ନିଆରା ପ୍ରାର୍ଥୀ : ଖାଲି ପାଦରେ ସାଇକେଲ ଚଲାଇ ଦୈନିକ ୪୦ କିମି ଯାତ୍ରାକରି ପ୍ରଚାର କରୁଛନ୍ତି ଚନ୍ଦନ କୁମାର

ପାଟନା: ନିର୍ବାଚନ ବେଳେ ଦେଖିବାକୁ ମିଳେ ଅନେକ ନିଆରା କଥା। ଭୋଟରଙ୍କୁ ଆକର୍ଷିତ କରିବାକୁ କିଏ ଗଧରେ ବସି ପ୍ରଚାର କରୁଛି ତ କିଏ ଶବ ହୋଇ କୋକେଇରେ ବସି ଭୋଟ ମାଗୁଛି । ହେଲେ ଏବେ ଆମେ ଆପଣଙ୍କୁ ଯେଉଁ ପ୍ରାର୍ଥୀ ବାବଦରେ କହିବାକୁ ଯାଉଛୁ, ସେ ଜଣେ ନିଆରା ମଣିଷ । ନା ନିର୍ବାଚନ ପ୍ରଚାର କରିବାକୁ ତାଙ୍କ ପାଖରେ ଅଛି ଗାଡି ନା ବଡ ବଡ ସଭା କରିବାକୁ ତାଙ୍କ ପାଖରେ ଅଛି ଟଙ୍କା । କେବଳ ଗୋଟିଏ ଲକ୍ଷ୍ୟ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବି ।

ବିହାର ନିର୍ବାଚନ ବେଳେ ଦେଖିବାକୁ ମିଳୁଛି ଅନେକ ରୋଚକ ଖବର । ତା’ ମଧ୍ୟରେ ରହିଛି ବିହାର ଦରଭଙ୍ଗା ନିର୍ବାଚନ ମଣ୍ଡଳୀରୁ ଲଢୁଥିବା ଜଣେ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ନିର୍ବାଚନ ପ୍ରଚାରରେ ନିଜ ନିଜର ଦଳ ଓ ଆଶାୟୀ ପ୍ରାର୍ଥୀଙ୍କୁ ଜିତାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ନେତା । ଏହା ବି କୌଣସି ଲୁଚା ଛପାରେ ନୁହେଁ । ମାତ୍ର ବିହାର ଦରଭଙ୍ଗାର ଗୋରାବୋରାମ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ବେଳେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି କି ଜଣେ ନିର୍ଦଳୀୟ ପ୍ରାର୍ଥୀ ଚନ୍ଦନ କୁମାର ମିଶ୍ରା ତାଙ୍କର ଜଣେ ମାତ୍ର ସହଯୋଗୀକୁ ସାଥୀରେ ଧରି ଦୈନିକ ୩୦ରୁ ୪୦ କିଲୋମିଟର ସାଇକେଲରେ ଯାଇ ପ୍ରଚାର କରୁଛନ୍ତି । ପୁଣି ପାଦରେ ତାଙ୍କର ଚପଲ ନାହିଁ।

ଚନ୍ଦନ କୁମାର କହିଛନ୍ତି, ଏମିତି କରି ସେ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବାକୁ ଚାହୁଁନାହାନ୍ତି । ସେ ବାସ୍ତବ ଜୀବନରେ ଯେମିତି ଚଳନ୍ତି ସେଇ ଢଙ୍ଗରେ ସେ ଭୋଟରଙ୍କ ପାଖରେ ପହଂଚୁଛନ୍ତି। ରାସ୍ତାରେ ଖାଲି ପାଦରେ ସାଇକେଲ ଚଳାଇ ପ୍ରଚାର କରିବାକୁ ଗଲା ବେଳେ ଯଦି କୌଣସି ଭୋଟର ତାଙ୍କର ଭେଟ ହୋଇଯାଏ ତା’ହେଲେ ସେ ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିବା ସହ ନିର୍ବାଚନ ଜିତିଲେ ସେ ଉକ୍ତ ନିର୍ବାଚନ ମଣ୍ଡଳୀ ପାଇଁ କ’ଣ କରିବେ ସେ ନେଇ ପ୍ରସ୍ତୁତ କରିଥିବା ଏକ ଛାପା ଇସ୍ତାହାର ବି ଭୋଟରଙ୍କ ହାତକୁ ବଢାଇ ଦିଅନ୍ତି । ଯଦି ଭୋଟର ଜଣକ ତାହା ପଢି ନ ପାରନ୍ତି ତେବେ ଚନ୍ଦନ ନିଜେ ତହା ପଢି ଭୋଟରଙ୍କୁ ଶୁଣାଇଥା’ନ୍ତି ।

ଚନ୍ଦନ କୁମାର ମିଶ୍ରା କହିଛନ୍ତି କି ସେ ଗୋରାବୋରାମ ବିଧାନସଭା କ୍ଷେତ୍ରରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଓ ତାଙ୍କର ବିଶ୍ୱାସ ଅଛି କି ଲୋକମାନେ ତାଙ୍କୁ ଗ୍ରହଣ କରିବେ ଓ ଭୋଟ ଦେଇ ବିଜୟୀ କରାଇବେ । ଏକଥା ସେ ଦାବି କରିବା ସହ ଜଣାଇଛନ୍ତି କି ସେ ଦୈନିକ ଏଭଳି ଭାବେ ଖାଲି ପାଦରେ ୩୦ରୁ ୪୦ କିଲୋମିଟର ସାଇକେଲ ଚଳାଇ ନିଜ ପାଇଁ ଭୋଟ ମାଗୁଛନ୍ତି ।

ସମ୍ବନ୍ଧିତ ଖବର