ପଂଜାବରେ ବଡ଼ ଆକ୍ରମଣ ଆଶଙ୍କା : ପଠାନ୍‌କୋଟରେ ବିଶାଳ ସର୍ଚ୍ଚ‌୍ ଅପ‌ରେସନ୍‌, ୫୦୦୦ରୁ ଅଧିକ ପୁଲିସ ମୁତୟନ

ପଂଜାବ : ପଂଜାବରୁ ଘନ ଘନ ପାକିସ୍ତାନୀ ଡ୍ରୋନ୍‌ ଚିହ୍ନଟ ହେବାପରେ ଏବଂ ଆତଙ୍କବାଦୀଙ୍କ ନିକଟରେ ପାକିସ୍ତାନୀ ଡ୍ରୋନ୍‌ ଦ୍ବାରା ଅସ୍ତ୍ର ପହଞ୍ଚୁଛି ବୋଲି ଜଣାପଡ଼ିବାପରେ ପଂଜାବରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଅଛି ବୋଲି ଗୁଇନ୍ଦା ସୂ୍ତ୍ରରୁ ଜଣାପଡ଼ିଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ପଂଜାବର ପଠାନକୋଟ୍‌ ଏବଂ ଗୁରୁଦାସପୁର ଜିଲ୍ଲାରେ ବିଶାଳ ସର୍ଚ୍ଚ‌୍ ଅପରେସନ୍‌ ଆରମ୍ଭ ହୋଇଛି। ଏଡିପି ଈଶ୍ବର ସିଂହ, ଏଡିଜିପି ରାକେଶ ଚନ୍ଦ୍ରଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ସର୍ଚ୍ଚ‌୍ ଅପରେସନ୍‌ରେ ୫,୦୦୦ରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଠାନକୋଟ୍‌ ଏବଂ ଗୁରୁଦାସପୁରରେ ପ୍ରତ୍ୟେକ ହସ୍ପିଟାଲ୍‌କୁ ଜରୁରୀ ଭିତ୍ତି‌ରେ ଅତି କମ୍‌ରେ ୮ଟି ବେଡ୍‌ ଏମର୍ଜେନ୍ସି ପାଇଁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଡିଜିପି ଦିନ୍‌କର ଗୁପ୍ତା କହିଛନ୍ତି, ବିଶାଳ ସର୍ଚ୍ଚ‌୍ ଅପରେସନ୍‌ ଆରମ୍ଭ ହେବାର ପ୍ରମୁଖ ଲକ୍ଷ୍ୟ ହେଉଛି, ପଂଜାବରେ ସବୁକିଛି ଠିକ୍‌ ଅଛି ବୋଲି ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା। ଏହାଦ୍ବାରା ସାଧାରଣ ଲୋକ ଭୟମୁକ୍ତ ହୋଇପାରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ପଂଜାବ ପୁଲିସ ମୁଖ୍ୟ ଦିନ୍‌କର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ବାୟୁସେନା, ସାମରିକ ଗୁଇନ୍ଦା, ବିଏସଏଫ୍‌, ଏବଂ ଏନ୍‌ଆଇଏ ଅଧିକାରୀମାନେ ଯୋଗ ଦେଇଥିଲେ। ପଂଜାବରେ ବିଶାାଳ ସର୍ଚ୍ଚ‌୍‌ ଅପରେସନ୍‌ ଆରମ୍ଭ କରିବାପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଗତମାସରେ ସୁରକ୍ଷା ବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ପଂଜାବ ଆକାଶରେ ୮ ଥର ପାକିସ୍ତାନୀ ଡ୍ରୋନ୍‌ ଉଡ଼ାଣ କରିଥିବା ଦେଖିବାକୁ ମିଳିଛି। ତେବେ ପ୍ରଥମେ ପଠାନକୋଟ୍‌ ଏବଂ ଗୁରୁଦାସପୁରରେ ସର୍ଚ୍ଚ‌୍ ଅପରେସନ୍‌ ଆରମ୍ଭ ହୋଇଥିଲେ ମଧ୍ୟ ଖୁବ୍‌ ଶୀଘ୍ର ଅନ୍ୟ ଜିଲ୍ଲାମାନଙ୍କରେ ସର୍ଚ୍ଚ‌୍ ଅପରେସନ୍‌ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ଗତ ମାସରେ ଆଇବି ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଥିଲା ଯେ ପଂଜାବକୁ କିଛି ଜେଇଏମ୍‌ ଏବଂ ଏଲଇଟି ଆତଙ୍କବାଦୀ ପଶିଛନ୍ତି। ଏହାପରେ ପଂଜାବ ପୁଲିସ ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର