ବିଶାଖପାଟଣା: ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଶପଥ ଗ୍ରହଣ କରିଛନ୍ତି। ଚନ୍ଦ୍ରବାବୁ ନାଇଡ଼ୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ବିଭାଜିତ ଆନ୍ଧ୍ରପ୍ରଦେଶର ସେ ତୃତୀୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଚନ୍ଦ୍ରବାବୁଙ୍କ ସହ ୨୪ଜଣ ବିଧାୟକ ମନ୍ତ୍ରିପରିଷଦ ସଦସ୍ୟ ଭାବେ ଶପଥ ନେଇଛନ୍ତି। କ୍ରିଷ୍ଣା ଜିଲ୍ଲା ଗନ୍ନଭରମ୍‌ ବିମାନବନ୍ଦର ନିକଟ କେସରିପଲ୍ଲୀ ଆଇଟି ପାର୍କ ଠାରେ ଅନୁଷ୍ଠିତ ଆଜିର ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି ସଞ୍ଜୟ କୁମାର, ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ, ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ, ଚିରଞ୍ଜୀବୀ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପୂର୍ବତନ ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଏନ୍‌ଭି ରମଣା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

Advertisment

ମୁଖ୍ୟମନ୍ତ୍ରୀ ନାଇଡ଼ୁ ଓ ଅନ୍ୟ ମନ୍ତ୍ରୀପରିଷଦ ସଦସ୍ୟଙ୍କୁ ରାଜ୍ୟପାଳ ଏସ୍‌ ଅବଦୁଲ୍‌ ନାଜିର ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ନାଇଡ଼ୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଲିଙ୍ଗନ କରିବା ଓ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ନାଇଡ଼ୁଙ୍କ ପିଠି ଥାପୁଡ଼େଇବା ଘଟଣା ଉତ୍ସବର ଏକ ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ ଥିଲା। ନୂତନ ମନ୍ତ୍ରିମଣ୍ଡଳରେ ଟିଡିପି ନିଜ ହାତରେ ମୁଖ୍ୟମନ୍ତ୍ରୀ ସହ ୨୦ଟି ପଦବି ରଖିଥିବା ବେଳେ ଜନସେନାକୁ ୩ଟି ଓ ବିଜେପିକୁ ଗୋଟିଏ କ୍ୟାବିନେଟ୍‌ ପଦବି ଦେଇଛି। ମୋଟ ୨୪ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରୁ ୧୭ଜଣ ନୂତନ ଭାବେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ସେହିଭଳି କ୍ୟାବିନେଟ୍‌ରେ ୩ଜଣ ମହିଳା, ୮ ଜଣ ପଛୁଆ ବର୍ଗ, ୨ ଅନୁସୂଚିତ ଜାତି, ଜଣେ ଅନୁସୂଚିତ ଜନଜାତି ଓ ଜଣେ ମୁସଲିମ୍‌ଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନିତ କରାଯାଇଛି। ଜନସେନାର ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ ଓ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପୁଅ ଏନ୍‌ ଲୋକେଶଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପଦବି ପ୍ରଦାନ କରାଯାଇଛି। ମନ୍ତ୍ରିପରିଷଦର ଅନ୍ୟ ସଦସ୍ୟମାନେ ହେଲେ- କେ ଆଚନ୍ନାଇଡୁ, କେ ରବୀନ୍ଦ୍ର, ଏନ୍‌ ମନୋହର, ପି ନାରାୟଣା, ଭି ଅନିଥା, ସତ୍ୟ କୁମାର ଯାଦବ, ଡା ଏନ୍‌ ରାମାନାଇଡ଼ୁ, ଏନ୍‌ ମହମ୍ମଦ୍‌ ଫାରୁକ୍‌, ଏ ରାମାନାରାୟଣା ରେଡ୍ଡି, ପି କେଶବ, ଏ ସତ୍ୟ ପ୍ରସାଦ, କେ ପାର୍ଥସାରଥୀ, ଡା ଡୋଳା ବାଳା ଭି ସ୍ବାମୀ, ଜି ରବି କୁମାର, କେ ଦୁର୍ଗେଶ, ଜି ସନ୍ଧ୍ୟାରାଣୀ, ବିସି ଜନାର୍ଦ୍ଦନ ରେଡ୍ଡି, ଟିଜି ଭାରଥ, ଏସ୍‌ ସବିତା, ଭି ସୁବାସ, କେ ଶ୍ରୀନିବାସ, ଏମ୍‌ ରାମପ୍ରସାଦ ରେଡ୍ଡି।

ସୂଚନାଯୋଗ୍ୟ, ମୋଟ ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି, ଟିଡିପି ଓ ଜନସେନାକୁ ନେଇ ଏନ୍‌ଡିଏ ଗଠବନ୍ଧନ ବିପୁଳ ୧୬୪ ଆସନରେ ଜିତିଛି। ଏହାମଧ୍ୟରୁ ତେଲୁଗୁ ଦେଶମ ପାର୍ଟି ୧୩୫ଟି ଆସନ ପାଇଥିବା ବେଳେ ଜନସେନା ୨୧ ଓ ବିଜେପି ୮ଟି ଆସନ ପାଇଛି। ୱାଏସ୍‌ଆର୍‌-କଂଗ୍ରେସ ଦଳ କେବଳ ୧୧ଟି ଆସନ ପାଇଛି।