ଭାରତ ଆଜି ଇତିହାସ ରଚିଛି। ପ୍ରଥମ ରାଷ୍ଟ୍ର ଭାବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ପହଞ୍ଚିବାରେ ସଫଳ ହୋଇଛି ଏବଂ ଚତୁର୍ଥ ରାଷ୍ଟ୍ର ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଛି। ଚନ୍ଦ୍ରଯାନ-୨ର ବିଫଳତା ହିଁ ଚନ୍ଦ୍ରଯାନ-୩ ସଫଳତା ପାଇଁ ବାଟ କଢ଼ାଇନେଇଛି। ଚନ୍ଦ୍ରଯାନ-୨ ବିଫଳତାରୁ ଶିକ୍ଷା ଗ୍ରହଣ କରି ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ୪ ବର୍ଷ କାଳ ଅନୁଧ୍ୟାନ କରିବାପରେ କେତେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ସହ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯାଇଥିଲା । ଚନ୍ଦ୍ରଯାନ ୩ ଆଜି ସଫଳ ହୋଇଛି। ଲାଣ୍ଡର ବିକ୍ରମରେ ଅନେକ ପରିବର୍ତ୍ତନ କରାଯାଇଥିଲା, ଯାହାକି ଏହାକୁ ନୂଆ ଇତିହାସ ରଚିବାରେ ସାମର୍ଥ୍ୟ ଯୋଗାଇ ଦେଇଥିଲା। ଅଧିକ ସୁଦୃଢ଼ ଲ୍ୟାଣ୍ଡର: ଲ୍ୟାଣ୍ଡର ବିକ୍ରମର ଗୋଡ଼ଗୁଡ଼ିକୁ ପୂର୍ବାପେକ୍ଷା ଅଧିକ ଶକ୍ତ କରାଗଲା। ଲ୍ୟାଣ୍ଡର କ୍ରାସ୍‌ ହେବା ଏବଂ ଭାଙ୍ଗିବାର ଭୟକୁ ଏଡ଼ାଇବାପାଇଁ ବିକ୍ରମର ଗୋଡ଼କୁ ଅଧିକ ଶକ୍ତ କରାଯାଇଥିଲା। ଏହାଦ୍ବାର ପରିସ୍ଥିତି ଅନୁକୂଳ ନଥିଲେ ବି ଲ୍ୟାଣ୍ଡର ଏହାର କାମ କରିପାରିବ ବୋଲି କୁହାଯାଇଥିଲା ଏବଂ ଆଜି ସଫଳ ଲ୍ୟାଣ୍ଡିଂ ପଛରେ ଏହା ନିର୍ଣ୍ଣାୟକ ହୋଇଛି।

Advertisment

ଅଧିକ ଇନ୍ଧନ ଏବଂ ନୂଆ ସେନ୍‌ସର: ଦ୍ବିତୀୟ ପରିବର୍ତ୍ତନ ହେଉଛି ବିକ୍ରମରେ ଅଧିକ ଇନ୍ଧନ ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ବିକ୍ରମ ଯେକୌଣସି ପ୍ରକାର ସମସ୍ୟାର ମୁକାବିଲା କରିପାରିବ ଏବଂ ଫେରି ଆସିବାର କ୍ଷମତା ମଧ୍ୟ ରଖିପାରିବ। ତୃତୀୟ‌ରେ ଏକ ନୂଆ ସେନ୍‌ସର ‘ଲେଜର ଡପଲର ଭେଲୋସିଟି ମିଟର’ ଯୋଡ଼ାଯାଇଛି। ସଫ୍ଟୱେୟାର: ଇଂଜିନ ଏବଂ ସେନ୍‌ସର ବିଫଳତା ପରି ବିଭିନ୍ନ ଜଟିଳ ସ୍ଥିତିର ମୁକାବିଲା ପାଇଁ ଇସ୍ରୋ ସଫ୍ଟୱେୟାରରେ ପରିବର୍ତ୍ତନ ଆଣିଛି ଏବଂ ସଫ୍ଟୱେୟାର ବିକାଶ କରିଛି। ଲ୍ୟାଣ୍ଡରରୁ ସେଣ୍ଟ୍ରାଲ ଇଂଜିନ କାଢ଼ି ଦିଆଯାଇଛି। ଅବତରଣ ସଫଳ କରିବାପାଇଁ ୨ଟି ଇଂଜିନର ଆବଶ୍ୟକତା ଥିଲା । ତେଣୁ ସେଣ୍ଟ୍ରାଲ ଇଂଜିନ ହଟାଯାଇ ୨ଟି ଇଂଜିନ ଯୋଡ଼ାଯାଇଥିଲା ଏବଂ ଏହି ନିଷ୍ପତ୍ତି ଅନେକ ସମସ୍ୟାର ସମାଧାନ କରିପାରିଛି। ସୋଲାର ପ୍ୟାନେଲ ଏବଂ ଆଣ୍ଟିନା: ବିକ୍ରମକୁ ଅଧିକ ଶକ୍ତି ଯୋଗାଇବାପାଇଁ ପରିବର୍ଦ୍ଧିତ ଲାର ପ୍ୟାନେଲ୍‌ ବ୍ୟବସ୍ଥା କରାଯାଇଛି। ବିକ୍ରମ ଯେକୌଣସି ସ୍ଥିତିରେ ଅବତରଣ କଲେ ବି ଶକ୍ତି ସୃଷ୍ଟି କରିପାରିବ। ଏଥିରେ ମଧ୍ୟ ଅତିରିକ୍ତ ଟିଟିସି (ଟ୍ରାକିଂ, ଟେଲିମେଟ୍ରି ଏବଂ କମାଣ୍ଡ ) ଆଣ୍ଟିନା ରହିଛି। ଅଧିକ ଟେଷ୍ଟିଂ: ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଟେଷ୍ଟିଂ। ଗତ ୨ ବର୍ଷ କେବଳ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଇଛି। ଚନ୍ଦ୍ରଯାନ-୨ ସମୟରେ ଯେତିତି ଟେଷ୍ଟିଂ କରାଯାଇନଥିଲା ଚନ୍ଦ୍ରଯାନ-୩ରେ ତା’ଠାରୁ ଅଧିକ ଟେଷ୍ଟିଂ କରାଯାଇଛି ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍‌ ସୋମନାଥ କହିଛନ୍ତି।

publive-image

ଅବିସ୍ମରଣୀୟ ମୁହୂର୍ତ୍ତ: ରାଷ୍ଟ୍ରପତି
ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ଏବଂ ଏହା ଭାରତକୁ ଗର୍ବିତ କରିଛି। ଚନ୍ଦ୍ର ଅବତରଣର ଲାଇଭ୍‌ ଟେଲିକାଷ୍ଟ୍‌ ଦେଖିବାପରେ ରାଷ୍ଟ୍ରପତି ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଚନ୍ଦ୍ରଯାନ-୩ର ଅବତରଣ ସହ ବୈଜ୍ଞାନିକମାନେ ଏକ ଇତିହାସ ସୃଷ୍ଟି କରିଛନ୍ତି। ଏହା ଏଭଳି ଏକ ଘଟଣା ଯାହା ଜୀବନକାଳରେ ଥରେ ଘଟିଥାଏ। ଇସ୍ରୋ ଏବଂ ଚନ୍ଦ୍ରଯାନ-୩ରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା‌। ଚନ୍ଦ୍ରଯାନ-୩ର ସଫଳ ଅବତରଣ ସହ ଆମ ବୈଜ୍ଞାନିକମାନେ କେବଳ ଇତିହାସି ସୃଷ୍ଟି କରିନାହାନ୍ତି ବରଂ ଭୂଗୋଳର ବିଚାରକୁ ଆଉ ଏକ ନୂଆ ରୂପ ଦେଇଛନ୍ତି।
ନୂତନ ଭାରତର ସୂର୍ଯ୍ୟୋଦୟ:ମୋଦୀ
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଆଜି ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ଦକ୍ଷିଣ ଆଫ୍ରିକାରୁ ଚନ୍ଦ୍ରଯାନ-୩ର ଅବତରଣ ସଂକ୍ରାନ୍ତରେ ଭର୍ଚୁଆଲ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ମୁଁ ଏବେ ଦକ୍ଷିଣ ଆଫ୍ରିକାରେ ଥାଇପାରେ କିନ୍ତୁ ମୋ ହୃଦୟ ସର୍ବଦା ଚନ୍ଦ୍ରଯାନ ମିସନ୍‌ ସହ ରହିଛି। ଏହା ଏକ ଐତିହାସିକ ମୁହୂର୍ତ୍ତ ଏବଂ ବିକଶିତ ଭାରତ ପାଇଁ ବିଗୁଲ୍‌ ବାଜିଛି। ଆମେ ନୂଆ ଭାରତର ନୂଆ ଉଡ଼ାଣର ସାକ୍ଷୀ ହୋଇଛୁ ଏବଂ ନୂଆ ଇତିହାସ ସୃଷ୍ଟି ହୋଇଛି। ମୋଦୀ କହିଛନ୍ତି, ଭାରତ ଏବେ ଚନ୍ଦ୍ରରେ। ୧୪୦ କୋଟି ଭାରତୀୟଙ୍କ ପାଇଁ ଏହା ଗର୍ବ ଏବଂ ଗୌରବର ମୁହୂର୍ତ୍ତ। ଏହି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ବୈଜ୍ଞାନିକମାନଙ୍କୁ ମୋର ଶୁଭେଚ୍ଛା। ଏଭଳି ଐତିହାସିକ ମୁହୂର୍ତ୍ତ ଦେଖି ଆମେ ଖୁବ୍‌ ଗର୍ବିତ। ଏହା ନୂତନ ଭାରତର ସୂର୍ଯ୍ୟୋଦୟ ଏବଂ ବିକଶିତ ଭାରତର ଶଙ୍ଖନାଦ ବୋଲି ମୋଦୀ କହିଛନ୍ତି, ଭାରତର ସଫଳ ଚନ୍ଦ୍ର ଅଭିଯାନ ଏକାକୀ ଭାରତର ନୁହେଁ। ଗୋଟିଏ ବିଶ୍ବ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ ଭଳି ଆମର ଆହ୍ବାନ ଏବେ ସାରା ବିଶ୍ବରେ ଗୁଞ୍ଜରିତ ହେଉଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ପୂର୍ବରୁ ଅନ୍ୟ କୌଣସି ରାଷ୍ଟ୍ର ପହଞ୍ଚି ପାରିନାହାନ୍ତି। ଏହା ଚନ୍ଦ୍ର ସଂକ୍ରାନ୍ତରେ ସମସ୍ତ କାହାଣୀକୁ ବଦଳାଇ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

publive-image

ସ୍ବର୍ଣ୍ଣିମ ଯୁଗର ଆରମ୍ଭ: ଇସ୍ରୋ ଅଧ୍ୟକ୍ଷ ଏସ୍‌ ସୋମନାଥ
ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ -୩ର ସଫଳ ଅବତରଣ ପରେ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ମୁଖ୍ୟ ଏସ୍‌ ସୋମନାଥ ଇସ୍ରୋ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।‌ ଏସ୍‌ ସୋମନାଥ କହିଛନ୍ତି, ସଫଳ ଅବତରଣ ପରେ ଲାଣ୍ଡରରୁ ରୋଭର ପ୍ରଜ୍ଞା ବାହାରି ଆସିବ ଏବଂ ଆଗାମୀ ୧୪ ଦିନ ଅତ୍ୟନ୍ତ ଉତ୍ସାହଜନକ ରହିବ। ଏହା ସ୍ବର୍ଣ୍ଣିମ ଯୁଗର ଆରମ୍ଭ। ସୋମନାଥ କହିଛନ୍ତି, ଚନ୍ଦ୍ରଯାନ-୧ରୁ ଭାରତର ଚନ୍ଦ୍ର ଅଭିଯାନ ଆରମ୍ଭ ହୋଇଛି ଏବଂ ଚନ୍ଦ୍ରଯାନ-୩ ପରେ ବି ଏହା ଜାରି ରହିବ। ଚନ୍ଦ୍ରଯାନ-୩ର ସବୁଠୁ ଜଟିଳ ସମୟ ଥିଲା ଏହାର ଉତ୍‌କ୍ଷେପଣ। କିନ୍ତୁ ଚନ୍ଦ୍ରଯାନ-୩କୁ ସମଗ୍ର ବିଶ୍ବରୁ ଗ୍ରାଉଣ୍ଡ୍‌ ଷ୍ଟେସନ୍‌ରୁ ସମର୍ଥନ ମିଳିଛି। ସୋମନାଥ କହିଛନ୍ତି, କେବଳ ଭାରତୀୟ ମହାକାଶ ସଂସ୍ଥା ହିଁ ଏତେ କମ୍‌ ଖର୍ଚ୍ଚରେ ଏହି ମିସନ୍‌ ସମ୍ପାଦନ କରିପାରିବ। ଇସ୍ରୋ ପାଇଁ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଆଦିତ୍ୟ ଏଲ୍‌୧। ଆସନ୍ତାମାସ ଏହା ଲଞ୍ଚ୍‌ ହେବ ବୋଲି ସୋମନାଥ କହିଛନ୍ତି। ଆଦିତ୍ୟ ଏଲ୍‌୧ ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ। ‌ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍‌ ସୋମନାଥଙ୍କୁ ଫୋନ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।
ସବୁଆଡ଼ୁ ଅଭିନନ୍ଦନର ସୁଅ
ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋ ଏବଂ ଭାରତକୁ ଏବେ ସାରା ବିଶ୍ବରୁ ଅଭିନନ୍ଦନର ସୁଅ ଛୁଟିଛି। ବ୍ରିଟେନ୍‌ ଠାରୁ ଆରମ୍ଭ କରି ରୁଷ୍‌ ଏବଂ ୟୁଏଇ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ବ୍ରିଟେନ୍‌ ମହାକାଶ ସଂସ୍ଥା ଏବଂ ୟୁଏଇ ସ୍ପେସ୍‌ ଏଜେନ୍ସି ମଧ୍ୟ ଇସ୍ରୋକୁ ଶୁଭେଚ୍ଛା‌ ଜଣାଇଛି। ରୁଷ୍‌ ମଧ୍ୟ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଛି। ରୁଷ୍‌ କହିଛି, ଚନ୍ଦ୍ରର ଅଧ୍ୟୟନ ସମଗ୍ର ମାନବଜାତି ପାଇଁ ଗୁରୁତ୍ବପୂର୍ଣ୍ଣ। ପୂର୍ବତନ ନାସା ବୈଜ୍ଞାନିକ ଥୋମାସ ଜୁର୍ବୁଚେନ ମଧ୍ୟ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। ଥୋମାସ କହିଛନ୍ତି, ଆମ ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ଆମେ ଖୁବ୍‌ ଗର୍ବିତ। ସେହିପରି ୟୁରୋପ ସ୍ପେସ୍‌ ସଂସ୍ଥା ମଧ୍ୟ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଛି।