ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଗତକାଲି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଯେତେବେଳେ ସେ ଅମରାବତୀରେ ଚାଲିଥିବା ନିର୍ମାଣ କାମର ତଦାରଖ କରିବା ପାଇଁ ଯାଉଥିଲେ ସେତେବେଳେ ଚନ୍ଦ୍ରବାବୁ ନାଇଡୁଙ୍କ ବସ ଉପରକୁ କେତେକ ଓ୍ୱାଇଏସ ଆର କଂଗ୍ରେସର ସମର୍ଥକ ଚପଲ ଫିଙ୍ଗିଥିବା ଜଣାଯାଇଛି।
ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ଟିଡିପି ମୁଖିଆଙ୍କୁ ନେଇ ଯାଉଥିବା ବସ ଭେଙ୍କଟାପଲେମ ଦେଇ ଅତିକ୍ରମ କରୁଥିଲା। ଏହି ସ୍ଥାନରେ କୃଷକମାନେ ଓ୍ୱାଇ ଏସ ଆର କଂଗ୍ରେସର ସମର୍ଥନରେ ନାଇଡୁଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।
ସୂଚନାଯୋଗ୍ୟ ପୂର୍ବରୁ ଓ୍ୱାଇ ଏସ ଆର କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ସେମାନେ ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ଗସ୍ତକୁ ବିରୋଧ କରିବେ। ଏଥିସହ କୃଷକମାନଙ୍କ ସହ ମିଶି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା।
ଏଘଟଣାରେ ନିଜର ପ୍ରତିକ୍ରିୟାରେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ହାଇଦ୍ରାବାଦ ଭଳି ସେ ଅମରାବତୀକୁ ଏକ ଉତ୍କୃଷ୍ଟ ସ୍ଥାନ ଭାବେ ନିର୍ମିତ ହେଉ ବୋଲି ଚାହୁଁଛନ୍ତି , ହେଲେ ଏହି ବ୍ୟକ୍ତି (ଜଗନ ମୋହନ ରେଡ୍ଡି) ଏହାକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ସେ ବିକଶିତ ହାଇଦ୍ରାବାଦ ପାଇଁ ଭିଜନ ୨୦୨୦ ଯୋଜନା କରିଥିଲେ ବୋଲି ବି କହିଛଛନ୍ତି ନାଇଡ଼ୁ । ଏହି ଲକ୍ଷ୍ୟନେଇ ସେ ଅମରାବତୀକୁ ଏକ ବିକଶିତ ସହର ଭାବେ ଗଢି ତୋଳିବାର ପରିକଳ୍ପନା ବି କରିଥିଲେ ହେଲେ ଉକ୍ତ ବ୍ୟକ୍ତିଜଣଙ୍କ ତାଙ୍କର ଏହି ଯୋଜନାକୁ ବରବାଦ କରିବାରେ ଲାଗିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ ।