ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟରେ ନିଜ ମହିଳା ବନ୍ଧୁମାନଙ୍କ ଅଶ୍ଲୀଳ ଭିଡିଓ ଲିକ୍ କରି ଗିରଫ ହେଲେ ଛାତ୍ରୀ

ଚଣ୍ଡୀଗଡ: ଅନ୍‌ଲାଇନ୍‌ରେ ଜଣେ ଝିଅ ତା’ର ହଷ୍ଟେଲ୍‌ ସାଥୀମାନଙ୍କ ଅଶ୍ଲୀଳ ଭିଡିଓ ଲିକ୍‌ କରିଥିବା ଅଭିଯୋଗ ହେବା ପରେ ଶନିବାର ରାତି ଅଧରେ ମୋହାଲିସ୍ଥିତ ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟ ପରିସରରେ ପ୍ରବଳ ପ୍ରତିବାଦ ଆରମ୍ଭ ହୋଇଥିଲା। ପ୍ରତିବାଦ ପରେ ‌ଏବେ ପୁଲିସ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତଜଣକ ଏକାଧିକ ଅଶ୍ଲୀଳ ଭିଡିଓ ଲିକ୍ କରିଥିବା ନେଇ ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ଅଭିଯୋଗ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଏକ ବିବୃତି ଜାରି କରିଛି। ବିବୃତିରେ କୁହାଯାଇଛି ଯେ, କେବଳ ଗୋଟିଏ ଭିଡିଓ ଲିକ୍ ହୋଇଛି। ତାହା ପୁଣି ଅଭିଯୁକ୍ତର। ଅଭିଯୁକ୍ତ ଶିମଲାରେ ଥିବା ନିଜ ପ୍ରେମିକକୁ ଯେଉଁ ଅଶ୍ଲୀଳ ଭିଡିଓ ପଠାଇଥିଲେ , ସେଇ ଭିଡିଓ ହିଁ ଲିକ୍ ହୋଇଥିବା କହିଛି ବିଶ୍ୱବିଦ୍ୟାଳୟ।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟରେ ଏବେ ବି ଛାତ୍ରୀମାନଙ୍କ ପ୍ରଦର୍ଶନ ଜାରି ରହିଛି। ପରିସ୍ଥିତିକୁ ଦେଖି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପୂର୍ବରୁ ଛାତ୍ରୀମାନେ ଅଭିଯୋଗ କରିଥିଲେ ଯେ, ହଷ୍ଟେଲ୍‌ରେ ରହୁଥିବା ପ୍ରାୟ ୬୦ଜଣ ଝିଅଙ୍କର ସ୍ନାନ କରୁଥିବାର ଭିଡିଓ ଲିକ୍‌ ହୋଇଥିଲା। ହଷ୍ଟେଲ୍‌ର ଜଣେ ଛାତ୍ରୀ ଏହି ଭିଡିଓ ଉତ୍ତୋଳନ କରି ସିମ୍‌ଲାର ଜଣେ ପୁଅ ନିକଟକୁ ପଠାଇବା ପରେ ସେ ସେଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିଲେ। ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହିତ ଘଟଣା ବିଷୟରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଅସଂଖ୍ୟ ଶିକ୍ଷାର୍ଥୀ ଶନିବାର ଦିନ କ୍ୟାମ୍ପସ୍‌କୁ ଆସି ପ୍ରତିବାଦ ପ୍ରଦର୍ଶନ କରିବା ସହ କହିଥିଲେ କି, କର୍ତ୍ତୃପକ୍ଷମାନେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର