‘ଗଣତନ୍ତ୍ରର ରକ୍ଷା’ ପାଇଁ ଗଠିତ ହେବ ‘ମହାଗଠବନ୍ଧନ’ ଘୋଷଣା କଲେ ନାଇଡ଼ୁ ଓ ମମତା; ୨୨ରେ ଦିଲ୍ଲୀରେ ବୈଠକ, ଯୋଗଦାନ ପାଇଁ ନବୀନଙ୍କୁ ନିମନ୍ତ୍ରଣ

କୋଲକାତା: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଆଜି କୋଲକାତା ଗସ୍ତରେ ଆସି ତୃଣମୂଳ କଂଗ୍ରେସ ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ସାକ୍ଷାତ ଆଲୋଚନା ପରେ ଉଭୟ ନେତା ସାଂପ୍ରତିକ ପରିସ୍ଥିତିରେ ଦେଶରେ ‘ଗଣତନ୍ତ୍ରର ରକ୍ଷା’ ପାଇଁ ‘ମହାଗଠବନ୍ଧନ’ର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଯେଉଁ ଢ଼ଙ୍ଗରେ ଦେଶ ଶାସନ କରୁଛି ସେଥିରେ ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ, ଆଗାମୀ ୨୦୧୯ ନିର୍ବାଚନରେ ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ ସମସ୍ତ ଅଣ ବିଜେପି ଏବଂ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ‘ମହାଗଠବନ୍ଧନ’ ଗଠନ କରିବା ସହ ବିଜେପି ବିରୋଧରେ ଏକଜୁଟ ହୋଇ ନିର୍ବାଚନ ଲଢ଼ିବାର ଆବଶ୍ୟକତା ରହିଛି ବୋଲି ଉଭୟ ନେତା କହିଛନ୍ତି।

ସାକ୍ଷାତ ଆଲୋଚନା ପରେ ଉଭୟ ନେତା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମ ଉଭୟଙ୍କ ମଧ୍ୟରେ ଏକ ଫଳପ୍ରଦ ଆଲୋଚନା ହୋଇଛି। ବିଜେପି ଶାସନ କାଳରେ ଦେଶର ଗଣତନ୍ତ୍ର ବିପନ୍ନ ହୋଇଛି। ସମସ୍ତ ସାମ୍ବାଧାନିକ ଅନୁଷ୍ଠାନଗୁଡ଼ିକରେ ସ୍ୱାଧୀନତା ବିପନ୍ନ ହେବା ସହ ଅରାଜକତା ସୃଷ୍ଟି ହୋଇଛି। ଏ ପରିସ୍ଥିତିରୁ ଦେଶକୁ ରକ୍ଷା କରିବାକୁ ହେଲେ ସମସ୍ତ ବିରୋଧୀ ଦଳକୁ ଗୋଟିଏ ଛାତତଳେ ଏକଜୁଟ ହୋଇ ବିଜେପି ବିରୋଧରେ ନିର୍ବାଚନ ଲଢ଼ିବାର ଆବଶ୍ୟକତା ରହିଛି।

ଏଥିପାଇଁ ସମସ୍ତ ଅଣ ବିଜେପି ଦଳଗୁଡ଼ିକ ସହ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇ ସାରିଛି ଏବଂ ଆସନ୍ତା ୨୨ ତାରିଖ ଦିନ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ‘ମହାଗଠବନ୍ଧନ’ ଚୂଡ଼ାନ୍ତ ରୂପରେଖ ନିର୍ଦ୍ଧାରଣ ହେବ ବୋଲି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଗଣମାଧ୍ୟମକୁ ସୂଚନା ଦେବା ସହ ଏହି ବୈଠକରେ ଯୋଗ ଦେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଆଜି ଟେଲିଫୋନ୍‌ ଜରିଆରେ ନିମନ୍ତ୍ରଣ କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର