଷକର ପୁଅକୁ ଏହି ମୋଡ଼ରେ ଆଣି ଛିଡା କରାଇଦିଆଗଲା? ସେ ଅଭିଯୋଗ କରିଛନ୍ତି ଯେ ଗତ ତିନି ଦିନର ଅପମାନଜନକ ଆଚରଣ ହେତୁ ମୁଁ ମୋର ଲୁହକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲି, କିନ୍ତୁ ସେମାନେ କେବଳ ଚେୟାରକୁ ନେଇ ଚିନ୍ତିତ ଥିଲେ। ମୁଁ ଅନୁଭବ କଲି ଯେପରି ମୋର କୌଣସି ଅସ୍ତିତ୍ୱ ନାହିଁ, ସେହି ଦଳରେ କୌଣସି ଅସ୍ତିତ୍ୱ ନାହିଁ ଯେଉଁଥି ପାଇଁ ମୁଁ ମୋର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଥିଲି | ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ଅନେକ ଅପମାନଜନକ ଘଟଣା ଘଟିଛି, ଯାହା ମୁଁ ବର୍ତ୍ତମାନ ଉଲ୍ଲେଖ କରିବାକୁ ଚାହେଁ ନାହିଁ। ଏତେ ଅପମାନ ପରେ, ମୁଁ ଏକ ବିକଳ୍ପ ରାସ୍ତା ଖୋଜିବାକୁ ବାଧ୍ୟ ହେଲି |
ମୁଁ ବିଧାୟକ ଦଳର ବୈଠକରେ କହିଲି, ଆଜିଠାରୁ ମୋ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ପାଖରେ ତିନୋଟି ବିକଳ୍ପ ଥିଲା। ପ୍ରଥମରେ ରାଜନୀତିରୁ ଅବସର ନେବି, ଦ୍ଵିତୀୟରେ, ଆମର ନିଜ ସଂଗଠନ ପ୍ରତିଷ୍ଠା କରିବା ଏବଂ ତୃତୀୟରେ ଯଦି ଆମେ ଏହି ରାସ୍ତାରେ କୌଣସି ସାଥୀ ପାଇଥାଉ, ତା’ହେଲେ ଆମେ ତାଙ୍କ ସହିତ ଆଗକୁ ଯାତ୍ରା କରିବା ଉଚିତ୍ | ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏବଂ ଆଗାମୀ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ଯାତ୍ରା ପାଇଁ ମୋ ପାଇଁ ସମସ୍ତ ବିକଳ୍ପ ଖୋଲା ଅଛି। ଜେଏମଏମ ନେତା ଚମ୍ପାଇ ସୋରେନ ଆହୁରି ମଧ୍ୟ କହିଛନ୍ତି ଯେ ସେ କୌଣସି ପଦବୀରେ ରହିଥାନ୍ତୁ ନା ନାହିଁ ସେ ପ୍ରତି ମୁହୂର୍ତ୍ତରେ ଜନସାଧାରଣଙ୍କ ନିକଟରେ ଉପଲବ୍ଧ ରହି ଝାଡଖଣ୍ଡ ରାଜ୍ୟ ସହ ନିଜ ଲୋକଙ୍କ ପାଇଁ ଏକ ଭଲ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ। ଏହି ସମୟ ମଧ୍ୟରେ, ଜାନୁଆରୀ ୩୧ରେ, ଅପ୍ରତ୍ୟାଶିତ ଭାବେ ମୋତେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ସେବା କରିବା ପାଇଁ ମନୋନୀତ କରାଗଲା । '' ମୋର କାର୍ଯ୍ୟକାଳର ପ୍ରଥମ ଦିନଠାରୁ ଶେଷ ଦିନ (ଜୁଲାଇ ୩) ପର୍ଯ୍ୟନ୍ତ, ମୁଁ ସମ୍ପୂର୍ଣ୍ଣ ନିଷ୍ଠା ସହିତ ରାଜ୍ୟ ପ୍ରତି ମୋର କର୍ତ୍ତବ୍ୟ ପାଳନ କଲି। ଏହି ଅବଧି ମଧ୍ୟରେ ଆମେ ଜନସାଧାରଣଙ୍କ ସ୍ୱାର୍ଥରେ ଅନେକ ନିଷ୍ପତ୍ତି ନେଇଥିଲୁ | ଏବେ ଲୋକମାନେ ଏହାର ମୂଲ୍ୟାଙ୍କନ କରିବେ।