କେନ୍ଦ୍ର-ରାଜ୍ୟ ସମ୍ପର୍କ ନେଇ ଅସ୍ବସ୍ତି
ଭାରତୀୟ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ତିକ୍ତତା ଅତୀତରେ ବହୁବାର ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିଛି। ତେବେ ସିବିଆଇକୁ ଶୁକ୍ରବାର ଆନ୍ଧ୍ର ଓ ପଶ୍ଚିମବଙ୍ଗ ‘ନା’ କହିବା ପରେ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ହୋଇଥିବାରୁ ଏହାକୁ ନେଇ କୌଣସି ଅସ୍ବାଭାବିକତା ନାହିଁ ବୋଲି ଯୁକ୍ତି ହେଉଥିଲେ ହେଁ ଏପରି ପଦକ୍ଷେପ କେନ୍ଦ୍ରକୁ ଖାଲି ଅଡ଼ୁଆରେ ପକାଇ ନାହିଁ; ସମ୍ବିଧାନର ବିଶାରଦମାନଙ୍କ ମୁଣ୍ଡବ୍ୟଥା ମଧ୍ୟ ବଢ଼ାଇ ଦେଇଛି।
ହାଇଦ୍ରାବାଦ : ନିଜ ରାଜ୍ୟକୁ ସିବିଆଇ ପୂରାଇ ନଦେବା ଘୋଷଣା କରି ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ବିରୋଧରେ ଏକପ୍ରକାର ବିଦ୍ରୋହ ଘୋଷଣା କରିଛନ୍ତି। ପ୍ରଥମେ ଆନ୍ଧ୍ର ସରକାର ନିଜ ରାଜ୍ୟରେ କୌଣସି ମାମଲା ସିବିଆଇ ତଦନ୍ତ କରିପାରିବ ନାହିଁ ବୋଲି ଘୋଷଣା କରିଥିଲେ। ଏହାର କିଛି ଘଣ୍ଟା ପରେ ପଶ୍ଚିମବଙ୍ଗ ସରକାର ଅନୁରୂପ ଘୋଷଣା କରି କେନ୍ଦ୍ର-ରାଜ୍ୟ ସମ୍ପର୍କରେ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଏଥିସହିତ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବେ ଆଭ୍ୟନ୍ତରୀଣ କଳହ ଓ ଲାଞ୍ଚ ମାମଲା ନେଇ ଚର୍ଚ୍ଚାରେ ରହିଥିବା ବେଳେ ଦୁଇ ରାଜ୍ୟର ଏହି ବଡ଼ ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିଛି। ଦେଶରେ ଏହିଭଳି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ବୋଲି କେହିକେହି ମତ ଦେଇଛନ୍ତି।
ପ୍ରଥମେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଦିଲ୍ଲୀ ସ୍ପେସାଲ ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟ ୧୯୪୬ ଆଧାରରେ ହୋଇଥିବା ସହମତିକୁ ତାଙ୍କ ସରକାର ପ୍ରତ୍ୟାହାର କରିନେଇଥିବା ସମ୍ପର୍କରେ ଘୋଷଣା କରିଥିଲେ। ଏହି ସହମତି ଆଧାରରେ ଦିଲ୍ଲୀ ସ୍ପେସାଲ ପୁଲିସ ଏଷ୍ଟାବ୍ଲିସ୍ମେଣ୍ଟର ତଦନ୍ତକାରୀ ଅଧିକାରୀମାନେ ରାଜ୍ୟ ଭିତରେ ସେମାନଙ୍କ ଅଧିକାର ପ୍ରୟୋଗ କରୁଥିଲେ।
ମୁଖ୍ୟମନ୍ତ୍ରୀ ନାଇଡ଼ୁ କିଛିଦିନ ତଳେ ଅଭିଯୋଗ କରିଥିଲେ ଯେ, କେନ୍ଦ୍ର ସରକାର ତାଙ୍କ ବ୍ୟକ୍ତିଗତ ପ୍ରତିଶୋଧ ନେବାକୁ ସିବିଆଇକୁ ବ୍ୟବହାର କରିବା ପାଇଁ ଷଡ଼୍ଯନ୍ତ୍ର କରୁଛନ୍ତି। ବିହାର ଏବଂ ଅନ୍ୟ ରାଜ୍ୟରୁ ଅପରାଧୀମାନଙ୍କୁ ରାଜ୍ୟକୁ ଆଣି ଆଇନଶୃଙ୍ଖଳା ବ୍ୟବସ୍ଥା ଖରାପ କରିବା ପାଇଁ ମଧ୍ୟ ଷଡ଼୍ଯନ୍ତ୍ର କରାଯାଉଛି। ଏଥିସହିତ, କେନ୍ଦ୍ର ସରକାର ରାଜ୍ୟକୁ ଅସ୍ଥିର କରିବା ପାଇଁ ସିବିଆଇକୁ ଅସ୍ତ୍ର କରିବାକୁ ଯାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଶେଷରେ, ଆଜି ଆନ୍ଧ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସିବିଆଇର ଦୁରୁପଯୋଗ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ହୃଦ୍ବୋଧ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଡ଼ୁ ଘୋଷଣା କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମେ ଏହାକୁ ସମର୍ଥନ କରିଥିଲେ। ମାତ୍ର, ଏହାର କେଇ ଘଣ୍ଟା ପରେ ସେ ମଧ୍ୟ ନିଜ ରାଜ୍ୟରେ ସିବିଆଇ ତଦନ୍ତ ଏବଂ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅଧିକାରୀଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇଛନ୍ତି।
ଅନ୍ୟପକ୍ଷରେ, ଦୁଇ ରାଜ୍ୟ ସରକାରଙ୍କ ଏହିଭଳି ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ଭିତରେ ସଂପର୍କ ଅଧିକ ଖରାପ ହେବ ଏବଂ ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ମଧ୍ୟ ସଙ୍କଟ ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ନାଇଡ଼ୁଙ୍କୁ ମଧ୍ୟ ରାଜ୍ୟରେ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଚନ୍ଦ୍ରବାବୁ କେବଳ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପାଇଁ ଏଭଳି ବୟାନ ଦେଉଛନ୍ତି ବୋଲି ବିଜେପି ଏବଂ ଟିଆର୍ଏସ୍ ନେତାମାନେ କହିଥିଲେ।
ସୂଚନାଯୋଗ୍ୟ, ଏଭଳି ଏକ ମାମଲା ଅକ୍ଟୋବର ୨୦୧୮ରେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା। ଛତିଶଗଡ଼ରେ ଏକ ଅପରାଧିକ ମାମଲାର ତଦନ୍ତ ପାଇଁ ଛତିଶଗଡ଼ ସରକାରଙ୍କ ଅନୁମୋଦନ ଜରୁରୀ ନୁହେଁ ବୋଲି ଦର୍ଶାଇ ସିବିଆଇ ଅଦାଲତର ଦ୍ବାରସ୍ଥ ହୋଇଥିଲା। ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ରାୟ ଦେଇ କହିଥିଲେ ଯେ ରାଜ୍ୟରେ ଉକ୍ତ ମାମଲା ପଞ୍ଜୀକୃତ ହୋଇଥିଲେ ମଧ୍ୟ ସିବିଆଇ ଏହି ମାମଲାର ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/sc-ff.jpg)