ପୁଣି ଏନଡ଼ିଏକୁ ଫେରିପାରନ୍ତି ଚନ୍ଦ୍ରବାବୁ, ଶାହା ଓ ନଡ୍ଡାଙ୍କ ସହ କଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏନେଇ ଦଳମାନେ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି | ତେବେ ମୋଦୀଙ୍କ ନେତୃତ୍ୱରେ ପୁଣି ତୃତୀୟ ଥର ପାଇଁ ଏନଡିଏ କ୍ଷମତାକୁ ଆସିବାକୁ ଚେଷ୍ଟା ଆରମ୍ଭ କରିଦେଇଥିବାବେଳେ ବିଜେପିକୁ ରୋକିବା ପାଇଁ ବିରୋଧୀ ଦଳମାନେ ଏବେ ଏକଜୁଟ ହେବାରେ ଲାଗିପଡିଛନ୍ତି | ବିଶେଷ କରି ବିଜେପି ଏବେ ଏହାର ପୁରୁଣା ସହଯୋଗୀମାନଙ୍କୁ ଏକାଠି କରିବାକୁ ଚେଷ୍ଟା ଆରମ୍ଭ କରିଛି। ଏହି କ୍ରମରେ ତେଲୁଗୁ ଦେଶମ ଦଳ ବା ଟିଡ଼ିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଶନିବାର ଦିଲ୍ଲୀରେ ଅମିତ ଶାହାଙ୍କୁ ସହ ସାକ୍ଷାତ କରିଥିଲେ। ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।

ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଉପରେ ଆଲୋଚନା କରାଯାଇଥିଲା। ସୂଚନାନୁସାରେ, ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ଟିଡିପି ଏକାଠି ହୋଇପାରନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ୨୦୧୪ରେ ଏନଡିଏରେ ଥିଲା କିନ୍ତୁ ଆନ୍ଧ୍ରକୁ ସ୍ୱତନ୍ତ୍ର ମାନ୍ୟତା ଦାବିରେ ମାର୍ଚ୍ଚ ୨୦୧୮ ରେ ଏନଡ଼ିଏରୁ ବାହାରି ଆସିଥିଲା।

ନିକଟରେ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଟିଡିପି ପ୍ରତିଷ୍ଠାତା ତଥା ଅବିଭାଜିତ ଆନ୍ଧ୍ରପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓଙ୍କୁ ତାଙ୍କ ଜନ୍ମଦିନରେ ମନେ ପକାଇଥିଲେ। ସେହିପରି ଚନ୍ଦ୍ରବାବୁ ମଧ୍ୟ କିଛିଦିନ ହେଲା ସଂକେତ ଦେଉଛନ୍ତି ଯେ ବିଜେପି ସହ ସେ ସମ୍ପର୍କକୁ ସୁଧାରିବାକୁ ଚାଁହୁଛନ୍ତି | ଏପ୍ରିଲରେ ନାଇଡୁ ପ୍ରଧାନମନ୍ତ୍ରୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଭାବରେ ବର୍ଣ୍ଣନା କରି କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୋଗଦେବାକୁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର