ନନ୍ଦୟାଲା: ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ‘ସିଆଇଡି’ ଆଜି ପ୍ରତ୍ୟୁଷରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍ ପାର୍ଟି’ର ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ନନ୍ଦୟାଲାରେ ଗିରଫ କରିଥିବା କଥା ଦଳର ଜଣେ ମୁଖପାତ୍ର କହିଛନ୍ତି।
ଏଥିପାଇଁ ‘କ୍ରିମିନାଲ୍ ଇନ୍ଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ୍’ (ସିଆଇଡି) ବାବୁଙ୍କ ନିକଟକୁ ଗିରଫ ପର୍ୱାନା ପଠାଇଥିଲା। ଗତରାତି ପ୍ରାୟ ୩ଟା ବେଳେ ନନ୍ଦୟାଲା ରେଞ୍ଜ୍ର ‘ଡିଆଇଜି’ ରଘୁରାମି ରେଡ୍ଡୀଙ୍କ ନେତୃତ୍ବରେ ବହୁସଂଖ୍ୟକ ପୁଲିସ ଓ ‘ସିଆଇଡି’ ‘ଆର୍. କେ. ଫଙ୍କ୍ସନ୍ ହଲ୍’ରେ ପଡ଼ିଥିବା ନାଇଡୁଙ୍କ କ୍ୟାମ୍ପ୍ରେ ଚଢ଼ଉ କରିଥିଲେ। ସେତେବେଳେ ନାଇଡୁ ତାଙ୍କ ଗାଡ଼ିରେ ଶୋଇଥିଲେ।
କିନ୍ତୁ, ପୁଲିସ ସେଠାରେ ଉପସ୍ଥିତ ଥିବା ବହୁସଂଖ୍ୟକ ‘ଟିଡିପି’ ନେତାଙ୍କ ପ୍ରତିରୋଧର ସମ୍ମୁଖୀନ ହୋଇଥିଲା। ନାଇଡୁଙ୍କୁ ପହରା ଦେଉଥିବା ‘ଏସ୍ପିଜି’ ଫୋର୍ସ ମଧ୍ୟ ପୁଲିସକୁ ନାଇଡୁଙ୍କ ପାଖକୁ ଛାଡ଼ି ନ ଥିଲେ। ସେମାନେ କହିଲେ ଯେ, ନିୟମାନୁସାରେ, ଭୋର୍ ୫.୩୦ ପୂର୍ବରୁ ସେମାନେ କାହାକୁ ନାଇଡୁଙ୍କ ନିକଟକୁ ଛାଡ଼ିବେ ନାହିଁ।
ପରିଶେଷରେ, ସକାଳ ପ୍ରାୟ ୬ଟା ବେଳେ ପୁଲିସ ନାଇଡୁଙ୍କ ଗାଡ଼ିର ‘ଡୋର୍’ରେ ଠକ ଠକ କରି ତାଙ୍କୁ ଗାଡ଼ିରୁ ଓହ୍ଲାଇ ଆଣି ଗିରଫ କଲା। ‘ଡିଆଇଜି’ ତାଙ୍କୁ କହିଲେ ଯେ, ‘ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ’ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏହି ଦୁର୍ନୀତିରେ ସେ ହେଉଛନ୍ତି ପ୍ରଥମ ଅଭିଯୁକ୍ତ। ଏ ସଂକ୍ରାନ୍ତରେ ଏକ ନୋଟିସ୍ ବି ତାଙ୍କୁ ଦିଆଗଲା। ତା’ପରେ ତାଙ୍କୁ ଗାଡ଼ିରେ ବସାଇ ବିଜୟୱାଡ଼ା ନିଆଯାଇଛି।

ଏହା ଜାମିନ ନ ମିଳିବା ପରି ଅପରାଧ ହୋଇଥିବାରୁ ତାଙ୍କୁ ଜାମିନରେ ଛଡ଼ାଯାଇ ପାରିବ ନାହିଁ ବୋଲି ନୋଟିସ୍ରେ ଉଲ୍ଲେଖ ଅଛି। କିନ୍ତୁ, ସେ ଜାମିନ ପାଇଁ ଅଦାଲତରେ ଆବେଦନ କରିପାରିବେ।
ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ଥିବାରୁ ‘ସିଆଇଡି’ ବାବୁଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା। ଜାମିନ ପାଇଁ ଆମେ ହାଇକୋର୍ଟରେ ଆବେଦନ କରିବୁ ବୋଲି ତାଙ୍କ ଓକିଲ କହିଛନ୍ତି।
ଜନସାଧାରଣଙ୍କ ଅର୍ଥ ‘ଲୁଟ୍’ କରିଛନ୍ତି ବୋଲି ଦୋଷାରୋପ କରି ଆନ୍ଧ୍ରପ୍ରଦେଶର ସାମାଜିକ ଜନକଲ୍ୟାଣ ମନ୍ତ୍ରୀ ମେରୁଗା ନାଗାର୍ଜୁନ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରି ଦାବି କରିଥିଲେ।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ତେଲେଙ୍ଗାନାରେ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବା ବେଳେ ସେ କହିଥିଲେ, ଅର୍ଥ ବିନିମୟରେ ଭୋଟ୍ ମାମଲାରେ ପଳାୟନ କରିବା ପୂର୍ବରୁ ଚନ୍ଦ୍ରବାବୁ ହାଇଦ୍ରାବାଦସ୍ଥିତ ‘ଲେକ୍ ଭିୟୁ ଗେଷ୍ଟ୍ ହାଉସ୍’ ମରାମତି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ସେ ଆଉ ୧୦ କୋଟି, ‘ଚାଟର୍ଡ ବିମାନ’ ଭଡ଼ା ବାବଦରେ ୧୦୦ କୋଟି ଏବଂ ‘ଧର୍ମ ପୋରତା ଦୀକ୍ଷାସ୍’ରେ ୮୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।