ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ସୁପ୍ରିମୋ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପତ୍ନୀ ନାରା ଭୁବନେଶ୍ୱରୀଙ୍କ ମିଳିତ ସମ୍ପତ୍ତି ଏବେ ୯୩୧ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ୩୯ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯ରେ ଏହି ଦମ୍ପତିଙ୍କ ସମ୍ପତ୍ତି ୬୬୮ କୋଟି ଟଙ୍କା ଥିଲା। ତାହା ମୁଖ୍ୟତଃ ହେରିଟେଜ୍ ଫୁଡ୍ସ, ନିର୍ବାଣ ହୋଲ୍ଡିଂସ୍ ଭଳି କମ୍ପାନିରେ ଭୁବନେଶ୍ୱରୀଙ୍କ ଥିବା ଅଂଶଧନ ମାଧ୍ୟମରେ ବୃଦ୍ଧି ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ପାଖରେ ୩ କୋଟି ଟଙ୍କାର ସୁନା, ହୀରା ଓ ରୁପା ଗହଣା ରହିଛି।

Advertisment

ଏହି ଦମ୍ପତିଙ୍କ ସ୍ଥାବର ସମ୍ପତ୍ତି ହାଇଦ୍ରାବାଦ, ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲା ଏବଂ ତାମିଲନାଡୁରେ ରହିଛି। ଏହି ଆର୍ଥିକ ଅଭିବୃଦ୍ଧି ସତ୍ତ୍ୱେ ନାଇଡୁ ଅମରାବତୀ ଜମି ଦୁର୍ନୀତି, ଫାଇବରନେଟ୍ ଦୁର୍ନୀତି ଏବଂ ଦକ୍ଷତା ବିକାଶ ଦୁର୍ନୀତି ସହିତ ଜଡ଼ିତ ଅଭିଯୋଗ ସମେତ ୨୪ଟି ଅପରାଧିକ ମାମଲାରେ ଫସି ରହିଛନ୍ତି। ନାଇଡ଼ୁ ଶୁକ୍ରବାର କୁପ୍ପାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୨୦୧୯ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ସେ ଏହି ଆସନରୁ ୧,୦୦,୧୪୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଆଗାମୀ ନିର୍ବାଚନ ପାଇଁ ବିଜେପି-ଟିଡିପି-ଜନସେନା ପାର୍ଟି ଆନ୍ଧ୍ରପ୍ରଦେଶ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ କରିଛନ୍ତି। ବିଜେପି ୬ଟି ଲୋକସଭା ଓ ୧୦ଟି ବିଧାନସଭା ଆସନରେ ଲଢ଼ିବ। ଅନ୍ୟପକ୍ଷରେ ଟିଡିପିକୁ ୧୭ଟି ଲୋକସଭା ଓ ୧୪୪ଟି ବିଧାନସଭା ଆସନ ଦିଆଯାଇଛି।